୬ ବର୍ଷ ହେଲା ଭଣ୍ଡାଇ ଚାଲିଛି ବିଏମ୍‌ସି

ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ପାଇଁ ଫୁଟ୍‌ ଓଭରବ୍ରିଜ୍‌ ସ୍ୱପ୍ନ

ବିପଦପୂର୍ଣ୍ଣ ଭାବେ ରାସ୍ତା ପାର ହେଉଛନ୍ତି ଛାତ୍ରୀ

ଭୁବନେଶ୍ୱର : ରାଜଧାନୀର ୩ଟି ସ୍ଥାନରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ଲାଗି ୫ ବର୍ଷ ତଳୁ ଯୋଜନା କରିଥିଲା ବିଏମ୍‌ସି। ଜୟଦେବ ବିହାର ସମେତ ଅଶୋକ ନଗର ଏବଂ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ଲାଗି ପ୍ରସ୍ତାବ ଥିଲା। ଇତିମଧ୍ୟରେ ଜୟଦେବ ବିହାର ଫୁଟ୍‌ ଓଭରବ୍ରିଜ୍‌ କାର୍ଯ୍ୟ ବର୍ଷେ ତଳୁ ଶେଷ ହୋଇଥିବା ବେଳେ ଅଶୋକନଗର ଫୁଟ୍‌ ଓଭରବ୍ରିଜ୍‌ ୬ ବର୍ଷ ହେଲା ଭିତ୍ତିପ୍ରସ୍ତରରେ ରହିଯାଇଛି। ରମାଦେବୀ ବିଶ୍ୱବିଦ୍ୟାଳୟ ସମ୍ମୁଖ ଫୁଟ୍‌ ଓଭରବ୍ରିଜ୍‌ ଏବେ ବି ପ୍ରସ୍ତାବରେ ଅଟକି ରହିଛି। ଆଜି ପର୍ଯ୍ୟନ୍ତ ଭିତ୍ତିପ୍ର୍ରସ୍ତର ବି ପଡ଼ିପାରି ନାହିଁ।

ବାଣୀବିହାରରୁ ରୂପାଲି ଛକ ପର୍ଯ୍ୟନ୍ତ ରାସ୍ତାରେ ଦିନକୁ ଦିନ ଗହଳି ବଢ଼ୁଛି। ଅତ୍ୟଧିକ ଜାମ୍‌ ହେଉଥିବାରୁ ଛାତ୍ରୀମାନେ ରାସ୍ତା ପାର ହେବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ ୫ ବର୍ଷ ମଧ୍ୟରେ ୮ ଥର ଦୁର୍ଘଟଣାରେ ଛାତ୍ରୀମାନେ ଆହତ ହୋଇଛନ୍ତି। ଏ ନେଇ ଛାତ୍ରୀମାନେ ବାରମ୍ବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। ତଥାପି ଦାବି ପୂରଣ ହୋଇପାରି ନାହିଁ। ପ୍ରତିବର୍ଷ ବିଶ୍ୱବିଦ୍ୟାଳୟର ଛାତ୍ରୀ ପ୍ରତିନିଧିମାନେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ଦାବିରେ ବିଏମ୍‌ସି ମେୟର, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟୁଛନ୍ତି। ଦାବିପତ୍ର ବି ଦେଉଛନ୍ତି। ଏବର୍ଷ ଭିତ୍ତିପ୍ରସ୍ତର ପଡ଼ିବ। ଆସନ୍ତାବର୍ଷକୁ କାର୍ଯ୍ୟକ୍ଷମ ହେବ କିଛି ଭଣ୍ଡେଇ ଚାଲିଛନ୍ତି ସମସ୍ତେ।

୨୦୧୫ରେ ରମାଦେବୀ ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟକୁ ବିଶ୍ୱବିିଦ୍ୟାଳୟ ମାନ୍ୟତା ମିଳିବା ପରେ ଛାତ୍ର ସଂସଦର ସଭାପତିମାନେ ବାରମ୍ବାର ଦାବିପତ୍ର ଦେଉଛନ୍ତି। ଗତ ୫ ବର୍ଷରେ ୪ ଥର ଏହି କ୍ୟାମ୍ପସରେ ଛାତ୍ର ସଂସଦ ହାତେଇଛି ଛାତ୍ର ବିଜେଡି। ସଙ୍ଗଠନର ଛାତ୍ରୀମାନେ ସଭାପତି ରହିଛନ୍ତି। ତଥାପି ଶାସନରେ ଥିବା ବିଜେଡି ଉପରେ ଏହାର କୌଣସି ପ୍ରଭାବ ପଡ଼ି ନାହିଁ। ମୁଖ୍ୟମନ୍ତ୍ରୀ ମଧ୍ୟ ୨୦୧୫ରେ ଏହି କ୍ୟାମ୍ପସକୁ ଆସିଥିଲେ ମଧ୍ୟ ଛାତ୍ରୀଙ୍କ ସମସ୍ୟା ଆଜି ପର୍ଯ୍ୟନ୍ତ ବୁଝିପାରି ନାହାନ୍ତି। ଛାତ୍ର ବିଜେଡି ଅଧୀନରେ ଜିତିଥିବା ପୂର୍ବତନ ଛାତ୍ର ସଂସଦ ସଭାପତି ଇପ୍‌ସିତା ସାହୁ, ମେଘା କାନୁନ୍‌ଗୋ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଏମ୍‌ସି ମେୟରଙ୍କୁ ଦାବିପତ୍ର ଦେଇଛନ୍ତି। ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ତାହା ପ୍ରତାରଣାରେ ପରିଣତ ହେଉଛି।

ଗତବର୍ଷ ରମାଦେବୀ ଷ୍ଟୁଡେଣ୍ଟସ ଭଏସ୍‌ରୁ ସଭାପତି ଭାବେ ଜିତିଥିବା ଅନୁସୂୟା ତ୍ରିପାଠୀ ମଧ୍ୟ ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିଲେ। ଏଥର ଛାତ୍ର ବିଜେଡିର ସୌଭାଗ୍ୟ ସୌମ୍ୟାଶ୍ରୀ ସାମଲ ସଭାପତି ଭାବେ ଜିତିବା ପରେ ଏହି ଦାବି ନେଇ ମେୟରଙ୍କୁ ଭେଟିଛନ୍ତି। ଦାବିପତ୍ର ବି ଦେଇଛନ୍ତି। ପ୍ରତିଶ୍ରୁତି ବି ମିଳିଛି। କିନ୍ତୁ କେବେ ଛାତ୍ରୀମାନଙ୍କ ସ୍ୱପ୍ନ ପୂରଣ ହେବ ତାହାକୁ ଚାତକ ପରି ଚାହିଁରହିଛନ୍ତି ଛାତ୍ରୀ।

ଗତବର୍ଷ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଦୁର୍ଘଟଣା ଯୋଗୁଁ ଜଣେ ଛାତ୍ରୀ ଆହତ ହେବା ପରେ ଦୁଇଟି ଯାକ ଫାଟକ ସମ୍ମୁଖ ରାସ୍ତାରେ ସ୍ପିଡ୍‌ ବ୍ରେକର ହୋଇଛି। ତଥାପି ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରୁ ନାହିଁ। ପ୍ରତି ମାସରେ ଛୋଟ ଦୁର୍ଘଟଣା ଘଟୁଛି। ଏହାକୁ ନେଇ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଯେକୌଣସି ସମୟରେ ଛାତ୍ରୀମାନେ ପୁଣିଥରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ ଛାତ୍ରୀଙ୍କ ସମସ୍ୟା ନେଇ ଆମେ ଅବଗତ ରହିଛୁ। ସ୍ମାର୍ଟ ସିଟି ପ୍ରକଳ୍ପରେ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ ପ୍ରସ୍ତାବ ରହିଛି। ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ହେବାକୁ ଥିବା ରାସ୍ତାର ଉନ୍ନତିକରଣ ସମୟରେ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ କରାଯିବ।

ସମ୍ବନ୍ଧିତ ଖବର