ଭୁବନେଶ୍ବର: ସୂର୍ଯ୍ୟଙ୍କ ଉତ୍ତରାୟଣ ଗତିପରେ ପ୍ରକୃତିରେ ଏକ ଅଜବ ପ୍ରକାରର ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ଗୋଟିଏ ପଟେ ରାଜ୍ୟରେ ତାପମାତ୍ରାରେ ବୃଦ୍ଧି ୫୨ ବର୍ଷର ରେକର୍ଡ ଭାଙ୍ଗିଥିବା ବେଳେ ଅନ୍ୟପଟେ ଜାନୁଆରୀ ମାସ ନସରୁଣୁ ଶୀତ ଉଭେଇ ଯାଇଛି ଏବଂ ଘନ କୁହୁଡ଼ି ରାଜ୍ୟର ଉପକୂଳ ଜିଲ୍ଲାଗୁଡ଼ିକୁ କବଳିତ କରିଛି। ଏଭଳି ଅସ୍ବାଭାବିକ ଜଳବାୟୁ ପରିବର୍ତ୍ତନ ଏବେ ଲୋକପ୍ରିୟ ଫଳ ଚାଷକୁ ପ୍ରଭାବିତ କରିଥିବା ବେଳେ ଫୁସ୍‌ଫୁସ୍‌ ରୋଗୀଙ୍କ ଚିନ୍ତା ବଢ଼ିଛି। ଘନକୁହୁଡ଼ିର ପ୍ରଭାବକୁ ନେଇ ଫଳ ଓ ଫୁଲ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ କ୍ଷେତ୍ରରେ କି ପ୍ରକାର ପ୍ରଭାବ ପଡ଼ିବ ତାହାକୁ ‌ନେଇ ବି‌ଶେଷଜ୍ଞମା‌‌ନେ ଆକଳନ ଆରମ୍ଭ କରିଛନ୍ତି। 

Advertisment

ଗତ ୪ ଦିନ ହେଲା ଉପକୂଳ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ଜନଜୀବନ ଅସ୍ତବ୍ୟସ୍ତ କରିପକାଇଛି। ୨୮ ତାରିଖ ପର୍ଯ୍ୟନ୍ତି ଏଥିରୁ ନିସ୍ତାର ମିଳିବ ନାହିଁ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଆଗକୁ ମଧ୍ୟ ଏହା ବଢ଼ିବା‌ ଆଶଙ୍କା ରହିଛି। ଗତକାଲି ଭୁବନେଶ୍ବରରେ ସବୁଠାରୁ ଅଧିକ ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନତା ସର୍ବନିମ୍ନ ରହିଥିଲା। ଏଭଳି ଘନ କୁହୁଡ଼ି ଏବେ ଆମ୍ବ, ପଣସ, କାଜୁ ବାଦାମ, ସପେଟା, ଲେମ୍ବୁ ଭଳି ଋୁତୁକାଳୀନ ଫଳ, ପନିପରିବା ଓ ସ୍ବାସ୍ଥ୍ୟ ଉପରେ ଘୋର ପ୍ରଭାବ ପକାଉଛି। ଜାନୁଆରିରୁ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ସବୁ ଫଳର ବଉଳ ହେବାର ସମୟ। ଏହି ସମୟରେ ହେଉଥିବା ଘନକୁହୁଡ଼ି ବଉଳକୁ ପ୍ରଭାବିତ କରୁଛି। ବଉଳ ଫୁଟୁଥିବା ଅବସ୍ଥାରେ ଥିବା ବେଳେ କୁହୁଡ଼ି ପଡ଼ୁଥିବାରୁ ଫୁଲର ପରାଗସଙ୍ଗମ ପାଇଁ ମହୁମାଛି, ପ୍ରଜାପତି ଏବଂ ଅନ୍ୟାନ୍ୟ କୀଟପତଙ୍ଗଙ୍କୁ ଫୁଲ ଖୋଜିବାରେ ସମସ୍ୟା କରାଉଛି। ଅତ୍ୟଧିକ ଆର୍ଦ୍ରତା, ପାଣି ବିନ୍ଦୁର ଓଜନ ଯୋଗୁ ପରାଗସଙ୍ଗମ ପୂର୍ବରୁ ଫୁଲ ଝଡ଼ି ଯାଉଛି। ଏହା ବ୍ୟତୀତ, କୁହୁଡ଼ି କବକ ବୃଦ୍ଧି ପାଇଁ ଏକ ଆଦ୍ର ପରିବେଶ ସୃଷ୍ଟି କରୁଥିବାରୁ ଏହା ରୋଗ ବୃଦ୍ଧିକରୁଛି। ଫଳରେ ଉଦ୍ଭିଦ ପ୍ରତିରକ୍ଷା ତନ୍ତ୍ର ଦୁର୍ବଳ ହେଉଛି। 

ଅପରପକ୍ଷରେ ତାପମାତ୍ରାରେ ପରିବର୍ତ୍ତନ ଉଦ୍ଭିଦ ହରମୋନ ସନ୍ତୁଳନକୁ ବାଧା ପହଞ୍ଚାଉଛି। ଆଗାମୀ ଦିନରେ ଯେଉଁ ଗଛଗୁଡ଼ିକରେ ଫୁଲ ଫୁଟିବା କଥା ସେଥିରେ ବିଳମ୍ବ ହେବାର ସମ୍ଭାବନା ବୃଦ୍ଧିପାଉଛି। ଫଳରେ ଉପକୂଳ ଅଞ୍ଚଳରେ ଏହି ସମସ୍ତ ଫଳର ଉତ୍ପାଦନ ଓ ଫଳର ଗୁଣବତ୍ତା ଉପରେ ପ୍ରଭାବ ପକାଇବ ବୋଲି ବୈଜ୍ଞାନିକ ଚିନ୍ତା‌ ପ୍ରକଟ କଲେଣି। ଫଳ ସହ ଫୁଲକୋବି, ବାଇଗଣ, ଜହ୍ନି, କଲରା, କାକୁଡି, ବନ୍ଧାକୋବି ଭଳି ପରିବା ଫସଲ ପାଇଁ କୁହୁଡ଼ି କାଳ ହେବାକୁ ଯାଉଛି। ଘନ କୁହୁଡ଼ି ଯୋଗୁ  ଅମ୍ଳଜାନ ସ୍ତର ହ୍ରାସ ପାଉଛି। ଫଳରେ ଫୁସ୍‌ଫୁସ୍‌ ଜନିତ ରୋଗ (ଆସ୍‌ଥମା ଓ ସିଓପିଡି) ପରି ଶ୍ୱାସକ୍ରିୟା ସମସ୍ୟା ଅଧିକ ବୃଦ୍ଧି ପାଇବା ଆଶଙ୍କା ରହିଛି। ହୃଦ୍‌ରୋଗ, ମୁଣ୍ଡବିନ୍ଧା, ମାଇଗ୍ରେନ୍ ଓ ଥକ୍କାପଣ ଭଳି ସମସ୍ୟା ମଧ୍ୟ ଏହି କୁହୁଡ଼ି ପ୍ରଭାବରେ ହେବା ଆକଳନ କରାଯାଇଛି। ଡିପ୍ରେସନ୍ ଭଳି ମାନସିକ ‌‌ରୋଗର କାରଣ ମଧ୍ୟ କୁହୁଡ଼ି ଯୋଗୁ ହେବା ବି‌ଶେଷଜ୍ଞ ଆଶଙ୍କା କରିଛନ୍ତି।  

ଏ ନେଇ ଓୟୁଏଟିର ଫଳ ବିଜ୍ଞାନ ବିଭାଗ ବିଭାଗୀୟ ମୁଖ୍ୟ ସୁବାସ ଚନ୍ଦ୍ର ସ୍ବାଇଁଙ୍କ କହିବା କଥା, ପରା‌ଗସଙ୍ଗମ ପାଇଁ ବର୍ତ୍ତମାନ ସମୟ ଅନୁକୂଳ। ହେଲେ ଉପକୂଳ ଅଞ୍ଚଳରେ କୁହୁଡ଼ି ରହୁଥିବାରୁ ବର୍ଷକରେ ଥରେ ଉତ୍ପାଦିତ ହେଉଥିବା ଫଳର ବଉଳ ବଢ଼ିବାରେ ଅସମର୍ଥ ହେଉଛି। ଆମ୍ବ, କାଜୁବାଦାମ, ଲେମ୍ବୁ, ପଣସ ଭଳି ଆର୍ଦ୍ର ଜଳବାୟୁରେ ହେଉଥିବା ଫଳର ଏବେ ବଉଳ ସମୟ। ୧୭ଡିଗ୍ରିରୁ ୩୫ଡିଗ୍ରି ଭିତରେ ତାପମାତ୍ରା ରହିଲେ ଫଳ ଭଲ ହୁଏ। ଏମ୍‌ସ୍‌ର ଭେଷଜ ବିଶେଷଜ୍ଞ ଅନୁପମ ଦେଙ୍କ କହିବା କଥା, ଫୁସଫୁସ ରୋଗ ପରି ଶ୍ବାସକ୍ରିୟା ସମସ୍ୟା ଥିବା ରୋଗୀ ବାହାରକୁ କମ୍‌ ବାହାରିବା ଆବଶ୍ୟକ। କୁହୁଡ଼ି ସମୟରେ ବିନା ମାସ୍କରେ ଶ୍ବାସକ୍ରିୟା କଲେ ରୋଗୀଙ୍କୁ ଭୟଙ୍କର ବିପଦ ହେବ।