ସାମାଜିକ ଦୂରତା ମାନିଲେ, ନିରାଡ଼ମ୍ବର ଭାବେ ପାଳନ ହେଲା ଉତ୍ସବ

ଚନ୍ଦ୍ରଶେଖରପୁର: ବହୁ ବର୍ଷର ପାରମ୍ପରିକ ଦଣ୍ଡଯାତ୍ରା ଓ ଝାମୁଯାତ୍ରା ଚଳିତ ବର୍ଷ କରୋନା ମହାମାରୀ ପାଇଁ ବନ୍ଦ ହୋଇଯାଇଛି। ସାରା ରାଜ୍ୟରେ ଲକ୍‌ଡାଉନ ବଳବତ୍ତର ଥିବା ବେଳେ ଆଜି ବିଭିନ୍ନ ଦଣ୍ଡଯାତ୍ରା ଓ ଝାମୁଯାତ୍ରା କମିଟି ପକ୍ଷରୁ ସମସ୍ତ ପ୍ରକାର ଉତ୍ସବକୁ ବାତିଲ କରି ଦିଆଯାଇଛି। ମାତ୍ର ମା’ଙ୍କ ପୀଠରେ ପାରମ୍ପରିକ ରୀତିନୀତି ଅନୁଯାୟୀ, ପୂଜକଙ୍କ ଦ୍ବାରା ସକାଳେ ପାଣି ତୋଳାଯାଇ ପୀଠ ସ୍ଥାପନା ପୂଜା ଓ ମା’ଙ୍କ ସ୍ନାନ କରାଯାଇଥିଲା। ଏହି କାର୍ଯ୍ୟରେ ୩ଜଣ ଦଣ୍ଡୁଆ ଯୋଗ ଦେଇଥିଲେ। ପରେ ଦୁଇ ଜଣ କାଳିସୀ ନୂଆ ଲୁଗା ପିନ୍ଧି ପାଦରେ ଆଳତା ଓ ଦଣ୍ଡ ଧରି ହୋମ ଯଜ୍ଞରେ ଯୋଗ ଦେଇଥିଲେ। ରଙ୍ଗମାଟିଆ ମା’ ବାସୁଳାଇ ପୀଠର ମୁଖ୍ୟ କାଳିସୀ ଭଗବାନ ମହାରଣା ହୋମଯଜ୍ଞରେ କର୍ତ୍ତା ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟତମ କ‌ାଳିସୀ ଛବୀନ୍ଦ୍ର ଜେନା, ରବି ସାମଲ ଓ କାଳିଆ ବେହେରା ପ୍ରମୁଖ ଭାଗ ନେଇଥିଲେ। ଏହି ସମୟରେ ସମସ୍ତେ ମୁହଁରେ ଗାମୁଛା ବାନ୍ଧି ସାମାଜିକ ଦୂରତା ରକ୍ଷାକରି ଉତ୍ସବକୁ ନିରାଡ଼ମ୍ବର ଭାବେ ପାଳନ କରିଥିଲେ।

ପ୍ରତିବର୍ଷ ଏହି ଯାତ୍ରାରେ ଶହ ଶହ ଲୋକ ସାମିଲ ହେଉଥିବା ବେଳେ ଚଳିତ ବର୍ଷ କରୋନା ପାଇଁ ଯାତ୍ରା ଫିକା ପଡ଼ିଥିଲା। ଏପରିକି ଗ୍ରାମରେ ପଣା ମଧ୍ୟ ବଣ୍ଟାଯାଇନଥିଲା। କେବେଳ ଦଣ୍ଡୁଆମାନେ ଦଣ୍ଡ ପୂଜାକରି ଅଘୋର‌ତପ କୁଣ୍ଡରେ ଯଜ୍ଞ କରିଥିଲେ। ପରେ କାଳିସୀମାନେ ଦଣ୍ଡରେ ଅଗ୍ନି ସଂଯୋଗ କରି ଆକାଶ ମାର୍ଗକୁ ଝୁଣାମାରି ଯାତ୍ରା ଯଜ୍ଞର ପୂର୍ଣ୍ଣହୁତି ଦେଇଥିଲେ।
ଅନ୍ୟପକ୍ଷରେ କଳାଝରୀ ଓସ୍ତପଡ଼ା ଗ୍ରାମରେ ମଧ୍ୟ ସେହିଭଳି ଦଣ୍ଡାଯାତ୍ରାକୁ ବନ୍ଦ ରଖାଯାଇଥିଲା। ଗ୍ରାମର ବାଟଭୁଆଶୁଣି ପୀଠ ମୁଖ୍ୟ କାଳିସୀ ରୋହିତ ସାମଲ ହୋମରେ କର୍ତାଭାବେ ଯୋଗ ଦେଇଥିଲେ। ମାତ୍ର ୪ଜଣ ଦଣ୍ଡୁଆ ଏହି ଯଜ୍ଞରେ ସାମିଲ ହୋଇ ସକାଳେ ପାଣି ତୋଳିଥିଲେ। ଗାଡ଼କଣ, ପଟିଆ ଓ କଳାରାହାଙ୍ଗରେ ମଧ୍ୟ ନିରାଡ଼ମ୍ବରରେ ଦଣ୍ଡଯାତ୍ରା ଓ ଝାମୁଯାତ୍ରା ପାଳିତ ହୋଇଛି। ବନଦୁର୍ଗା କାଳିସୀ ଭଗବାନ ମହାରଣାଙ୍କ କହିବା ଅନୁଯାୟୀ ସବୁ ଯୁଗରେ ପାପ ଉପରେ ଅଗ୍ନିର ଦମନ ଲୀଳା ରହିଛି। ରାବଣର ଲଙ୍କା ପୁରୀ ଅଗ୍ନିରେ ଛାରଖାର ହୋଇଥିଲା। ସେହିଭଳି କଳିଯୁଗରେ କରୋନା ମଧ୍ୟ ଅଗ୍ନି ଶିଖାରେ ଦମନ ହେବ ଓ ଭାରତ କରୋନା ମହାମାରୀରୁ ମୁକ୍ତି ପାଇବ।

ସମ୍ବନ୍ଧିତ ଖବର