ବିରିୟାନିରେ ଅସରପା : ୟୁନିଟ୍-୮ ଅଞ୍ଚଳର ରେସ୍ତୋରାଁରେ ଯାଞ୍ଚ

ଅଟା ବଦଳରେ ଅଧିକ ମଇଦା ମିଶାଉଛନ୍ତି ବେକେରି ସପ୍

ଭୁବନେଶ୍ବର : ବିରିୟାନ‌ି‌େର ଅସରପା ମିଳିବା ଅଭିଯୋଗରେ ରାଜଧାନୀରେ ଏକ ନାମୀ ରେସ୍ତୋରାଁକୁ ଖାଦ୍ୟ ସୁରକ୍ଷା ପକ୍ଷରୁ ଯାଞ୍ଚ କରାଯାଇଛି। ଏହାସହ ସଂପୃକ୍ତ ରେସ୍ତୋରାଁରୁ ବିରିୟାନୀ ସମେତ ଡାଲି ଓ ଅନ୍ୟାନ୍ୟ ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ପ୍ରଥମଥର ଲାଗି ଏଭଳି ଅଭିଯୋଗ ଆସିଥିବାରୁ ସଂପୃକ୍ତ ରୋସ୍ତୋରାଁ ମାଲିକଙ୍କୁ ତାଗିଦ୍ କରାଯାଇଥିବା ଜଣାପଡ଼ିଛି।

ଖାଦ୍ୟ ସୁରକ୍ଷାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ଜଣେ ଉଚ୍ଚପଦସ୍ଥ ଅଧିକାରୀ ୟୁନିଟ୍ ୮ ଅଞ୍ଚଳର ଏକ ରୋସ୍ତୋରାଁରେ ଖାଉଥିବା ସମୟରେ ବିରିୟାନି ଅସରପା ବାହାରିଥିଲା। ଏ ନେଇ ସଂପୃକ୍ତ ଅଧିକାରୀ ସ୍ବାସ୍ଥ୍ୟ ବିଭାଗକୁ ଏ ସଂପର୍କରେ ଜଣାଇଥିଲେ। ପରେ ଖାଦ୍ୟ ସୁରକ୍ଷା ପକ୍ଷରୁ ସଂପୃକ୍ତ ରେସ୍ତୋରାଁରେ ଯାଞ୍ଚ କରାଯାଇଥିଲା। ପରେ ଏକାଧିକ ଖାଦ୍ୟ ନମୁନା ସଂଗ୍ରହ କରାଯାଇ ଖାଦ୍ୟ ସୁରକ୍ଷା ପରୀକ୍ଷାଗାରକୁ ପଠାଯାଇଛି। ପରୀକ୍ଷା ରିପୋର୍ଟ ଆସିବା ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅପରପକ୍ଷରେ ରାଜଧାନୀରେ ଗତ କିଛିବର୍ଷ ମଧ୍ୟରେ ଛତୁ ଫୁଟିବା ଭଳି ବେକେରି ସପ୍ ଖୋଲିଛି। କେ‌କ୍ ସମେତ ବେକେରି ଜାତୀୟ ଖାଦ୍ୟ ପଦାର୍ଥ ଏସବୁ ଦୋକାନରେ ବିକ୍ରି ହେଉଛି। ତେବେ ଏସବୁ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ କେଉଁ ପରିସ୍ଥିତିରେ ପ୍ରସ୍ତୁତ ହେଉଛି ଓ ଏହାର ମାନ କ’ଣ ନେଇ କିଛିଦିନ ତଳେ ରାଜଧାନୀରେ ଥିବା ଏକାଧିକ ବେକେରି ସପ୍‌ରେ ଯାଞ୍ଚ ହୋଇଥିଲା। ଏଥିରୁ ଅଧିକାଂଶ ବେକେରି ସପ୍ ଅଟା ବଦଳରେ ଅଧିକ ମାତ୍ରାରେ ମଇଦା ମିଶାଉଥିବା ନଜରକୁ ଆସିଛି। ଅନ୍ୟ ରସାୟନିକ ପଦାର୍ଥ ଭଳି ଯଦିଓ ମଇଦା ‌କ୍ଷତିକାରକ ନୁହେଁ, ତେବେ ଅଟାର ପରିମାଣ କମିବାକୁ ନେଇ ସଂପୃକ୍ତ ବେକେରି ସପ୍‌କୁ ତାଗିଦ କରାଯାଇଛି। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ବା ଏଫ୍ଏସ୍‌ଏସ୍‌ଏଆଇର ନିୟମ ଅନୁସାରେ ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରୁଥିବା ଦୋକାନୀଙ୍କୁ ୩ଥର ତାଗିଦ୍ କରାଯାଇଥାଏ। ପୁନର୍ବାର ଯଦି ଯାଞ୍ଚ ସମୟରେ ନିମ୍ନମାନର ଖାଦ୍ୟ ଥିବା ଜଣାପଡ଼େ ସଂପୃକ୍ତ ଦୋକାନୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର