ବିପଦର ବନ୍ଧୁ ଅଭିଯାନ : ୫ ଅଞ୍ଚଳ ସମେତ, ଛତିଶଗଡ଼ ଶ୍ରମିକଙ୍କୁ ଖାଦ୍ୟ ବଣ୍ଟନ

ଭୁବନେଶ୍ବର : କରୋନା କଟକଣା ଅନେକ ଲୋକଙ୍କ ମୁହଁରୁ ଆହାର ଛଡ଼ାଇ ନେଇଥିବା ବେଳେ ରାସ୍ତାକଡ଼ର ଭୋକିଲା ‌ଓ ଗରିବ ପରିବାରଙ୍କୁ ଆହାର ଦେଇଛି ‘ବିପଦର ବନ୍ଧୁ’ ଅଭିଯାନ। ‘ସମ୍ବାଦ’ ଓ ‘କନକ ନ୍ୟୁଜ’ ପକ୍ଷରୁ ଏ.କେ ଦାଶ ଆସୋସିଏଟ୍‌ସ ଲିମିଟେଡ୍‌ର ସହଯୋଗରେ ଏହି ଅଭିଯାନ ୩ ଦିନ ଧରି ଜାରି ରହିଥିବା ବେଳେ ଆଜି ମଧ୍ୟ ରାଜଧାନୀର ବିଭିନ୍ନ ସ୍ଥାନରେ ଖାଦ୍ୟ ପୁଡ଼ିଆ ଓ ପାଣି ବୋତଲ ବଣ୍ଟନ କରାଯାଇଥିଲା।

ଆଜି ଝାରପଡ଼ା ସନ୍ତୋଷୀ ବିହାର, ଲକ୍ଷ୍ମୀସାଗର ବଙ୍ଗାଳୀ ବସ୍ତି, ସତ୍ୟ ବିହାର, ନହରକଣ୍ଟା ଓ ବାଲିଅନ୍ତାରେ ଖାଦ୍ୟ ବଣ୍ଟନ ସହ ଛତିଶଗଡ଼ରୁ ଆସି ରାଜଧାନୀରେ ବିଭିନ୍ନ ସ୍ଥାନରେ ଝାଡ଼ୁ ବେପାର ପାଇଁ ଅଟକି ରହିଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଖାଦ୍ୟ ଓ ପାଣି ଦିଆଯାଇଥିଲା। ଲକ୍‌ଡାଉନ ପାଇଁ ସେମାନେ ରାସ୍ତାକଡ଼ରେ ତମ୍ବୁରେ ଅଟକି ରହିଥିବା ବେଳେ ଝାଡ଼ୁ ବିକ୍ରି ନଥିବାରୁ ଖାଦ୍ୟ ପାଇଁ ବହୁ ସମସ୍ୟା ଭୋଗୁଥିଲେ। ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା।

ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମରେ ଆଜି ମଧ୍ୟ ଏ.କେ ଦାଶ ଆସୋସିଏଟ୍‌ସ ଲିମିଟେଡ୍‌ର ପ୍ରତିଷ୍ଠାତା ଅମିୟକାନ୍ତ ଦାଶ, ନିର୍ଦେଶିକା ପ୍ରଣତି ଦାଶ, ବିଶ୍ବଜିତ ସାମନ୍ତରାୟଙ୍କ ସମେତ ସ୍ବେଚ୍ଛାସେବୀମାନେ ଉପସ୍ଥିତ ରହି ଖାଦ୍ୟ ବଣ୍ଟନ କରିଥିଲେ। ଲକ୍‌ଡାଉନ ହଟିବା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର