ଫିଫା ୧୭ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌ ପାଇଁ ରାଜଧାନୀର ୧୫ ହାଇସ୍କୁଲ‌ରେ ହେବ ଫୁଟବଲ୍‌ ପିଚ୍‌

‌ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ହେବ ୩୪ଟି, ଅଗଷ୍ଟ ୩୧ ସୁଦ୍ଧା ପିଚ୍‌ ପ୍ରସ୍ତୁତ କରିବାକୁ ଯୋଜନା

ଭୁବନେଶ୍ବର: ଫିଫା ୧୭ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌ ଆସନ୍ତାବର୍ଷ ଫେବ୍ରୁଆରି ୧୭ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଗୌହାଟି, ଭୁବନେଶ୍ବର, କୋଲକତା, ଅହମ୍ମଦାବାଦ ଓ ନଭିମୁମ୍ବାଇରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। କଳିଙ୍ଗ ଷ୍ଟାଡିୟମରେ ୮ଟି ମ୍ୟାଚ୍‌ କରିବାକୁ ଫିଫା ନିଷ୍ପତ୍ତି ନେଇଥିବାରୁ ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କଳିଙ୍ଗ ଷ୍ଟାଡିୟମରେ ୮ଟି ମ୍ୟାଚ୍‌ ହେବାକୁ ଥିଲେ ହେଁ ଭୁବନେଶ୍ବର ଓ କଟକର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯେପରି ଫୁଟବଲ୍‌ କ୍ରେଜ୍‌ ସୃଷ୍ଟି ହେବ ଏବଂ ଅଧିକ ଯୁବପ୍ରଶଂସକ ସୃଷ୍ଟି ହେବେ ସେଥିପାଇଁ କ୍ରୀଡ଼ା ବିଭାଗ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ୩୪ଟି ସରକାରୀ ହାଇସ୍କୁଲ‌ରେ ଫୁଟବଲ୍‌ ପିଚ୍ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଭୁବନେଶ୍ବରରେ ୧୫ଟି ପିଚ୍‌ ହେବ। ଅଗଷ୍ଟ ୩୧ସୁଦ୍ଧା ଏହି ସମସ୍ତ ପିଚ୍‌ ନିର୍ମାଣ ‌ଶେଷ କରିବା ସହ ସମସ୍ତ ଆନୁଷଙ୍ଗିକ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ କୁହାଯାଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ଏନେଇ ଜୋରଦାର୍‌ କାମ ଆରମ୍ଭ ହୋଇଛି। ହକି ପ୍ରୋମୋସନ୍ କାଉନସିଲ୍‌, ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ସୋମେଶ କୁମାର ଉପାଧ୍ୟାୟ ଫୁଟବଲ୍‌ ପିଚ୍‌ କିପରି ହେବ, ପିଚ୍‌ରେ କ’ଣ କ’ଣ ରହିବ, କେବେ ସୁଦ୍ଧା ପିଚ୍‌ ନିର୍ମାଣ ଶେଷ ହେବ ସେନେଇ ପୂର୍ତ୍ତ ସଚିବ କ୍ରିଷନ କୁମାରଙ୍କୁ ଚିଠି ଲେଖି ଜଣାଇଛନ୍ତି।

ହକି ପ୍ରୋମୋସନ୍‌ କାଉନସିଳ୍‌ ନିଷ୍ପତ୍ତି ଅନୁଯାୟୀ, ମାଟି ଓ ଘାସ ପକାଇ ହାଇସ୍କୁଲର ଖେଳପଡ଼ିଆ ଗୁଡ଼ିକରେ ଫୁଟବଲ୍‌ ପିଚ୍‌ ପ୍ରସ୍ତୁତ କରାଯିବ। ଏଥିରେ ପଡ଼ିଆର ଆକାର ଅନୁଯାୟୀ ପିଚ୍‌ ପ୍ରସ୍ତୁତ ହେବ। ଯେଉଁଠି ବଡ଼ ପଡ଼ିଆ ଥିବ ସେଠାରେ ୩୫ମିଟରରେ ୫୦ମିଟରର ‌ପିଚ୍‌ ପ୍ରସ୍ତୁତ ହେବ। ଯେଉଁଠି ଛୋଟ ପଡ଼ିଆ ଥିବ ସେଠାରେ ୨୫ମିଟରରେ ୩୫ମିଟରର ପିଚ୍‌ ହେବ। ପ୍ରତି ପିଚ୍‌ରେ ଦୁଇଟି ଗୋଲ୍‌ ପୋଷ୍ଟ ରହିବ। ବଡ଼ ପିଚ୍‌ରେ ୧୬ଫୁଟରେ ୪ଫୁଟର ଗୋଲ୍‌ ପୋଷ୍ଟ ଏବଂ ଛୋଟ ପିଚ୍‌ରେ ୧୨ଫୁଟରେ ୪ଫୁଟର ଗୋଲ୍‌ ପୋଷ୍ଟ ନିର୍ମାଣ ହେବ। ପ୍ରତି ପିଚ୍‌ ନିକଟରେ ୪ଟି ବେଞ୍ଚ ନିର୍ମାଣ ହେବ। ଏହା ୨.୫ମିଟର ଲମ୍ବ ଓ ୦.୩୫ମିଟର ଓସାରରେ ନିର୍ମାଣ ହେବ। ଏହି ବେଞ୍ଚ ପ୍ଲାଷ୍ଟିକ, ଷ୍ଟେନଲେସ୍‌ ଷ୍ଟିଲ୍‌, କାଠ କିମ୍ବା ମେଟାଲ୍‌ରେ ନିର୍ମାଣ ହେବ। ପ୍ରତି ବେଞ୍ଚରେ ୫ଜଣ ବସିବା ବ୍ୟବସ୍ଥା ହେବ।

ମିଳିଥିବା ସୂଚନା ଅନୁଯାୟୀ, କଟକ ଜିଲ୍ଲାରେ ୧୭ଟି ଏବଂ ଖୋର୍ଦ୍ଧା ଜିଲ୍ଲାରେ ୧୭ଟି ଫୁଟବଲ୍‌ ପିଚ୍‌ ପ୍ରସ୍ତୁତ ହେବ। ଏଥିରେ ଭୁବନେଶ୍ବରରେ ୧୫ଟି ପିଚ୍‌ ହେବ। ଭୁବନେଶ୍ବରରେ ୟୁନିଟ-୧, ୟୁନିଟ-୬, ୟୁନିଟ-୨, ୟୁନିଟ-୪, ୟୁନିଟ-୮, ୟୁନିଟ-୯, ବାଳିକା ଉଚ୍ଚ ବିଦ୍ୟାଳୟ ସମେତ ୟୁନିଟ-୯ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ-୩ସ୍ଥିତ କ୍ୟାପିଟାଲ ହାଇସ୍କୁଲ, ଖଣ୍ଡଗିରିସ୍ଥିତ ତପୋବନ ହାଇସ୍କୁଲ, ଚନ୍ଦ୍ରଶେଖରପୁର ଫେଜ୍‌-୧ ଉଚ୍ଚବିଦ୍ୟାଳୟ, ଆଇଆର୍‌ସି ଭିଲେଜ ଉଚ୍ଚ ବିଦ୍ୟାଳୟ, ସହିଦ ନଗର ଉଚ୍ଚବିଦ୍ୟାଳୟ, ଭିଏସ୍ଏସ୍‌ ନଗର ଉଚ୍ଚ ବିଦ୍ୟାଳୟ, ପଟିଆସ୍ଥିତ ଏସ୍‌.ଏନ୍‌ ଉଚ୍ଚ ବିଦ୍ୟାଳୟ, ମଞ୍ଚନାଥ ଦେବ ଉଚ୍ଚ ବିଦ୍ୟାଳୟରେ ଫୁଟବଲ୍‌ ପିଚ୍‌ ହେବ। କରୋନା ପ୍ରଭାବ କମିବା ପରେ ସ୍କୁଲ ଖୋଲିଲେ ଛାତ୍ରଛାତ୍ରୀ ଯେପରି ଅଧିକ ଫୁଟବଲ୍‌ ଖେଳିବେ ସେଥିପାଇଁ ଉତ୍ସାହିତ କରାଯିବ ବୋଲି ନଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର