ଭୁବନେଶ୍ୱର: ପ୍ରାଦେଶିକ ତଥା ଜାତୀୟ ପର୍ବପର୍ବାଣୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଇଂରାଜୀ ଭାଷାରେ ନଜଣାଇ ଓଡ଼ିଆ ଭାଷାରେ ଜଣାଇବାକୁ ‘ଭାଷା ସୁରକ୍ଷା ସମ୍ମିଳନୀ’ର ସଭାପତି ବୈଷ୍ଣବ ପରିଡ଼ା ଅନୁରୋଧ କରିଛନ୍ତି। ନିକଟରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ କେତେକ ଓଡ଼ିଆ ଟିଭି ଚାନେଲରେ ଓଡ଼ିଶାବାସୀଙ୍କୁ ବିଜୟା ଅଭିନନ୍ଦନ ଇଂରେଜୀରେ ଜଣାଇବା ଦ୍ୱାରା ବହୁ ଭାଷାପ୍ରେମୀ ସ୍ୱାଭିମାନୀ ଓଡ଼ିଆ ଅପମାନ ବୋଧ କରିଛନ୍ତି। ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ ସବୁବେଳେ ନିଜ ମାତୃଭାଷାରେ ନିଜର ରାଜ୍ୟବାସୀଙ୍କୁ ଏହି ସବୁ ଜାତୀୟ ପର୍ବପର୍ବାଣୀରେ ଅଭିନନ୍ଦନ ଜଣାଉଥିବା ବେଳେ ଆମ ମୁଖ୍ୟମନ୍ତ୍ରୀ ଇଂରେଜୀରେ କହିବା ନିଶ୍ଚୟ ଅନେକଙ୍କୁ ଦୁଃଖ ଦେବା ସ୍ୱାଭାବିକ। ତାହା ଛଡ଼ା ମୁଖ୍ୟମନ୍ତ୍ରୀ ଅନେକ ସମୟରେ ଓଡ଼ିଆ ଗଣମାଧ୍ୟମକୁ ଯେଉଁ ସଂକ୍ଷିପ୍ତ ବିବୃତି ଦେଉଛନ୍ତି ତାହା ଓଡ଼ିଆରେ ହେବା ଉଚିତ। କାରଣ ଓଡ଼ିଶାର ଅଧିକାଂଶ ଲୋକ ଇଂରେଜୀ ବୁଝି ପାରନ୍ତି ନାହିଁ । ସେତେବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡ଼ିଆରେ ନ କହି ଇଂରେଜୀରେ କହିବାଟା ସେମାନଙ୍କ ପାଇଁ ଅବୋଧ୍ୟ ଓ ଅପମାନ ଜନକ। ରାଜ୍ୟର ବିଭିନ୍ନ ସଭାସମିତିରେ ମୁଖ୍ୟମନ୍ତ୍ରୀ ଯେଉଁ ଇଂରାଜୀ-ଓଡ଼ିଆ-ହିନ୍ଦୀ ମିଶା ସଂକ୍ଷିପ୍ତ ଭାଷଣ ଦେଉଛନ୍ତି ତାହା ମଧ୍ୟ ବଦଳିବା ଦରକାର। ଏହିସବୁ ଭାଷଣରେ ଇଂରେଜୀ ଓ ହିନ୍ଦୀ ୬୦ ଭାଗରୁ ଅଧିକ ରହୁଥିବା ବେଳେ ଓଡ଼ିଆ ୪୦ ଭାଗ ରହୁନାହିଁ। ଏହି ଖେଚୁଡ଼ି ଭାଷାର ପ୍ରଭାବ ଆମ ଯୁବସମାଜ ଓ ଗଣମାଧ୍ୟମକୁ ପ୍ରଭାବିତ କରୁଛି ବୋଲି ଅନେକ ଅନୁଭବ କରୁଛନ୍ତି। ଓଡ଼ିଶାର ସରକାରୀ ଭାଷା ଆଇନ ଗତ ୨୦୧୬ ଅଗଷ୍ଟ ୧୬ ତାରିଖରୁ କାର୍ଯ୍ୟକାରୀ ହେଲା ବୋଲି ସରକାର ଘୋଷଣା କଲାପରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ବଡ଼ ଅଫିସରମାନଙ୍କର ଭାଷଣ ଇଂରେଜୀ-ଓଡ଼ିଆ-ହିନ୍ଦୀମିଶା ଖେଚୁଡ଼ି ଭାଷାରେ ନହୋଇ ବୋଧଗମ୍ୟ ଓଡ଼ିଆ ଭାଷାରେ ହେବା ଦରକାର। କାରଣ ମୁଖ୍ୟମନ୍ତ୍ରୀ ନିଜେ ଓଡ଼ିଆରେ ନଲେଖିଲେ ଓ ନ କହିଲେ ତାଙ୍କର ଅଫିସର ଓ ମନ୍ତ୍ରୀମାନଙ୍କୁ ଓଡ଼ିଆରେ ସରକାରୀ କାର୍ଯ୍ୟ କରିବାକୁ କିପରି ନିର୍ଦ୍ଦେଶ ଦେବେ? ମନ୍ତ୍ରୀ ଓ ଅଫିସରମାନେ ସେମାନଙ୍କ ବିଭାଗର କାର୍ଯ୍ୟ ଓଡ଼ିଆରେ ନକଲେ ଓଡ଼ିଶା ସରକାରୀ ଭାଷା ଆଇନ କିପରି କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ପରିଡ଼ା ପ୍ରଶ୍ନ କରିଛନ୍ତି।
ଓଡ଼ିଆମାନଙ୍କୁ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷାରେ ଅଭିନନ୍ଦନ ଜଣାନ୍ତୁ: ଭାଷା ସୁରକ୍ଷା ସମ୍ମିଳନୀ
/sambad/media/post_attachments/wp-content/uploads/2017/10/m_id_392880_patnaik_.jpg)