ଇନ୍‌ଫୋସିଟି ରୋଡ୍‌ ରାସ୍ତାକଡ଼ ଖାଦ୍ୟ ଷ୍ଟଲ୍‌ରେ ଚଢ଼ଉ : ୫ କେଜି ବାସି ଖାଦ୍ୟ ନଷ୍ଟ କଲା ବିଏମ୍‌ସି ସ୍କ୍ଵାଡ୍‌

ଚନ୍ଦ୍ରଶେଖରପୁର : ଇନଫୋସିଟି ରୋଡ୍‌ରେ ଥିବା ଫୁଡ୍‌ ଷ୍ଟଲ୍‌ରେ ଆଜି ବିଏମ୍‌ସି ଉତ୍ତରଜୋନ୍‌ ଫୁଡ୍‌ ସ୍କ୍ଵାଡ୍‌ ପକ୍ଷରୁ ଚଢ଼ଉ କରାଯାଇଥିଲା। ଫୁଡ୍‌ ଲାଇସେନ୍ସ୍‌ ନଥାଇ ମନଇଚ୍ଛା ଫାଷ୍ଟଫୁଡ୍‌ ଦୋକାନ କରିଥିବା ପ୍ରାୟ ୧୬ଟି ଷ୍ଟଲ୍‌ରେ ଚଢ଼ଉ କରାଯାଇଥିଲା। ଏହାସହ ପ୍ରାୟ ୫ କେଜିରୁ ଊର୍ଧ୍ୱ ବାସି ଖାଦ୍ୟକୁ ନଷ୍ଟ କରାଯାଇଥିଲା। ଆଜି ସୋମବାର ହୋଇଥିବାରୁ ବେଶି ଆମିଷ ଷ୍ଟଲ୍‌ ଖୋଲାନଥିଲା। କିନ୍ତୁ ଅନେକ ପାଓଭାଜି, ବ୍ରେଡ୍‍, ଚାଟ୍‌ ଆଦି ଷ୍ଟଲ୍‌ରେ ଚଢ଼ଉ କରାଯାଇଥିଲା। ଏହାସହ ଏପରି ଖାଦ୍ୟ ପ୍ରସ୍ତୁତ ବେଳେ ପରିଚ୍ଛନ୍ନତା ପ୍ରତି ଯଥେଷ୍ଟ ଯତ୍ନବାନ ହେବା ଓ ବାସି ଖାଦ୍ୟ ଗ୍ରାହକଙ୍କୁ ନ ପରଷିବା ପାଇଁ ବିଏମ୍‌ସି ସ୍କ୍ଵାଡ୍‌ ପକ୍ଷରୁ ଦୋକାନୀମାନଙ୍କୁ ସଚେତନ କରାଯାଇଥିଲା। ରାଜଧାନୀର ଏହି ଅଞ୍ଚଳରେ ବିଭିନ୍ନ ପ୍ରମୁଖ ଘରୋଇ କମ୍ପାନି ରହିଥିବାରୁ ସର୍ବଦା ଜନଗହଳି ରହିଥାଏ। କିନ୍ତୁ ଦିନକୁ ଦିନ ବଢ଼ି ଚାଲିଥିବା ଏହି ଷ୍ଟଲ୍‌ଗୁଡ଼ିକର ଖାଦ୍ୟ ଯେ ସ୍ୱାସ୍ଥ୍ୟ ପ୍ରତି କେତେ ହିତକାରୀ, ତାହା ସନ୍ଦେହ ଘେରରେ। ବିଏମ୍‌ସି ଉତ୍ତର ଜୋନ୍‌ ଡେପୁଟି କମିସନର ଶୁଭ୍ରାଂଶୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଫୁଡ୍‌ ସ୍କ୍ଵାଡ୍‌ ଏହି ଚଢ଼ଉ କରିଥିଲା। ଭବିଷ୍ୟତରେ ମଧ୍ୟ ଏହିପରି ଚଢ଼ଉକୁ ଜୋର୍‌ଦାର କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର