ଭୁବନେଶ୍ବର : ରବିବାର ମଧ୍ୟାହ୍ନରେ ହାଇଟେକ୍ ଛକରେ ଥିବା ପୁରୀ ପାଇପାସ୍ ଫ୍ଲଏଓଭର ଦବି ଯାଇଛି। ମଧ୍ୟାହ୍ନରୁ ବ୍ରିଜ୍ ଦବିଥିଲେ ହେଁ ଏହାର ମରାମତି ନହେବାରୁ ଏବଂ ହଜାରହଜାର ଗାଡ଼ି ବିପଦ ସଂକୁଳ ଭାବେ ଯାତାୟତ କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଲୋକମାନେ ରାସ୍ତାରୋକ କରିବା ସହ ହୋହଲ୍ଲା କରିବାରୁ କିଛି ଘଣ୍ଟା ପାଇଁ ଆଜି ଏନ୍ଏଚ୍-୧୬ରେ ଯାତାୟାତ ଠପ୍ ହୋଇଯାଇଥିଲା। କଟକ ପାର୍ଶ୍ବରୁ ଭୁବନେଶ୍ବରକୁ ଆସୁଥିବା ଗାଡ଼ିଗୁଡ଼ିକ ଘଣ୍ଟା ଘଣ୍ଟା ଧରି ଜାମ୍ରେ ଫସି ଯାଇଥିଲା। ସ୍ଥିତି ଅଣାୟତ୍ତ ହେବାରୁ କମିସନରେଟ୍ ପୁଲିସ ପକ୍ଷରୁ ଦବି ଯାଇଥିବା ଅଂଶକୁ ବ୍ୟାରିକେଡ୍ କରି ଗାଡ଼ି ଚଳାଚଳ ବନ୍ଦ କରାଯିବା ସହ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଏକ ଓଡ୍ରାଫ୍ ଟିମ୍ ମଧ୍ୟ ମୁତୟନ କରାଯାଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ବି ଏନ୍ଏଚ୍ ପାଟ୍ରୋଲିଂ ଗାଡ଼ି ମୁତୟନ କରିଛନ୍ତି।
ଅଗଷ୍ଟ ୧୩, ୨୦୧୮ରେ କାର୍ଯ୍ୟକ୍ଷମ ହୋଇଥିଲା ଏନ୍ଏଚ୍-୧୬ରେ ହାଇଟେକ୍ ଛକରେ ନିର୍ମାଣ ହୋଇଥିବା ପୁରୀ ବାଇପାସ୍ ଫ୍ଲାଏ ଓଭର। କିନ୍ତୁ ବର୍ଷକ ପରେ ଏହି ଫ୍ଲାଏ ଓଭର ଦବି ଯାଇଛି। କିଛି ଦିନ ହେଲା ଏହି ଫ୍ଲାଏଓଭରର ଆପ୍ରୋଚ୍ ରୋଡ୍ ଦବୁଥିବା ନେଇ ଅଭିଯୋଗ ହେଉଥିବା ବେଳେ ଆଜି ଏହା ଫାଟି ଆଁ କରିଛି। ବ୍ରିଜ୍ ଉପରେ ୨ ମିଟର ଲମ୍ବାରେ ୧ମିଟର ଓସାରରେ ୪ଇଞ୍ଚ ଗଭୀରକୁ ବ୍ରିଜ୍ ଦବିଥିବା ପ୍ରାରମ୍ଭିକ ସର୍ଭେରୁ ଜଣାପଡ଼ିଥିବା ବେଳେ ଆସନ୍ତାକାଲି ଏହାର ପରୀକ୍ଷାନିରୀକ୍ଷା କରି ମରାମତି ହେବ ବୋଲି ଜାତୀୟ ରାଜପଥ କର୍ତ୍ତୃପକ୍ଷ କହିଛନ୍ତି।
/sambad/media/post_attachments/wp-content/uploads/2019/08/bridge-2f-300x200.jpg)
ଦିନତମାମ ଦବିଥିବା ଫ୍ଲାଏଓଭର୍ ଉପରେ ହଜାର ହଜାର ଗାଡ଼ି ଯାତାୟାତ କରୁଥିଲେ ହେଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନନେବାରୁ ସ୍ଥାନୀୟ ଲୋକ ସଂଧ୍ୟାରେ ରାସ୍ତାକୁ ଓହ୍ଲାଇଥିଲେ। ପ୍ରାୟ ଘଣ୍ଟାଏ କାଳ ରାସ୍ତାରୋକ ହେବାରୁ ରାସ୍ତା ଉପରେ ପ୍ରାାୟ ୨କିମି ପର୍ଯ୍ୟନ୍ତ ଲମ୍ବା ଧାଡ଼ିରେ ଗାଡ଼ିଗୁଡ଼ିକ ଅଟକି ରହିଥିଲା। ଏହାପରେ ଘଟଣାସ୍ଥଳରେ ଡିସିପି ଅନୁପ କୁମାର ସାହୁ, ଟ୍ରାଫିକ୍ ଏସିପି କିଶୋର ପାଣିଗ୍ରାହୀ, ମଞ୍ଚେଶ୍ବର ଆଇଆଇସି ଯତୀନ୍ଦ୍ରନାଥ ସେଠୀ, ରାଜପଥ ଟ୍ରାଫିକ୍ ଆଇଆଇସି ଆକାଶ ରଣା, ସହିଦ ନଗର ଆଇଆଇସି ବିରଞ୍ଚି ନାରାୟଣ ପତି ପ୍ରମୁଖ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଲୋକଙ୍କୁ ବୁଝାସୁଝା କରିବା ସହ ୧୦ଜଣିଆ ଓଡ୍ରାଫ୍ ଟିମ୍କୁ ମୁତୟନ କରିଥିଲେ। ବ୍ରିଜ୍ ଉପରେ ଆସ୍କା ଲାଇଟ୍ ଲଗାଇ ବ୍ରିଜ୍କୁ ଆଲୋକୀକରଣ କରାଯାଇଛି।
ଏନ୍ଏଚ୍ଏଆଇ ମୁଖ୍ୟ ମହାପ୍ରବନ୍ଧକ ଆର୍.ପି ପଣ୍ଡା କହିଛନ୍ତି ଯେ ଫ୍ଲାଏଓଭର ଦବି ନାହିଁ। ଏହାର ଆପ୍ରୋଚ୍ ରୋଡ୍ ଦବିଛି। ଏହା ବିଶେଷ ଗୁରୁତର ନୁହେଁ। ବ୍ରିଜ୍ର ସ୍ଲାବ୍ ଯେଉଁଠି ଶେଷ ହୋଇଛି ସେଠାରୁ ବାଲି ଫିଲିଙ୍ଗ୍ କରାଯାଇଛି। ଏହାର ନିର୍ମାଣ ସମୟରେ ରୋଲର ଚଢ଼ାଇ ସମତୁଲ କରାଯିବା ସମୟରେ କିଛି ତ୍ରୁଟି ଥିବାରୁ ଏହା ଦବିଥିବା ଅନୁମାନ କରୁଛୁ। ସୋମବାର ସକାଳେ ଏହାର ମରାମତି କରାଯିବ। ପ୍ରାୟ ୩ଘଣ୍ଟା ମରାମତି ପାଇଁ ଲାଗିବ।
/sambad/media/post_attachments/wp-content/uploads/2019/08/bridge-1f-300x200.jpg)
ସୂଚନାଯୋଗ୍ୟ ଯେ ପ୍ରାୟ ୧୫କୋଟି ଟଙ୍କା ବ୍ୟୟରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ୱେଜ୍ ଲିମିଟେଡ୍ ଏହାକୁ ନିର୍ମାଣ କରିଥିଲା। ବ୍ରିଜ୍ଟି ବହୁଦିନ ଧରି ଅଧା ନିର୍ମାଣ କରି ଛାଡ଼ି ଦିଆଯାଇଥିବା ବେଳେ ଲୋକଙ୍କ ବିରୋଧ ଯୋଗୁଁ ଏହା ତରବରିଆ ଭାବେ ନିର୍ମାଣ କରାଯାଇଥିଲା। ଫଳରେ ବ୍ରିଜ୍ଟି ଅଙ୍କାବଙ୍କା ହେବା ସହ ଏହା ଉପରେ ସମତୁଲ ନାହିଁ। ଏହି ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ନେଇ ବାରମ୍ବାର ଅଭିଯୋଗ ହୋଇଥିଲା। କିନ୍ତୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନ ନେବାରୁ ଆଜି ବ୍ରିଜ୍ ଦବିଗଲା ବୋଲି ଅଭିଯୋଗ ହୋଇଛି। କେବଳ ଏତିିକି ନୁହେଁ, ଫ୍ଲାଏଓଭର୍ର ବାକି ଅଂଶ ବି କେତେବେଳେ ଦବିଯିବାର ଆଶଙ୍କା ଅଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/biswajit-f.jpg)