ଆକ୍ରମଣ ପରେ ପଶ୍ଚାତାପରେ କ୍ୟାପିଟାଲ ହସ୍ପିଟାଲକୁ ଯାଇ ମା’କୁ ଖୋଜିଥିଲା ହତ୍ୟାକାରୀ ପୁଅ; ସିସିଟିଭିରେ କଏଦ ପୂରା ଦୃଶ୍ୟ

ଭୁବନେଶ୍ବରରେ ଦୁଇ ନାବାଳକ ପୁଅ ମା’କୁ ହତ୍ୟା କରିବା ଘଟଣା

ଭୁବନେଶ୍ବର:  ରାଜଧାନୀର ସୁନ୍ଦରପଦା ଅଂଚଳରେ ମାଆକୁ ଦୁଇ ପୁଅ ହତ୍ୟା କରିବା ଘଟଣାରେ ସାମ୍ନାକୁ ଆସିଲା ହତ୍ୟାକାରୀ ପୁଅର ସିସିଟିଭି ଚିତ୍ର । କ୍ୟାପିଟାଲ ହସ୍ପିଟାଲ ଅଂଚଳରୁ ମିଳିଥିବା ସିସିଟିଭି ଚିତ୍ରରେ ଦେଖିବାକୁ ମିଳିଛି, ହତ୍ୟା କରିବା ପରେ ବିନୋଦିନୀଙ୍କ ବଡ ପୁଅ ମଧ୍ୟରାତ୍ରିରେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଜଣଙ୍କ ସହିତ କଥା ହେଉଛି । ସାଇକେଲଷ୍ଟାଣ୍ଡର ଜଣେ ଲୋକଙ୍କୁ ତାଙ୍କ ମାଆଙ୍କ ବିଷୟରେ ପଚାରିଥିବା ଜଣାପଡିଛି । ତାଙ୍କ ମାଆଙ୍କୁ କେଉଁଠି ଆଡମିସନ କରାଯାଇଛି ସେ ବିଷୟରେ ଜାଣିବାକୁ ଉଦ୍ୟମ କରିଥିଲା ବଡ ପୁଅ ।

ହୁଏତ ହତ୍ୟା କରିବା ପରେ ପୁଅ ମନକୁ ଅନୁତାପ ଆସିଛି ଏବଂ ସେ ମାଆକୁ ଖୋଜି ଡାକ୍ତରଖାନା ଆସିଛି ବୋଲି ଅନୁମାନ କରାଯାଉଛି । ସୂଚନା ଅନୁସାରେ ମାଆ ବିନୋଦିନୀଙ୍କୁ କେହି ଆକ୍ରମଣ କରିଥିବା ନେଇ ତାଙ୍କର ବଡ ପୁଅ ମଧ୍ୟରାତ୍ରିରେ ତାଙ୍କର ପଡୋଶୀ ପରଭେଜ୍ ଆଲମଙ୍କ ପାଖକୁ ଫୋନ୍ କରିଥିଲା । ଏହା ପରେ ତାର ଫୋନ୍ ସୁଇଚ୍ ଅଫ୍ ଆସିଥିଲା । ଘଟଣା ଜାଣିବା ପାଇଁ ଆଲମ ଯେତେବେଳେ ବିନୋଦିନୀଙ୍କ ଘରେ ପହଞ୍ଚିଥିଲେ ତ ସ୍ତବ୍ଧ ହୋଇଯାଇଥିଲେ । ଡାଇନିଂ ରୁମରୁ ରକ୍ତ ଧାର ଛୁଟିଥିଲା ବାଥରୁମ୍ ଯାଏଁ । ବାଥରୁମରେ ପଡିଥିଲା ରକ୍ତ ଜୁଡୁବୁଡୁ ମୃତଦେହ । ପୁଲିସ ଏହାକୁ ନେଇ ତଦନ୍ତ ଆରମ୍ଭ କଲା। ପରଭେଜ୍ ଆଲମଙ୍କ ପାଖକୁ ଆସିଥିବା ଫୋନ୍ ନମ୍ବରରୁ ଆରମ୍ଭ ହେଲା ଖୋଳତାଡ ।

ଜଣାପଡିିଲା ସେହି ନମ୍ବରଟି କ୍ୟାପିଟାଲ ହସ୍ପିଟାଲର ସାଇକେଲ ଷ୍ଟାଣ୍ଡର ଜଣେ କର୍ମଚାରୀଙ୍କର । ପୁଲିସ ସେଠାରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ପରେ ବିନୋଦିନୀଙ୍କ ବଡ ପୁଅକୁ ଦେଖିବାକୁ ମିଳିଥିଲା  । ସେଠାରୁ ସେ ଚାଲି ଯାଇଥିଲା । ଏହା ପରେ ପୁଲିସର ୩ଟି ଟିମ୍ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଭୁବନେଶ୍ୱର ରେଲଷ୍ଟେସନ ନିକଟରୁ ଦୁଇ ଭାଇଙ୍କୁ ଠାବ କରିଥିଲା । ପଚରାଉଚରା ପରେ ହତ୍ୟାକାଣ୍ଡ ବିଷୟରେ ଦୁଇ ପୁଅ କହିଛନ୍ତି , ଭୋକରେ ଆଉଟୁପାଉଟୁ ହୋଇ ଦୁଇ ଭାଇ ଥିଲେ । କିନ୍ତୁ ପ୍ରଚୁର ମଦ ପିଇ ମାଆ ବିନୋଦିନୀ ତାଙ୍କୁ ମାଡ ମାରିଥିଲେ । ଏହା ପରେ, ରାଗରେ ଆସି ସେମାନେ ମିଶି ହତ୍ୟା କରିଛନ୍ତି । କିନ୍ତୁ ପ୍ରକୃତରେ  କ’ଣ ଘଟଣା ଘଟିଛି ଏବଂ ସେମାନେ କାହିଁକି ହତ୍ୟାକାଣ୍ଡ ଘଟାଇଛନ୍ତି ସେ ସଂକ୍ରାନ୍ତରେ ପୁଲିସ ତଦନ୍ତ ଜାରି ରହିଛି ।

ସମ୍ବନ୍ଧିତ ଖବର