ତାରକା ହୋଟେଲରେ ଚଢ଼ଉ, ୪୦ରୁ ଅଧିକ ଖାଦ୍ୟ ନମୁନା ସଂଗ୍ରହ

ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ପକ୍ଷରୁ ଦୁଇ ଦିନ ଧରି ରାଜଧାନୀର ବିଭିନ୍ନ ତାରକା ହୋଟେଲ ଓ ବେକେରି ଦୋକାନରେ ଚଢ଼ଉ କରାଯାଇ ୪୦ରୁ ଅଧିକ ଖାଦ୍ୟ ନମୁନା ପରୀକ୍ଷା ପାଇଁ ଏଫ୍‌ଏସ୍‌ଏସ୍‌ଏଆଇ ପରୀକ୍ଷାଗାରକୁ ପଠାଯାଇଛି। ହକି ବିଶ୍ୱକପକୁ ନଜରରେ ରଖି ଏଭଳି ଚଢ଼ଉ କରାଯାଉଥିବା ଜଣାଯାଇଛି। ରିପୋର୍ଟ ଆସିବା ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି। ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ଉ ଜାରି ରହିବ ବୋଲି କୁହାଯାଇଛି। ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜଧାନୀର ୧୪ରୁ ଅଧିକ ତାରକା ହୋଟେଲରେ ପ୍ରସ୍ତୁତ ହେଉଥିବା ଖାଦ୍ୟର ମାନ ଯାଞ୍ଚ ପାଇଁ ଚଢ଼ଉ କରାଯାଇଛି। ଏହି ହୋଟେଲଗୁଡ଼ିକରେ କେମିତି ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଛି ଓ ଖାଦ୍ୟର ମାନ କ’ଣ ରହିଛି, ତାହା ଜାଣିବା ପାଇଁ ଖାଦ୍ୟ ସୁରକ୍ଷାର ୬ଜଣିଆ ଟିମ୍‌ ଏହି ଚଢ଼ଉ କରିଥିଲେ। ଏହାସହ ରାଜଧାନୀରେ ଥିବା ଅନେକ ବେକେରି ଦୋକାନରେ ମଧ୍ୟ ଚଢ଼ଉ କରାଯାଇଥିଲା। ଅଧିକାରୀଙ୍କ କହିବାନୁଯାୟୀ, ଆସନ୍ତା ନଭେମ୍ବରରେ ରାଜଧାନୀରେ ହକି ବିଶ୍ୱକପ ଆୟୋଜିତ ହେବାକୁ ଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରରୁ ଅନେକ ଅତିଥି ଏଠାକୁ ଆସିବେ। ଏ ପରିସ୍ଥିତିରେ ଛୋଟ ହୋଟେଲ ସହ ତାରକା ହୋଟେଲଗୁଡ଼ିକର ଖାଦ୍ୟ ଯାଞ୍ଚ କରାଯିବାକୁ ନିଷ୍ପତ୍ତି ହୋଇଛି। ବିଶେଷକରି ରାଜଧାନୀରେ ଥିବା ୧୪ରୁ ଅଧିକ ତାରକା ହୋଟେଲକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହି ହୋଟେଲଗୁଡ଼ିକରେ କାର୍ଯ୍ୟ କରୁଥିବା ରୋଷେୟାମାନଙ୍କୁ ସଚେତନ କରାଯିବା ସହ ସେମାନଙ୍କ ଖାଦ୍ୟ ପ୍ରସ୍ତୁତି ଶୈଳୀରେ ଉନ୍ନତି ଆଣିବା ପାଇଁ ତାଲିମ ଦିଆଯିବ। ରାଜଧାନୀରେ ଏବେ ଛତୁ ଫୁଟିବା ଭଳି ବେକେରି ଦୋକାନ ଖୋଲିଥିବା ବେଳେ ଏଥିରେ ବିକ୍ରି ହେଉଥିବା ଖାଦ୍ୟକୁ ମଧ୍ୟ ଯାଞ୍ଚ କରିବା ପାଇଁ ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର