ଭୁବନେଶ୍ୱର: ଖାଇବା ପାଇଁ ଟାଣ ଖରାରେ ଠିଆ ହେବାକୁ ପଡ଼ୁଛି ପ୍ରାୟ ଏକ ଘଣ୍ଟା। କିଏ ମୁଣ୍ଡରେ ଓଦା ଗାମୁଛା ପକେଇ ଠିଆ ହୋଇଛି ତ କିଏ ଛତା ଧରି। ସ୍ଥାନ ଛାଡ଼ି ଦେଲେ ଆଉ କିଏ ଠିଆ ହୋଇଯିବ ବୋଲି ବାଧ୍ୟରେ ସେହି ଲାଇନ୍ରେ ହିଁ ବସି ଯାଉଛନ୍ତି ଲୋକେ। ଏଭଳି କିଛି ଦେଖିବାକୁ ମିଳିଛି ରାଜ୍ୟ ସଂଗ୍ରହାଳୟ ସମ୍ମୁଖରେ ଥିବା ଆହାର କେନ୍ଦ୍ରରେ। ପାଞ୍ଚ ଟଙ୍କାରେ ପେଟପୂରା ଖାଇବାକୁ ମିଳୁଥିବାରୁ ଆହାର କେନ୍ଦ୍ରଗୁଡ଼ିକରେ ଭିଡ଼ ବଢ଼ୁଛି। କିନ୍ତୁ କେନ୍ଦ୍ରଗୁଡ଼ିକର ଅବ୍ୟବସ୍ଥା ଲୋକଙ୍କୁ ବ୍ୟଥିତ କରୁଛି। ଆହାର କେନ୍ଦ୍ରରେ ଲାଗିଥିବା ବୋର୍ଡରେ ପୂର୍ବାହ୍ନ ୧୧ଟାରୁ ୩ଟା ଯାଏଁ ଆହାର ମିଳିବ ବୋଲି ଲେଖାଯାଇଛି। ହେଲେ କେଉଁଦିନ ଅଧ ଘଣ୍ଟା ତ କେଉଁଦିନ ଘଣ୍ଟାଏ ବିଳମ୍ବରେ କେନ୍ଦ୍ର ଖୋଲୁଥିବା ଲୋକେ ଅଭିଯୋଗ କରୁଛନ୍ତି।
ରାଜ୍ୟ ସଂଗ୍ରହାଳୟ ଛକରେ ଥିବା ଏହି ଆହାର କେନ୍ଦ୍ରରେ ପ୍ରତିଦିନ ଦିନ ୧୧ଟା ପୂର୍ବରୁ ଭିଡ଼ ଜମେ। ପ୍ରତିଦିନ ପ୍ରାୟ ୮୦୦ ଲୋକ ଏହି କେନ୍ଦ୍ରରେ ଭୋଜନ କରିଥାନ୍ତି। କେନ୍ଦ୍ରର ପରିଚାଳନା ଦାୟିତ୍ୱ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦିଆଯାଇଛି। ଗୋଷ୍ଠୀର ପ୍ରାୟ ୧୦ ଜଣ ସଦସ୍ୟ ଏଥିରେ କାର୍ଯ୍ୟ କରୁଛନ୍ତି। ଖାଦ୍ୟ ଆଣିବା ପାଇଁ ବିଏମ୍ସିର ସ୍ୱତନ୍ତ୍ର ଗାଡ଼ି ଥିବା ସତ୍ତ୍ୱେ ଖାଦ୍ୟ ଆଣିବାରେ ବିଳମ୍ୱ ହେଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ ଆହାର କେନ୍ଦ୍ରରେ ଡିସ୍ ୱାସର୍ ନାହିଁ। ଫଳରେ ଆହାର କେନ୍ଦ୍ର ପରିଚାଳନା ଦାୟିତ୍ବରେ ଥିବା ମହିଳା ସ୍ବୟଂସହାୟିକା ଗୋଷ୍ଠୀର ସଦସ୍ୟାମାନେ ଥାଳି ସବୁକୁ ହାତରେ ଧୋଉଛନ୍ତି।
ଡିସ୍ ୱାସର ବ୍ୟବସ୍ଥାରେ ଥାଳିଗୁଡ଼ିକୁ ଗରମ ପାଣିରେ ଭଲଭାବେ ଧୋଇବା କଥା। ଏହା ମଧ୍ୟ ଆହାର କେନ୍ଦ୍ରର ନିୟମ। କିନ୍ତୁ ମହିଳା ଗୋଷ୍ଠୀର ସଦସ୍ୟାମାନେ ଡିଟର୍ଜେଣ୍ଟ୍ ବ୍ୟବହାର କରି ଧୋଉଛନ୍ତି। ସେହିପରି କେନ୍ଦ୍ରରେ ଲାଗିଥିବା ଦୁଇଟି ଟିଭି ମଧ୍ୟ ଅଚଳ। ଏପରିକି ସିସିଟିଭି ମଧ୍ୟ କାମ କରୁନାହିଁ। ତେବେ ଏନେଇ ପରିଚାଳନା ଦାୟିତ୍ୱରେ ଥିବା ନୋଡାଲ ଅଫିସରଙ୍କ କହିବା କଥା, ବେଳେବେଳେ ଟ୍ରାଫିକ୍ ସମସ୍ୟା ଯୋଗୁ କେନ୍ଦ୍ରରେ ଖାଦ୍ୟ ପହଞ୍ଚିବା ବିଳମ୍ବ ହେଉଛି। ଡିସ୍ ଵାସର ପାଇଁ ବରାଦ ଦିଆଯାଇଛି ଖୁବ୍ଶୀଘ୍ର ଏହା ଆସିଯିବ ବୋଲି ସେ କହିଛନ୍ତି। ସେହିପରି କେନ୍ଦ୍ରରେ ଲାଗିଥିବା ଟିଭିଗୁଡ଼ିକ ମରାମତି କରି ସେଥିରେ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ ବୋଲି ସେ ମତ ଦେଇଛନ୍ତି।