ଭୁବନେଶ୍ବର : ବାତ୍ୟା ପରେ ରାଜଧାନୀରେ ଯେପରି ମହାମାରୀ ନ ବ୍ୟାପିବ, ସେଥିଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ରାଜଧାନୀରେ ବିକ୍ରି ହେଉଥିବା ଖାଦ୍ୟ ଓ ପାନୀୟ ଜଳ ଯାଞ୍ଚ ଜାରି ରହିଛି। ଏ ପର୍ଯ୍ୟନ୍ତ ରାଜଧାନୀରୁ ୧୦୦ରୁ ଅଧିକ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଇ ଦିଆଯାଇଛି। ସୂଚନା ଅନୁସାରେ, ରାଜଧାନୀର ବିଭିନ୍ନ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ପକ୍ଷରୁ ପାଣି ଓ ଖାଦ୍ୟ ନମୁନା ସଂଗ୍ରହ ଜାରି ରହିଛି। ଗତକାଲି କିଟ୍ ଓ ପଟିଆ ଅଞ୍ଚଳରେ ନମୁନା ସଂଗ୍ରହ ହୋଇଥିବା ବେଳେ ଆଜି ସୂର୍ଯ୍ୟନଗର, ଗଙ୍ଗନଗର, ୟୁନିଟ୍-୬ ଓ କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳରେ ନମୁନା ସଂଗ୍ରହ ହୋଇଛି। ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟଜିତ ପଟେଲଙ୍କ ସୂଚନା ଅନୁସାରେ, ରାଜଧାନୀରେ ବିଭିନ୍ନ ଅଞ୍ଚଳରେ ଥିବା ଠେଲା ଗାଡ଼ି ସହ ହୋଟେଲର ପାଣି ନମୁନାକୁ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଜନସ୍ବାସ୍ଥ୍ୟ ବିଜ୍ଞାନାଗାରକୁ ପଠାଯାଇଛି। ସେଠାରୁ ରିପୋର୍ଟ ଆସିବା ପରେ ରାଜଧାନୀରେ ବିକ୍ରି ହେଉଥିବା ଖାଦ୍ୟ ଓ ପାଣି ନେଇ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ପଟେଲ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ରାଜଧାନୀର ଯଦୁପୁର କୋଚିଲାପୁଟ ଅଞ୍ଚଳରେ ୭/୮ଟି ପରିବାରର ୧୫ରୁ ଅଧିକ ବ୍ୟକ୍ତି ଝାଡ଼ାବାନ୍ତିର ଶିକାର ହୋଇଥିଲା। ଏହା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେଠାରେ ଯାଞ୍ଚ କରାଯାଇ ଏକ ନଳକୂପକୁ ଅସୁରକ୍ଷିତ ଘୋଷଣା କରାଯିବା ସହ ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଥିଲା। ମୋବାଇଲ ହେଲ୍ଥ ୟୁନିଟ୍ ବା ଏମ୍ଏଚ୍ୟୁ ନିୟମିତ ଭାବେ ସ୍ଥାନୀୟ ଅଞ୍ଚଳ ପରିଦର୍ଶନ କରିବା ସହ ଏହା ଉପରେ ନଜର ରଖାଯାଇଥିବା ସ୍ବାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି। ରାଜଧାନୀରେ ୩୧୪୭ଟି ଜଳ ଉତ୍ସକୁ ଚିହ୍ନଟ କରାଯାଇଥିବା ବେଳେ ବାତ୍ୟା ପୂର୍ବରୁ ୧୯୯୬ଟି ଜଳ ଉତ୍ସକୁ ବିଶୋଧନ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ପ୍ରାୟ ୧୯ଶହ ଜଳ ଉତ୍ସକୁ ବିଶୋଧନ କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହାସହ ଯଦୁପୁରରେ ଝାଡ଼ାବାନ୍ତି ନିୟନ୍ତ୍ରଣରେ ରହିଛି। ରାଜଧାନୀର ଗୋଟିଏ ସ୍ଥାନକୁ ବାଦ୍ ଦେଲେ ଅନ୍ୟ କୌଣସି ସ୍ଥାନରେ ଜଳ ଉତ୍ସ ଏପର୍ଯ୍ୟନ୍ତ ଅସୁରକ୍ଷିତ ରହିଥିବା ନଜରକୁ ଆସିନାହିଁ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜଧାନୀରେ ମହାମାରୀ ରୋକିବା ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।
୧୦୦ରୁ ଅଧିକ ଖାଦ୍ୟ ଓ ପାଣି ନମୁନା ସଂଗ୍ରହ
/sambad/media/post_attachments/wp-content/uploads/2019/05/food-b.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)