ଚନ୍ଦ୍ରଶେଖରପୁର: ସୈନିକ ସ୍କୁଲ ନିକଟ ଅଳିଆ ଗଦା ତଥା ଟେମ୍ପରାରି ଟ୍ରାଞ୍ଜିଟ୍ ଷ୍ଟେସନ୍(ଟିଟିଏସ୍) ପରିସରରେ ଆହାର କେନ୍ଦ୍ର ଖୋଲିବ। ଦୈନିକ ପାଖାପାଖି ୫୦୦ ଲୋକଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା ହେବ। ସହରର ଅନ୍ୟ ସ୍ଥାନଗୁଡ଼ିକରେ ଥିବା ଆହାର କେନ୍ଦ୍ରରେ ଯେଉଁଭଳି ସୁବିଧା ସୁଯୋଗ ରହିଛି ଏଠାରେ ମଧ୍ୟ ତାହା ଉପଲବ୍ଧ କରାଯିବ। ଆହାର କେନ୍ଦ୍ର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ସ୍ବୟତ୍ତ ଶାସନ ଦିବସ ପାଳନ ଅବସରରେ ଏହାକୁ ଉଦ୍ଘାଟନ କରାଯାଇପାରେ। କେବଳ ସେତିକି ନୁହେଁ, ଟିଟିଏସ୍ ପରିସରରେ ଚା’, ବିସ୍କୁଟ ଷ୍ଟଲ ଖୋଲିବା ଦିଗରେ ମଧ୍ୟ ପଦକ୍ଷେପ ହାତକୁ ନିଆଯାଇଛି। ଷ୍ଟଲକୁ କିଏ ଓ କିଭଳି ପରିଚାଳିତ କରିବେ ସେନେଇ ନିଷ୍ପତ୍ତି ହୋଇ ନ ଥିଲେ ମଧ୍ୟ ବିଏମ୍ସି କମିସନର ଚଞ୍ଜଲ ରାଣା ଆଜି ଟିଟିଏସ୍ ଗସ୍ତ ସମୟରେ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିବା ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ବିଏମ୍ସି କମିସନର ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଶ୍ରୀ ରାଣା ଆଜି ପ୍ରଥମ ଥର ପାଇଁ ଟିଟିଏସ୍ ଗସ୍ତ କରି ସ୍ଥିତି ପରଖିଛନ୍ତି। ଭୁବନେଶ୍ବରରେ ପରିମଳ ପରିଚାଳନା କିପରି ଚାଲିଛି ଏବଂ ଟିଟିଏସ୍ରେ ସହରର ଅଳିଆ କିପରି ପ୍ରକ୍ରିୟାକରଣ ହେଉଛି ତାହାକୁ ଦେଖିଛନ୍ତି। ଗୋଟି ଗୋଟି କରି ପ୍ରତିଟି ବିଷୟ ବୁଝିବା ପରେ ଅଳିଆ ପଡ଼ୁଥିବା ସ୍ଥାନ, ପ୍ରକ୍ରିୟାକରଣ ପାଇଁ ଲାଗିଥିବା ମେସିନ୍, ସେଠାରୁ ବାହାରୁଥିବା ଆବର୍ଜନା ପାଣି ଆଦି ସ୍ଥାନକୁ ଯାଇ ଅନୁଧ୍ୟାନ କରିଛନ୍ତି। ଟିଟିଏସ୍ରୁ ବାହାରୁଥିବା ଆବର୍ଜନା ପାଣି ଯେପରି ଡ୍ରେନ୍ରେ ନ ମିଶିବ ସେଦିଗରେ ପଦକ୍ଷେପ ନେବାକୁ କହିଥିଲେ। ଲିଚେଡ୍ ଟାଙ୍କି ଦ୍ବାରା ଆବର୍ଜନା ପାଣି ସ୍ବଚ୍ଛ ହୋଇ ଡ୍ରେନ୍କୁ ଯିବ। ତେଣୁ କାମ ତ୍ବରାନ୍ବିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଚଳିତ ବର୍ଷ ବିଏମ୍ସି ପକ୍ଷରୁ ଟିଟିଏସ୍ ପରିସରରେ ଦୁଇ ହଜାର ଚାରା ରୋପଣ କରାଯିବ। ଔଷଧୀୟ ଓ ଫଳ ଜାତୀୟ ୬ ଫୁଟିଆ ବୃକ୍ଷରୋପଣ ହେବ, ଯାହାକୁ ପରବର୍ତ୍ତୀ ସମୟରେ ପାର୍କରେ ପରିଣତ କରାଯିବ। ଏବେ ଟିଟିଏସ୍ରେ ଅଳିଆ ହ୍ରାସ ପାଇଛି। ଯେତିକି ଅଳିଆ ଆବର୍ଜନା ଜମା ହୋଇଥିଲା ୬ ମାସ ମଧ୍ୟରେ ୮୦% କମିଯାଇଛି। ଆଉ ଯେତିକି ରହିଛି ତାହାକୁ ନିୟମିତ ଭାବେ ପ୍ରକ୍ରିୟାକରଣ କରାଯାଉଛି। ଟିଟିଏସ୍ରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବାକୁ ଅଧିକ ସଂଖ୍ୟକ ସିସିଟିଭି ଲଗାଯିବାର ଆବଶ୍ୟକତା ରହିଛି। ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ବିଏମ୍ସି ଅଧିକାରୀମାନଙ୍କୁ କୁହାଯାଇଛି। ସ୍ବଚ୍ଛତା ବଜାୟ ରଖାଯିବା ସହ ଡ୍ରେନେଜ୍ କାମ ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ କମିସନର ଶ୍ରୀ ରାଣା ପରାମର୍ଶ ଦେଇଛନ୍ତି।
ସମସ୍ତ ନୀତି ନିୟମ ଅନୁଯାୟୀ ୱିଣ୍ଡ୍ରୋସ୍ ପ୍ରଣାଳୀରେ ଏଠାରେ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ହେଉଛି। ଏନ୍ଜିଟି ନିର୍ଦ୍ଦେଶ ଅନୁଯାୟୀ ୨୦୨୩ ମେ’ ୧୭ରୁ ଭୁଆଶୁଣୀଠାରେ ବର୍ଜ୍ୟବସ୍ତୁ ପକାଇବା ବନ୍ଦ ହୋଇଛି। ବର୍ତ୍ତମାନ ବିଏମ୍ସି ଅଞ୍ଚଳରୁ ଦୈନିକ ୮୦୦ ମେଟ୍ରିକ୍ ଟନ୍ ବର୍ଜ୍ୟ ସଂଗ୍ରହ ହେଉଛି। ଦୈନିକ ଟିଟିଏସ୍ରେ ୫୫୦ ମେଟ୍ରିକ୍ ଟନ୍ରୁ ଅଧିକ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ହେଉଛି। ସେଥିରୁ ପ୍ରାୟ ୩୦୦ ମେଟ୍ରିକ୍ ଟନ୍ ଓଦା ବର୍ଜ୍ୟବସ୍ତୁ ୱିଣ୍ଡ୍ରୋ ପଦ୍ଧତି ମାଧ୍ୟମରେ ପ୍ରକ୍ରିୟାକରଣ ହେଉଥିବା ବିଏମ୍ସି ପକ୍ଷରୁ ଜଣାପଡ଼ିଛି।
ଟିଟିଏସ୍ରେ ଖୋଲିବ ଆହାର କେନ୍ଦ୍ର
ସୈନିକ ସ୍କୁଲ ନିକଟ ଅଳିଆ ଗଦା ତଥା ଟେମ୍ପରାରି ଟ୍ରାଞ୍ଜିଟ୍ ଷ୍ଟେସନ୍(ଟିଟିଏସ୍) ପରିସରରେ ଆହାର କେନ୍ଦ୍ର ଖୋଲିବ। ଦୈନିକ ପାଖାପାଖି ୫୦୦ ଲୋକଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା ହେବ। ସହରର ଅନ୍ୟ ସ୍ଥାନଗୁଡ଼ିକରେ ଥିବା ଆହାର କେନ୍ଦ୍ରରେ ଯେଉଁଭଳି...
/sambad/media/media_files/2025/08/07/untitled-3-2025-08-07-06-30-20.jpg)