ଭୁବନେଶ୍ୱର: ରାୟଗଡ଼ାର ଆଦିବାସୀ ନୃତ୍ୟ, ଫୁଲବାଣୀର କୁଇ ନୃତ୍ୟ ଓ ଖୋର୍ଧାର ପାଇକ ଆଖଡ଼ାରେ ଦୁଲୁକିଥିଲା ମଞ୍ଚ। ହସ୍ତତନ୍ତ ବସ୍ତ୍ର ପିନ୍ଧି ଉତ୍କଳୀୟ କଳାର ପ୍ରଦର୍ଶନ କରିଥିଲେ ମଡେଲମାନେ। ବିଭିନ୍ନ ଲୋକକଳାର ପ୍ରଦର୍ଶନ ଓଡ଼ିଶାର ସମୃଦ୍ଧ ସଂସ୍କୃତିର ଗାଥା ଗାଇଥିଲା। ଅବସର ଥିଲା ‘କଳାଞ୍ଜଳି ଆଟିଷ୍ଟ୍ରି ଟ୍ରଷ୍ଟ’ ପକ୍ଷରୁ ଓଡ଼ିଶା ସରକାର ଓ ଇଭୋସ୍ ବିଲ୍ଡକନ୍ର ମିଳିତ ସହଯୋଗରେ ଉତ୍କଳ ମଣ୍ଡପଠାରେ ଆୟୋଜିତ ‘ଲୋକ ମହୋତ୍ସବ’ର ଉଦ୍ଯାପନୀ ସଂଧ୍ୟା। ସନ୍ଧ୍ୟାରେ ଉଦ୍ଘାଟକ ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗଦେଇ କହିଲେ, ଲୋକକଳା ମାଧ୍ୟମରେ ଆମେ ପ୍ରଭୁ ଜଗନ୍ନାଥଙ୍କୁ ମନେ ପକାଉ। ଆଦିବାସୀ ବାଳକ/ବାଳିକାମାନେ ନୃତ୍ୟ କଲେ, ସତେ ଯେମିତି ସ୍ବୟଂ ନଟରାଜ ନୃତ୍ୟ କରୁଛନ୍ତି; ସେହିଭଳି ପ୍ରତୀତ ହୁଏ। ଜଗନ୍ନାଥଙ୍କ ଭୂମିରେ ପ୍ରତିଦିନ ଆମେ କଳା ସଂସ୍କୃତି ଦେଖିବାକୁ ପାଉଛୁ। ଯାହାକି ଓଡ଼ିଶାର ନାମକୁ ଆଗକୁ ନେଉଛି ବୋଲି ରାଜ୍ୟପାଳ କହିଥିଲେ।
ଆଜିର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ସାଂସଦ ଅମର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିଧାୟକ ବିକ୍ରମ କୁମାର ପଣ୍ଡା, ବିଏମ୍ସି କମିସନର ବିଜୟ ଅମୃତା କୁଲାଙ୍ଗେ, କାଜୁବୋର୍ଡ ଅଧ୍ୟକ୍ଷ ସୁବାସ ମହାରଣା, ଇଭୋସ୍ ବିଲ୍ଡକନ୍ର ପରିଚାଳନା ନିର୍ଦ୍ଦେଶକ କଳିଙ୍ଗ କେଶରୀ ରଥ, ହିଲ୍ ଦ ୱାର୍ଲ୍ଡର ପ୍ରତିଷ୍ଠାତା ସି.ପି ସୋନୀ, ଭାରତୀୟ ସ୍ୱର୍ଣ୍ଣକର ସଂଘର ଅଧ୍ୟକ୍ଷ ଓ.ପି. ସୋନୀ, କଳାଞ୍ଜଳି ଆଟିଷ୍ଟ୍ରି ଟ୍ରଷ୍ଟର ସଭାପତି ପ୍ରଫେସର ବାଇ ଲଡ଼ୁ ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
କଳାଞ୍ଜଳି ଆଟିଷ୍ଟ୍ରି ଟ୍ରଷ୍ଟ ପକ୍ଷରୁ ଲୋକକଳାର ବିକାଶ ନିମନ୍ତେ ବିଭିନ୍ନ ପଦକ୍ଷେପମାନ ହାତକୁ ନିଆଯାଇଛି।
ଲୋକକଳାର ପ୍ରଚାର ଓ ପ୍ରସାର ନିମନ୍ତେ ଅନୁଷ୍ଠାନ ପକ୍ଷରୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯିବ ବୋଲି ଟ୍ରଷ୍ଟର ପ୍ରତିଷ୍ଠାତା ରାମେଶ୍ୱରୀ ନନ୍ଦ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମର ଦ୍ୱିତୀୟ ସଂନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଯେଉଁଥିରେ ରାୟଗଡ଼ାର ଆଦିବାସୀ ନୃତ୍ୟ, ଫୁଲବାଣୀର କୁଇ ନୃତ୍ୟ, ସୁରଭି ଲେଡିଜ୍ ଗ୍ରୁପ୍ ପକ୍ଷରୁ ହସ୍ତତନ୍ତ ରୢାମ୍ପ ସୋ’, କଳିଙ୍ଗ ପାଇକ କ୍ରିଏସନ୍ ପକ୍ଷରୁ ପାଇକ ଆଖଡ଼ା, ମା’ ଓ ଶିଶୁ ରୢାମ୍ପ ସୋ, ଆରାଧ୍ୟା ଡ୍ୟାନ୍ସ ଏକାଡେମି ପକ୍ଷରୁ ଝୁମର୍, ଡିଏସ୍ଆର୍ ଡ୍ୟାନ୍ସ (ଛତ୍ରପୁର) ପକ୍ଷରୁ ତାଣ୍ଡବ ନୃତ୍ୟ, ଖେମୁଣ୍ଡି ଲୋକକଳା ଏକାଡେମି ପକ୍ଷରୁ କଣ୍ଢେଇ ନାଚ, ବିଚିତ୍ର ବର୍ଣ୍ଣାଳୀ ନୃତ୍ୟ ସଂସଦ ପକ୍ଷରୁ ପଶୁମୁଖା ନୃତ୍ୟ ଆଦି ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମରେ ଟ୍ରଷ୍ଟର କୋଷାଧ୍ୟକ୍ଷ ଅର୍ଦ୍ଧେନ୍ଦୁ ଶେଖର ପାଣିଗ୍ରାହୀଙ୍କ ସହ କଳାଞ୍ଜଳି ଟ୍ରଷ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।