ଇଏ କେମିତିଆ କୁକୁର ପ୍ରେମ : ୫ ପ୍ୟାକେଟ୍ ବିସ୍କୁଟ୍ ବାଣ୍ଟିବାକୁ୧୦ ଜଣ
ରାତିରେ ଗାଡ଼ି ଧରି ବୁଲିବାର ନୂଆ ବାହାନା
ଭୁବନେଶ୍ବର : ଦିନ ବେଳା ପୁଲିସ ଚେକିଂରେ ଧରା ପଡ଼ି ଯାଉଛନ୍ତି। ପୁଲିସକୁ ଫାଙ୍କି ପାରୁ ନାହାନ୍ତି। କିନ୍ତୁ ରାତି ହେଲେ ବାଇକ୍, କାର୍ ଧରି ରାଜଧାନୀ ରାଜରାସ୍ତାକୁ ବାହାରି ପଡ଼ୁଛନ୍ତି କିଛି ଯୁବକ। ସହର ଭିତରେ ଯୁଆଡ଼େ ଇଚ୍ଛା ବୁଲୁଛନ୍ତି। ଯଦି ପୁଲିସ ହାବୁଡ଼ରେ ପଡ଼ିଲେ, ତାହା ହେଲେ ସେବା ଭାବ ଦେଖାଇ ପୁଲିସକୁ ବି ମନାଇ ଦେଉଛନ୍ତି। ହାତରେ କିଛି ବିସ୍କୁଟ୍ ପ୍ୟାକେଟ୍ ଧରି କୁକୁରଙ୍କୁ ଖାଇବାକୁ ଦେବାକୁ ଯାଉଥିବା କହୁଛନ୍ତି। ଏପରିକି ମାତ୍ର ୫ ପ୍ୟାକେଟ୍ ବିସ୍କୁଟ ଧରି ଦୁଇ ତିନୋଟି ଗାଡ଼ିରେ ପ୍ରାୟ ୧୦ଜଣ ଯାଉଥିବା ଦେଖିବାକୁ ମିଳୁଛି। ପୁଲିସ ସେମାନଙ୍କ ଫନ୍ଦିଫିକରକୁ ବୁଝିପାରୁନି। ନୂଆ ବାହାନାକୁ ମଧ୍ୟ ଧରି ପାରୁନି। ଲକଡାଉନ୍ ପରଠାରୁ ଦୋକାନବଜାର ବନ୍ଦ ହୋଇଯାଇଥିବାରୁ ସହରରେ ବୁଲୁଥିବା ଜୀବଜନ୍ତୁଙ୍କୁ ଖାଦ୍ୟ ଦେବାକୁ ଆଗେଇ ଆସୁଛନ୍ତି ସ୍ବେଚ୍ଛାସେବୀ। ଅଧିକାଂଶ ସ୍ବେଚ୍ଛାସେବୀ ଦିନ ବେଳା ଖାଦ୍ୟ ଯୋଗାଉଥିବା ବେଳେ ରାତିରେ ଅଳ୍ପ କିଛି ସ୍ବେଚ୍ଛାସେବୀ ଜୀବଜନ୍ତୁଙ୍କୁ ଖାଦ୍ୟ ଦେଉଛନ୍ତି। ବିଶେଷକରି କୁକୁରକୁ ଖାଦ୍ୟ ଯୋଗାଉଥିବା ଦେଖିବାକୁ ମିଳୁଛି। କିନ୍ତୁ ପୁଲିସ ନଜରରୁ ବର୍ତ୍ତିବା ପାଇଁ କିଛି ଯୁବକ ଏବେ ଏଭଳି ବାହାନାକୁ ଆପଣେଇ ନେଇଛନ୍ତି।
କରୋନାକୁ ମୁକାବିଲା କରିବାକୁ ହେଲେ ସାମାଜିକ ଦୂରତ୍ବ ଓ ଲକଡାଉନ୍ ନିୟମକୁ ପାଳନ କରି ଘରେ ରହିବା ସବୁଠୁ ବଡ଼ ଅସ୍ତ୍ର। କିନ୍ତୁ ଏହାକୁ କିଛି ଯୁବକ ମାନୁ ନାହନ୍ତି। ଅମାନିଆ ହୋଇ ରାଜରାସ୍ତାରେ ବିନା କାରଣରେ ବୁଲୁଛନ୍ତି। ଯେଉଁମାନେ ଆଗକୁ ବିପଦ ହୋଇପାରନ୍ତି। ଦୁଇ ଦିନ ତଳେ କଳ୍ପନା ଛକ ନିକଟରେ ପ୍ରାୟ ୮ଜଣ ଯୁବକ ବାଇକ୍ ଓ କାରରେ କୁକୁରକୁ ଖାଦ୍ୟ ଦେଉଥିବା ଦେଖିବାକୁ ମିଳିଥିଲା। ହାତରେ ମାତ୍ର ତିନି ଚାରି ପ୍ୟାକେଟ୍ ବିସ୍କୁଟ ଥିବା ଦେଖିବାକୁ ମିଳିଥିଲା। ସେହିପରି ରସୁଲଗଡ଼ରେ ମଧ୍ୟ କିଛି ଯୁବକ ହାତରେ ବିସ୍କୁଟ ପ୍ୟାକେଟ ଧରି ବୁଲୁଥିବା ନଜରକୁ ଆସିଥିଲା। ବିସ୍କୁଟ ପ୍ୟାକେଟ୍ ଦେଖାଇ ରାଜଧାନୀ ରାସ୍ତାରେ ବୁଲିବା ଏହି ଯୁବକମାନଙ୍କ ପାଇଁ ସଉକ ପାଲଟି ଯାଇଛି। ବୁଲା କୁକୁର, ଗୋରୁଙ୍କ ପାଇଁ ରାଜ୍ୟ ସରକାର ଖାଦ୍ୟର ବ୍ୟବସ୍ଥା କରି ସାରିଛନ୍ତି। ପୁଲିସ କାର୍ଯ୍ୟାନୁଷ୍ଠାନ ଅପେକ୍ଷା ନିଜ ସଚେତନ ହେବାର ଯଥେଷ୍ଟ ଆବଶ୍ୟକତା ରହିଛି। ଏପରି ବୁଲିଲେ ନିଜେ ଅସୁବିଧାର ପଡ଼ିବା ସହ ଅନ୍ୟମାନଙ୍କୁ ବିପଦରେ ପକାଇବାର ଆଶଙ୍କା ରହିଛି। କିଛି ନିଶାସକ୍ତ ଯୁବକ ରାତି ହେଲେ ବାହାରୁଛନ୍ତି। ଚୋରା ମଦ, ଗଞ୍ଜେଇ ଓ ବ୍ରାଉନସୁଗାର କିଣିବା ପାଇଁ ଘୂରି ବୁଲୁଛନ୍ତି।