ଭୁବନେଶ୍ୱର : କଳାକାରଟିଏ ତା’ର ପାରମ୍ପରିକ କଳାକୁ ମାଧ୍ୟମ କରି ବଞ୍ଚିବାର ରାହା ପାଇବ। ସେଇ କଳା ଜରିଆରେ ସରକାରଙ୍କ ଯୋଜନା ସମ୍ବନ୍ଧରେ ସଚେତନତା କରାଯିବ। ଏହି ଧାରାକୁ ବ୍ୟାପକ କରିବା ପାଇଁ ସରକାର ଆରମ୍ଭ କରିଛନ୍ତି ‘ସହଭାଗିତା’ କାର୍ଯ୍ୟକ୍ରମ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଉତ୍କଳ ମଣ୍ଡପରେ ଉଦ୍ଘାଟିତ ହୋଇଥିବା ୩ ଦିନିଆ ‘୮ମ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଂଗୀତ ମହୋତ୍ସବ’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଏଥିସହ ଆଜି ୩୦ଟି ଜିଲ୍ଲାରେ ଲୋକକଳା ଗ୍ରାମ ଗଠନ ହେବା ନେଇ ସୂଚନା ଦିଆଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାର ଡିଜିଟାଲ ଲୋକାର୍ପଣ କରିଛନ୍ତି।
ଏହି ଅବସରରେ ନିଜ ବିଭାଗର ଯୋଜନା ଓ ସଚେତନତା ପାଇଁ ଲୋକକଳାକୁ ମାଧ୍ୟମ କରିବାରେ ବ୍ୟାପକ ଭୂମିକା ନେଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶାସନ ସଚିବ ପ୍ରମୋଦ କୁମାର ମେହେର୍ଦା ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ନିର୍ଦେଶକଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହ ଜିଲ୍ଲାସ୍ତରରେ ବିକାଶ କାର୍ଯ୍ୟକ୍ରମରେ ପ୍ରଚାର ପାଇଁ କଳାକାର ମହାସଂଘକୁ ସାମିଲ କରିଥିବା ଗଂଜାମର ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ, ଢେଙ୍କାନାଳ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, କଟକ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର, ଖୋର୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଏବଂ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲଙ୍କୁ ପୁରସ୍କୃତ କରାଯାଇଥିଲା। ବାଲେଶ୍ୱର ନଗର କଳାକାର ସଂଘକୁ ମୁଖ୍ୟମନ୍ତ୍ରୀ ସମ୍ବର୍ଧିତ କରିଥିଲେ।
ଏହି ଅବସରରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନାଙ୍କ ସମେତ ବିଭାଗୀୟ ସଚିବ ମନୋରଂଜନ ପାଣିଗ୍ରାହୀ ଏବଂ ନିର୍ଦେଶକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବଜାସାଲ ନୃତ୍ୟରୁ ଆରମ୍ଭ ହୋଇଥିଲା ନୃତ୍ୟ କାର୍ଯ୍ୟକ୍ରମ। ପରେ ଗଂଜାମର ଯୋଡ଼ିଶଙ୍ଖ, ସମ୍ବଲପୁରର ସମ୍ବଲପୁରୀ, ନୂଆପଡ଼ାର ଗଣବାଜା, ମୟୂରଭଂଜର ଛଉ, ସୁନ୍ଦରଗଡ଼ର କରମା, ଢେଙ୍କାନାଳର ଗୋପାଳ ଲଉଡ଼ି, ଖୋର୍ଧାର ପାଇକ ଆଖଡ଼ା, କଟକର ଢଣକୋଏଲା ଏବଂ ପୁରୀର ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲା।
ନାଚ ଦେଖିଲେ, ଫଟୋ ଉଠେଇଲେ ନବୀନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଦିନିଆ ଲୋକକଳା ମହୋତ୍ସବକୁ ଉଦ୍ଘାଟନ କରିବା ପରେ ଆଜି ପ୍ରଥମଥର ପାଇଁ ଲୋକନୃତ୍ୟ ବସି ଦେଖିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ସବୁବେଳେ ଭାଷଣ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପୂର୍ବରୁ ଫେରି ଯାଉଥିବା ମୁଖ୍ୟମନ୍ତ୍ରୀ ଆଜି ନିଜେ ଭାଷଣ ଦେଇନଥିଲେ। ବରଂ ଉଦ୍ଘାଟନ ପରେ ଏକୁଟିଆ କଳାହାଣ୍ଡିର କଳାକାରଙ୍କ ସହ ଫଟୋ ଉଠାଇଥିଲେ।