ଭୁବନେଶ୍ବର ୱାର୍ଡ ନଂ. ୫୯: ବିକାଶମୂଳକ କାର୍ଯ୍ୟ ଉପରେ ବିରଞ୍ଚିଙ୍କ ଫୋକସ୍‌

ଭୁବନେଶ୍ବର: ମତଦାନକୁ ଆଉ ମାତ୍ର ଦୁଇ ଦିନ ବାକି ଥିବା ବେଳେ ୫୯ ନମ୍ବର ୱାର୍ଡର ବିଜେଡି ପ୍ରାର୍ଥୀ ବିରଞ୍ଚି ନାରାୟଣ ମହାସୂପକାର ପ୍ରଚାରକୁ ଜୋର୍‌ଦାର କରିଛନ୍ତି। ଏହି ୱାର୍ଡରୁ ଗତ ତିନି ତିନି ଥର କର୍ପୋରେଟର ଜିତିଥିବା ବିରଞ୍ଚି ଏଥର ବିଜୟ ଧାରା ଅବ୍ୟାହତ ରଖିବାକୁ ସବୁପ୍ରକାର ଉଦ୍ୟମ ଚଳାଇଛନ୍ତି। ୱାର୍ଡରେ ଶକ୍ତି ପ୍ରଦର୍ଶନର କୌଣସି ସୁଯୋଗ ସେ ହାତଛଡ଼ା କରୁ ନାହାନ୍ତି।

ସୋମବାର ସନ୍ଧ୍ୟାରେ ୱାର୍ଡରେ ଏକ ବିଶାଳ ପଦଯାତ୍ରାର ଆୟୋଜନ କରାଯାଇଥିଲା। ନିଜ ସମର୍ଥକଙ୍କ ସହ ବିରଞ୍ଚି ଘରକୁ ଘର ବୁଲି ଲୋକଙ୍କ ସହ ସ୍ଥାନୀୟ ସମସ୍ୟା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ପ୍ରତ୍ୟେକ ୱାର୍ଡବାସୀଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦିଆଯିବ। ୱାର୍ଡରେ କୌଣସି ମୌଳିକ ସମସ୍ୟା ରହିବ ନାହିଁ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସେ କର୍ପୋରେଟର୍‌ ଥିଲା‌ ବେଳେ ୱାର୍ଡରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଛନ୍ତି। ପୂର୍ବ ଅଭିଜ୍ଞତା, ଅନୁଭୂତି ଏବଂ ଲୋକଙ୍କ ଭଲ ପାଇବାକୁ ନେଇ‌ ସେ ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇଛନ୍ତି ବୋଲି ଶ୍ରୀ ମହାସୂପକାର କହିଛନ୍ତି। ଆଜିର ଏହି ପଦଯାତ୍ରାରେ ନୂଆଗାଁ, ସାମନ୍ତରାପୁର, ଶ୍ରୀରାମନଗର, ଗ୍ୟାରେଜ୍‌ ଛକ, ଗୌରୀନଗର, କୋଟିତୀର୍ଥ ଆଦି ଅଞ୍ଚଳର ହଜାରେରୁ ଊର୍ଧ୍ବ ଯୁବକ, ମହିଳା, ବରିଷ୍ଠ ନାଗରିକ ଏଥିରେ ଯୋଗ ଦେଇଥିଲେ।

ୱାର୍ଡ ନଂ. ୬୧: ଶିବନାରାୟଣଙ୍କ ପ୍ରଚାର

୬୧ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ପ୍ରାର୍ଥୀ ଶିବ ନାରାୟଣ ରାୟ ଭୀମଟାଙ୍ଗିରେ ମାରାଥନ ପ୍ରଚାର କରିଛନ୍ତି। ସରକାରଙ୍କ ବିଭିନ୍ନ ସୁବିଧା ଯେପରି ଲୋକ ପାଇବେ, ସେଥିପାଇଁ ବିପୁଳ ସଂଖ୍ୟାରେ ଭୋଟ ଓ ଆଶୀର୍ବାଦ ଦେଇ ବିଜୟୀ କରିବାକୁ ସେ ୱାର୍ଡବାସୀଙ୍କୁ ନିବେଦନ କରିଥିଲେ। ୱାର୍ଡରେ ପାଣି ସମସ୍ୟା ସମାଧାନ ପାଇଁ ଆଉ ଏକ ଟାଙ୍କିର ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରାଯିବାକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଶିବ ନାରାୟଣ କହିଛନ୍ତି।

ଭୀମେଶ୍ୱର କୁଣ୍ଡର ପୁନରୁଦ୍ଧାର, ୱାର୍ଡରେ କଲ୍ୟାଣ ମଣ୍ଡପ ନିର୍ମାଣ, ଶ୍ରୀଲିଙ୍ଗରାଜ ଷ୍ଟେସନରୁ ଶ୍ରୀଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତ କରିବା ସହ ମୋ ବସ ଚଳାଚଳ କରିବା, ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର କମ୍ୟୁନିଟି ସେଣ୍ଟର୍ ନିର୍ମାଣ ଓ ଯୁବକମାନଙ୍କ ପାଇଁ ଇନ୍‌ଡୋର ଷ୍ଟାଡିୟମ୍ ଓ ଜିମ୍‌ ନିର୍ମାଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର