ଉଡ଼ିବା ଦେଖୁଥିଲେ, ଆଜି ଉଡ଼ିଲେ…

ଭୁବନେଶ୍ବର: ଆକାଶରୁ ପକ୍ଷୀ ସଦୃଶ ଦିଶୁଥିବା ଜାହାଜରେ ସତରେ କ’ଣ ଏତେ ଲୋକ ବସି ଉଡ଼ିପାରନ୍ତି ? ଏମିତି ବି କ’ଣ ଯନ୍ତ୍ରଟିଏ ଅଛି ? କଅଁଳ ମନରେ ‌କେତେଥର ଏମିତିକା ପ୍ରଶ୍ନ ଉଙ୍କି ମାରୁଥିବା ବେଳେ କିଛି ଅନାଥ ଓ ଅନଗ୍ରସର ଶିଶୁମାନଙ୍କ ପାଇଁ ଆଜି ଏହାକୁ ଉପଲବ୍ଧି କରିବା ପାଇଁ ଅବକାଶ ମିଳିଯାଇଥିଲା। ପିଲାବେଳେ ଆକାଶରେ ଯେଉଁ ଉଡ଼ାଜାହାଜ ଦେଖି ଖୁସିରେ ଡେଉଁଥିଲେ ଆଜି ସେଇ ଉଡ଼ାଜାହାଜରେ ବସି ଉଡ଼ିଥିଲେ ଭୁବନେଶ୍ବରରୁ ହାଇଦ୍ରାବାଦ। ମେଣ୍ଢାଶାଳରେ ଥିବା ରାୱା ଏକାଡେମିର ୪୦ଜଣ ଅନଗ୍ରସର ଓ ଅନାଥ ଶିଶୁଙ୍କୁ ଏହିଭଳି ସୁଯୋଗ ଦେଇଥିଲା ଭୁବନେଶ୍ବର ରାଉଣ୍ଡ୍‌ ଟେବୁଲ୍‌ ୫୩ (ବିଆର୍‌ଟି-୫୩)ର ଫ୍ଲାଇଟ୍‌ ଅଫ୍‌ ଫାଣ୍ଟାସି। ଇଣ୍ଡିଗୋ ଏୟାରଲାଇନ୍‌ସରେ ଉଡ଼ିବା ପୂର୍ବରୁ ସେମାନଙ୍କ ମୁହଁରେ ଉତ୍ସାହ ଓ ଉଦ୍ଦୀପନା ପଢ଼ି ହୋଇଯାଉଥିଲା। ଯେମିତି କିଛି କ୍ଷଣ ପାଇଁ ସେମାନଙ୍କ ‌ଦେହରେ ପକ୍ଷୀର ଡେଣା ଲାଗି ଯାଇଥିଲା। ଆଜି ହାଇଦ୍ରାବାଦରେ ପହଞ୍ଚିବା ପରେ ସେମାନଙ୍କୁ ହାଇଦ୍ରାବାଦ ରାଉଣ୍ଡଟେବୁଲ୍‌ ୮୯, ୧୮୩ ଓ ୨୪୯ ଅନୁଷ୍ଠାନ ପକ୍ଷରୁ ସ୍ବାଗତ କରାଯାଇଥିଲା। ଏଥିସହ ସେମାନଙ୍କୁ ଚାର୍‌ମିନାର ଟ୍ରିପ୍‌ରେ ନିଆଯାଇଥିଲା। ଆସନ୍ତାକାଲି ବୋଟିଂର ସୁଯୋଗ ଦିଆଯିବ। ଲୁମ୍ବିନି ପାର୍କ‌ ବୁଲିବା ସହ ଗୋଟେ ରାତିର ରହଣି ପରେ ଆସନ୍ତାକାଲି ହିଁ ପିଲାମାନେ ଭୁବନେଶ୍ବର ଫେରିବେ। ଏହି ଉପଲବ୍ଧି କେବଳ ସେଇ ପିଲାମାନଙ୍କୁ ଉପଭୋଗର ଆସର ଭେଟି ଦେବ ନାହିଁ, ବରଂ ଆଗକୁ ବଢ଼ିବା ପାଇଁ ଆଶା ଜାଗ୍ରତ କରିବ। ଦୁନିଆରେ ଯେ କିଛି ବି ଅସମ୍ଭବ ନୁହେଁ, ସେମାନଙ୍କ ମନ ଭିତରେ ଏହି ଭାବର ଉଦ୍ରେକ କରିବାକୁ ପ୍ରେରଣା ଯୋଗାଇଥିଲା ଏହି ଫାଣ୍ଟାସି ଫ୍ଲାଇଟ୍‌।

ସମ୍ବନ୍ଧିତ ଖବର