କିଟ୍ ଓ କିସ୍‌ ପକ୍ଷରୁ ବୁଲା ପଶୁପକ୍ଷୀଙ୍କୁ ଖାଦ୍ୟ ବଣ୍ଟନ

ଚନ୍ଦ୍ରଶେଖରପୁର: କରୋନା ଯୋଗୁଁ ବିଭିନ୍ନ ହୋଟେଲ୍, ଜଳଖିଆ ଦୋକାନ ଓ ପର୍ଯ୍ୟଟନସ୍ଥଳ ଆଦି ବନ୍ଦ ହୋଇଯାଇଥିବା ଯୋଗୁଁ ଏଗୁଡ଼ିକ ଉପ‌ରେ ଖାଦ୍ୟ ପାଇଁ ନିର୍ଭର କରୁଥିବା ବୁଲା କୁକୁର, ଗୋରୁ, ମାଙ୍କଡ଼ମାନେ ଖାଦ୍ୟ ପାଇ ପାରୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ବୁଲା ପଶୁ ଓ ପାରାଙ୍କୁ ଖାଦ୍ୟ ଯୋଗାଇଦେବା ପାଇଁ କିଟ୍ ଓ କିସ୍‌ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଆଜି କିଟ୍ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ଥାନୀୟ ଶିଖରଚଣ୍ତୀ ପାହାଡ଼ରେ ଥିବା ମାଙ୍କଡ଼ମାନଙ୍କୁ ଖାଦ୍ୟ ପ୍ରଦାନ କରି ଏହାର ଶୁଭାରମ୍ଭ କରିଛନ୍ତି। ଶ୍ରୀ ସାମନ୍ତଙ୍କ ଉଦ୍ୟମରେ ଆଜିଠାରୁ ୨୦ଦିନ ପର୍ଯ୍ୟନ୍ତ ଜୀବଜନ୍ତଙ୍କୁ ଖାଦ୍ୟ ଦିଆଯିବ। ଖଣ୍ତଗିରି, ଉଦୟଗିରି, ଧଉଳିଗିରି, ଶିଖରଚଣ୍ତୀ ସମେତ ନନ୍ଦନକାନନ ଆଳରେ ରହୁଥିବା ମାଙ୍କଡ଼ମାନଙ୍କ ପାଇଁ ଆବଶ୍ୟକ ପରିମାଣର ପନିପରିବା ଦିଆଯିବ। ପ୍ରତ୍ୟେକ ଦିନ କିଟ୍‌ର ଦୁଇଜଣ ଲେଖାଏଁ କର୍ମଚାରୀ ଏହି କାର୍ଯ୍ୟ କରିବେ। ସେହିପରି ବୁଲା କୁକୁର ଓ ଗୋରୁଙ୍କୁ ମଧ୍ୟ ପ୍ରତ୍ୟେକ ଦିନ ରନ୍ଧାଖାଦ୍ୟ ପ୍ରସ୍ତୁତ କରାଯାଇ ଦିଆଯିବ। ରନ୍ଧାଖାଦ୍ୟ ବ୍ୟତୀତ କୁକୁରଙ୍କ ପାଇଁ ବିସ୍କୁଟ୍ ଓ ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ପ୍ରଦାନ କରାଯିବ। ଆସନ୍ତା ରବିବାରଠାରୁ ଭୁବନେଶ୍ବରର ବିଭିନ୍ନ ବସ୍ତିରେ ରହୁଥିବା ଗରିବ ଲୋକ, ଶ୍ରମିକ ଓ ଦିନ ମଜୁରିଆ ଶ୍ରେଣୀର ୪୦ ହଜାର ପରିବାର ଓ ସେମାନଙ୍କ ପିଲାଙ୍କ ପାଇଁ ଚୁଡ଼ା, ଚିନି ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର