ରାଜଧାନୀରେ ଏମିତି ଚାଲିଛି ଖାଦ୍ୟ ଯାଞ୍ଚ, ତାରକା ହୋଟେଲ୍‌ରେ ଚଢ଼ଉକୁ ନା

ଭୁବନେଶ୍ୱର: ରାଜଧାନୀରେ ଖାଦ୍ୟର ମାନ ଯାଞ୍ଚରେ ମନମାନି କରାଯାଉଛି। କିଛି ଛୋଟ ଓ ମଧ୍ୟମଧରଣ ହୋଟେଲ୍‌ରେ ଚଢ଼ଉ ହେଉଥିବା ବେଳେ ତାରକା ହୋଟେଲଗୁଡ଼ିକରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ହାତ ମାରୁ ନାହାନ୍ତି। ଶେଷଥର ପାଇଁ କେବେ ତାରକା ହୋଟେଲରେ ଖାଦ୍ୟ ଯାଞ୍ଚ ହୋଇଥିଲା, ତାହାର ହିସାବ କାହା ପାଖରେ ନାହିଁ। କେଉଁ ଅଦୃଶ୍ୟ ଚାପରେ ତାରକା ହୋଟେଲକୁ ଖାଦ୍ୟ ଯାଞ୍ଚ ପ୍ରକ୍ରିୟାରୁ ବାଦ୍‌ ଦିଆଯାଉଛି, ତାହା ଜଣାପଡ଼ୁନାହିଁ।

ସୂଚନା ଅନୁଯାୟୀ, ରାଜଧାନୀରେ ଛୋଟ ଓ ତାରକା ହୋଟେଲକୁ ମିଶାଇ ୪ ହଜାରରୁ ଅଧିକ ଖାଦ୍ୟ ପ୍ରତିଷ୍ଠାନ ରହିଛି। ଗତ ୬ ମାସ ମଧ୍ୟରେ ଖାଦ୍ୟ ସୁରକ୍ଷା ପକ୍ଷରୁ ରାଜଧାନୀର ୧୬୮ଟି ହୋଟେଲରେ ଚଢ଼ଉ କରାଯାଇଛି। ଏଥିରେ କେବଳ ଛୋଟ ଓ ମଧ୍ୟମଧରଣର ହୋଟେଲ ରହିଛି। ସେହିପରି ନିୟମିତ ଭାବେ ୧୩୦ଟି ହୋଟେଲକୁ ଯାଞ୍ଚ କରାଯାଇଛି। ମାତ୍ର ଏଥିରେ କୌଣସି ତାରକା ହୋଟେଲର ନାଁ ନାହିଁ। ରାଜଧାନୀରେ ୧୨ରୁ ଅଧିକ ତାରକା ହୋଟେଲ ରହିଛି। ମାତ୍ର କେଉଁଭଳି ଭାବେ ସେମାନେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି, ତାହାର ମାନ ଯାଞ୍ଚ ହେଉନାହିଁ। ମଧ୍ୟବିତ୍ତ ବର୍ଗର ଲୋକମାନେ ଅଧିକ ସଂଖ୍ୟାରେ ଛୋଟ ହୋଟେଲ ଉପରେ ନିର୍ଭର କରୁଥିବା ଦର୍ଶାଇ ଅଧିକାରୀମାନେ ତାରକା ହୋଟେଲକୁ ଏକପ୍ରକାର ଅଣଦେଖା କରି ଚାଲିଛନ୍ତି। ଏବେ ବର୍ଷା ଦିନ ଆରମ୍ଭ ହୋଇଥିବା ବେଳେ ଛୋଟ ହୋଟେଲଠାରୁ ଆରମ୍ଭ କରି ତାରକା ହୋଟେଲଗୁଡ଼ିକର ଖାଦ୍ୟ ଯାଞ୍ଚ ଜରୁରୀ ହୋଇପଡ଼ିଛି। ମାତ୍ର ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଯାହାକି ଘଟଣାକୁ ଅଧିକ ରହସ୍ୟ ଭିତରକୁ ଟାଣି ନେଇଛି। ଅପରପକ୍ଷେ ଗତ ୬ ମାସ ମଧ୍ୟରେ ରାଜଧାନୀରେ ୯୩୩ଟି ଖାଦ୍ୟ ପ୍ରତିଷ୍ଠାନ ନୂତନ ଲାଇସେନ୍‌ନ୍ସ ନେଇଥିବା ବେଳେ ୧୬୬ଟି ହୋଟେଲରେ ନବୀକରଣ କରାଯାଇଛି। ସେହିପରି ୧୨ଲକ୍ଷ ଟଙ୍କାରୁ କମ୍‌ ବ୍ୟବସାୟ କରୁଥିବା ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକର ରେଜିଷ୍ଟ୍ରେସନ୍‌ ଆରମ୍ଭ ହୋଇଛି। ଏଥିରେ ୧୫୮୩ ରେଜିଷ୍ଟ୍ରେସନ୍‌ କରିଥିବା ବେଳେ ୭୧ଟି ହୋଟେଲର ନବୀକରଣ କରାଯାଇଛି। ଏଥିପାଇଁ ୧୯ ଲକ୍ଷ ୧୬ ହଜାର ୮ ଶହ ଟଙ୍କା ଫି’ ଆଦାୟ କରାଯାଇଛି। ଏହି ସମୟ ମଧ୍ୟରେ ବିଭିନ୍ନ ହୋଟେଲରୁ ୪୨ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ବିଭିନ୍ନ ହୋଟେଲରୁ ୧ଲକ୍ଷ ୯୩ହଜାର ୮ଶହ ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି। ରାଜଧାନୀରେ ମିସ୍‌ବ୍ରାଣ୍ଡିଂ ଛତୁଆ ବିକ୍ରି କରିବା ଯୋଗୁଁ ୨ଟି କମ୍ପାନିଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ଏହି ଦୁଇ କମ୍ପାନିର ଛତୁଆ ପ୍ୟାକେଟ୍‌ରେ ଏହା କେବେ ପ୍ରସ୍ତୁତ ହୋଇଥିଲା ଓ କେତେ ଦିନ ପର୍ଯ୍ୟନ୍ତ ଖାଇବାଯୋଗ୍ୟ, ତାହା ଉଲ୍ଲେଖ ନ ଥିଲା। ଯାଞ୍ଚ ସମୟରେ ଏହା ଧରା ପଡ଼ିଥିଲା। ଏହି ଦୁଇ କମ୍ପାନିଙ୍କୁ ୧୦ହଜାର ଲେଖାଏଁ ଜରିମାନା ଆଦାୟ କରାଯାଇଛି। ୩ଟି ଖାଦ୍ୟ ବିକ୍ରେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ୨ଟି ମାମଲାରେ ଦଣ୍ଡ ବିଧାନ ହୋଇଛି।

ଅପରପକ୍ଷେ ରାଜଧାନୀରେ ହଜାର ହଜାର ସଂଖ୍ୟକ ଖାଦ୍ୟ ପ୍ରତିଷ୍ଠାନର ଯାଞ୍ଚ ପାଇଁ ବିଏମ୍‌ସି ଅଧୀନରେ ଜଣେ ମାତ୍ର ଖାଦ୍ୟ ସୁରକ୍ଷା ଅଧିକାରୀ ରହିଛନ୍ତି। ଏହାସହ ତାଙ୍କୁ ଖୋର୍ଧା ଜିଲ୍ଲାର ଦାୟିତ୍ୱ ମଧ୍ୟ ଦିଆଯାଇଛି। ଏଭଳି ପରିସ୍ଥିତିରେ ସମସ୍ତ ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକର ନମୁନା ସଂଗ୍ରହ କରିବା ସମ୍ଭବପର ହେଉନାହିଁ। ତେଣୁ ଖୋର୍ଧା ଜିଲ୍ଲା ପାଇଁ ଅଧିକ ସଂଖ୍ୟକ ଖାଦ୍ୟ ସୁରକ୍ଷା ଅଧିକାରୀ ନିଯୁକ୍ତି ହେବାର ଆବଶ୍ୟକତା ରହିଥିବା ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ରାଜ୍ୟ ସରକାର ଚାହିଲେ ହିଁ ଏହି ସମସ୍ୟାର ସମାଧାନ ହୋଇପାରିବ। ତେବେ ତାରକା ହୋଟେଲଗୁଡ଼ିକରେ କାହିଁକି ଖାଦ୍ୟର ମାନ ଯାଞ୍ଚ ହେଉନାହିଁ ପ୍ରସଙ୍ଗକୁ ଅଧିକାରୀଜଣଙ୍କ ଏଡ଼ାଇ ଯାଇଥିଲେ। ଖୁବଶୀଘ୍ର ତାରକା ହୋଟେଲଗୁଡ଼ିକରେ ମଧ୍ୟ ଖାଦ୍ୟର ମାନ ଯାଞ୍ଚ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର