ଭୁବନେଶ୍ବର: ଓଡ଼ିଶା ପାଇଁ ସଂସ୍କୃତି ବିଶ୍ବବିଦ୍ୟାଳୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଓଡ଼ିଆ ଭାଷା ଓ ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି। ଏବେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଚେଷ୍ଟା ଚାଲିଛି। ରାଜ୍ୟରେ ଥିବା ୪୭୧ପ୍ରକାର ଲୋକକଳାକୁ ବଞ୍ଚାଇ ରଖିବାରେ ଆମେ ସମର୍ଥ ହୋଇ ପାରୁନାହୁଁ। ତେବେ ଏହାକୁ କେବଳ କଟକ, ଭୁବନେଶ୍ବର ସୀମିତ ନରଖି ସରକାର ଏହାର ସୁଦୂର ପ୍ରସାର କରାଇବାକୁ ଚେଷ୍ଟା କରୁଛନ୍ତି। କେବଳ ସରକାର ଚାହିଲେ ହେବନି, ଏଥିପାଇଁ ଛାତ୍ରଛାତ୍ରୀଙ୍କ ସହଯୋଗ ଆବଶ୍ୟକ।

Advertisment

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୩ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ‌ଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଶ୍ବବିଦ୍ୟାଳୟର ବିଦ୍ୟାର୍ଥୀଙ୍କୁ ଆହ୍ବାନ ଦେଇଛନ୍ତି। ମଦନପୁରସ୍ଥିତ କ୍ୟାମ୍ପସରେ‌ କୁଳପତି ପ୍ରଫେସର୍‌ ବ୍ୟୋମକେଶ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଓଡ଼ିଶାର ସଂସ୍କୃତି, ପୁରାତନ କୀର୍ତ୍ତିରାଜିଗୁଡ଼ିକର ସଂରକ୍ଷଣ ତଥା ଏହା ଉପରେ ଉଚ୍ଚତର ଗବେଷଣାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ।

ସେ କହିଥିଲେ ଯେ ଓଡ଼ିଶାରେ ଗବେଷଣାର ଅଭାବ ରହିଛି। ଗବେଷଣା ବିନା ଆମେ ଯୁକ୍ତି ଉପସ୍ଥାପନ କରିପାରିବା ନାହିଁ। ଅନେକ ସ୍ଥାନ ଏବେ ବି ଲୋକଲୋଚନକୁ ଆସିପାରିନାହିଁ। ତାକୁ ଆବିଷ୍କାର କରିବା ସହ ତଥ୍ୟସହ ତା’ର ପ୍ରାଚୀନତାକୁ ପ୍ରକାଶ କରିବାର ଆବଶ୍ୟକତା ରହିଛି। ଏ ଦିଗରେ ସଂସ୍କୃତି ବିଶ୍ବବିଦ୍ୟାଳୟ ହିଁ ମାର୍ଗଦର୍ଶକ ହେବ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଥିଲେ।

କୁଳପତି ଶ୍ରୀ ତ୍ରିପାଠୀ ଆଗାମୀ ଦିନରେ ବିଶ୍ବବିଦ୍ୟାଳୟରେ ହେବାକୁ ଥିବା ବିଭିନ୍ନ ଗବେଷଣାଭିତ୍ତିକ କାର୍ଯ୍ୟକ୍ରମ ଓ ଓଡ଼ିଶାର ସାଂସ୍କୃତିକ ବିକାଶ ପାଇଁ ବିଶ୍ବବିଦ୍ୟାଳୟ କରିଥିବା ବହୁବିଧ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଶ୍ବବିଦ୍ୟାଳୟର ସାହିତ୍ୟ ମୁଖପତ୍ର ‘ରୂପାୟନ’, ସମ୍ବାଦଭିତ୍ତିକ ପତ୍ରିକା ‘ସଂସ୍କୃତି’ ଓ ଓଡ଼ିଶାର ବରପୁତ୍ରଙ୍କ ଉପରେ ଆଧାରିତ କ୍ୟାଲେଣ୍ଡର୍‌ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ବିଶ୍ବବିଦ୍ୟାଳୟ ପକ୍ଷରୁ ପୂର୍ବ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଜଗନ୍ନାଥ କୁଅଁର ସ୍ବାଗତ ଭାଷଣ, କୁଳସଚିବ ଅନନ୍ତ ବିଜୟ ପଟ୍ଟନାୟକ ବାର୍ଷିକ ବିବରଣୀ ଓ ମନୋଜ କୁମାର ଦାସ ଧନ୍ୟବାଦ ଦେଇଥିଲେ। ଆଶିଷ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।