ପାରମ୍ପରିକ ନୃତ୍ୟରେ ଦୁଲୁକିବ ଷ୍ଟାଡିୟମ୍‌

କାହା ମୁଣ୍ଡରେ ମୟୂର ପୁଚ୍ଛ ତ କାହା ମୁଣ୍ଡରେ ଜଙ୍ଗଲୀ ଗାଈର ଶିଙ୍ଘ।  ପୁଣି କେହି ଜଙ୍ଗଲୀ ବେଶରେ ସଜେଇ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ  କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବରେ  ଦେଖିବାକୁ ମିଳିବ ଏଭଳି ଝଲକ। ଭାରତର ବିଭିନ୍ନ ରାଜ୍ୟର କଳା, ସଂସ୍କୃତି, ପାରମ୍ପରିକ ତଥା ପ୍ରସିଦ୍ଧ ନୃତ୍ୟକୁ ନେଇ କଳାକାରମାନେ ନୃତ୍ୟ ପରିବେଷଣ କରିବେ। ଏଥିପାଇଁ ବିଭିନ୍ନ ରାଜ୍ୟରୁ ଆସିଥିବା କଳାକାର କଳା ପ୍ରଦର୍ଶନ ପାଇଁ ଜୋରସୋର୍‌ରେ ଲାଗିପଡ଼ିଛନ୍ତି। ପ୍ରସ୍ତୁତି ଏକ ପ୍ରକାର ଚୂଡ଼ାନ୍ତ ହୋଇଛି।

ଗାଦ୍‌ବା ନୃତ୍ୟ: ଗାଦ୍‌ବା ହେଉଛି କୋରାପୁଟ୍‌ ଜିଲ୍ଲାର ପାରମ୍ପରିକ ନୃତ୍ୟ।  କୋରାପୁଟ୍‌ରୁ ଆସିଥିବା ଏକ ୪୫ ଜଣିଆ ମହିଳା ଟିମ୍‌ ଏହି ନୃତ୍ୟକୁ ପରିବେଷଣ କରିବେ। ଗତ ୨୧ ତାରିଖରୁ ଆଜି ପର୍ଯ୍ୟନ୍ତ  ର୍ଶକଙ୍କ ମନଜିଣିବା ପାଇଁ ଅଭ୍ୟାସ ଜାରି ରଖିଛନ୍ତି।

ଆଫ୍ରିକାନ୍‌‌ ଲୋକନୃତ୍ୟ: ଆଫ୍ରିକାନ୍‌ ଲୋକନୃତ୍ୟ। ନାମଟି ଆଫ୍ରିକାନ୍‌, ହେଲେ ଏହା ଗୁଜୁରାଟ୍‌ ଅନୁସୂଚିତ ଜନଜାତି ଲୋକଙ୍କ ପାରମ୍ପରିକ ନୃତ୍ୟ। ସେଠାରୁ ଆସିଥିବା ୨୪ ଜଣିଆ ଟିମ୍‌ ଏହି ନୃତ୍ୟକୁ ପରିବେଷଣ କରିବେ। ୫ ଦିନର ଲଗାତାର ଅଭ୍ୟାସ ପରେ ଜଙ୍ଗଲୀ ବେଶରେ ସଜ୍ଜିତ ହୋଇଥିବା ଏହି କଳାକାରମାନେ ମଞ୍ଚରେ ପ୍ରଦର୍ଶନ କରିବେ ଏହି ପାରମ୍ପରିକ ନୃତ୍ୟ।

ବାହୁବଳୀ ଘୁଷାଡ଼ି ନୃତ୍ୟ: ବାହୁବଳୀ ଘୁଷାଡ଼ି ତେ‌ଲେଙ୍ଗାନାର ପ୍ରସିଦ୍ଧ ନୃତ୍ୟ।  ଏ‌ହାକୁ ପରିବେଷଣ କରିବେ ତେଲେଙ୍ଗାନା ଆଦିଲାବାଦ ଜିଲ୍ଲାର ୩୦ କଳାକାର।  ଏହି ନୃତ୍ୟକୁ ପରିବେଷଣ ପାଇଁ ଗତ ୬ଦିନ ହେବ କଳାକାରମାନେ ଅଭ୍ୟାସ ଜାରି ରଖିଛନ୍ତି।

ଗୌରମାଡ଼ିଆ ନୃତ୍ୟ: ଏହି ନୃତ୍ୟ ଛତିଶଗଡ଼ର ପ୍ରସିଦ୍ଧ ନୃତ୍ୟ। କଳାକାରମାନେ ମୁଣ୍ଡରେ ମୟୂର ପୁଚ୍ଛ ଲାଗିଥିବା ଜଙ୍ଗଲୀ ଗାଈ ଶିଙ୍ଘରେ ସୁସଜ୍ଜିତ ମୁଖା ସାଙ୍ଗକୁ ବେକରେ ‌ଢୋଲ ଝୁଲାଇ ନୃତ୍ୟ ପରିବେଷଣ କରିବେ। ତେବେ ଛତିଶଗଡ଼ରୁ ଆସିଥିବା ମହିଳା ଓ ପୁରୁଷଙ୍କ ଏକ ୩୦ ଜଣିଆ ଟିମ୍‌ ୫ ଦିନର  ଅଭ୍ୟାସ ପରେ ମଞ୍ଚରେ ପରିବେଷଣ କରିବେ ଏହି ନୃତ୍ୟ।

ଜେଲିୟାଂରଙ୍ଗ ନୃତ୍ୟ: ଏହା ନାଗା ସମ୍ପ୍ରଦାୟର ଏକ ଲୋକନୃତ୍ୟ। ମଣିପୁର, ଆସାମ ଓ ନାଗାଲାଣ୍ଡର ନାଗା ସମ୍ପ୍ରଦାୟର ଲୋକମାନେ ଏହି ନୃତ୍ୟରେ ପାରଙ୍ଗମ। ସେମାନଙ୍କ ଏହି ଲୋକ ନୃତ୍ୟ ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ। ସେଠାରୁ ଆସିଥିବା ଏକ ୩୦ ଜଣିଆ ଟିମ୍‌ ଦୁଇଟି ଭାଗରେ ଏହି ନୃତ୍ୟ ପରିବେଷଣ କରିବେ। ୬ଦିନ ଅଭ୍ୟାସ ପରେ ପାରମ୍ପରିକ ବେଶରେ ମଞ୍ଚରେ ପରିବେଷଣ କରିବେ ଏହି ନୃତ୍ୟ।

ଭବାଇ ନୃତ୍ୟ: ରାଜସ୍ଥାନର ପ୍ରସିଦ୍ଧ ଏହି ନୃତ୍ୟକୁ ପରିବେଷଣ କରିବେ ୧୫ କଳାକାର।  ୭ଦିନର ଅଭ୍ୟାସ ପରେ ମଞ୍ଚରେ ପରିବେଷଣ କରିବେ ଏହି ନୃତ୍ୟ।

ସମ୍ବନ୍ଧିତ ଖବର