ଭୁବନେଶ୍ୱର: ରାଜଧାନୀର ସମସ୍ତ ଫୁଟପାଥ୍ କେବଳ ପଥଚାରୀ ଏବଂ ସାଇକେଲ୍ ଚାଳକଙ୍କ ପାଇଁ ସଂରକ୍ଷିତ ରହିବ। କୌଣସି ପରିସ୍ଥିତିରେ ବି ଫୁଟପାଥ୍ ଉପରେ ଜବରଦଖଲକୁ ସହ୍ୟ କରାଯିବନି। ଏହା କେବଳ ବିଡିଏ/ବିଏମ୍ସି କାର୍ଯ୍ୟାଳୟରେ ବସି ନିଆଯାଇଥିବା ନିଷ୍ପତ୍ତି। ଏହା କେତେଦୂର କାର୍ଯ୍ୟକାରୀ ହେଉଛି, କେଉଁ ଅଞ୍ଚଳରେ ଫୁଟପାଥ୍ ସ୍ଥିତି କିପରି ଅଛି ତାହା କାହାକୁ ଜଣାନାହିଁ। କେବଳ ସାବାସି ନେବା ପାଇଁ ଗୋଟିଏ ଯୋଜନା ଆରମ୍ଭ କରିଦେଉଛନ୍ତି ତାହା କାର୍ଯ୍ୟକାରୀ ହେଉଛି କି ନାହିଁ ତାହାକୁ ତଦାରଖ କରିପାରୁନାହାନ୍ତି। ଯାହା ଏବେ ରାଜଧାନୀର ଯେ କୌଣସି ସ୍ଥାନର ଫୁଟ୍ପାଥ୍ ଉପରେ ଆଖି ବୁଲାଇ ଆଣିଲେ ଜଣାପଡ଼ୁଛି। ଜୟଦେବ ବିହାର ଛକ ଉପରେ ଥିବା ଫୁଟ୍ପାଥ୍ ଏବେ ଅଟୋ ଷ୍ଟାଣ୍ଡ୍ରେ ପରିଣତ ହୋଇଯାଇଛି। ରାସ୍ତାର ଗୋଟିଏ ପଟେ ଅଟୋ ଷ୍ଟାଣ୍ଡ୍ ଥିବାବେଳେ ଅନ୍ୟ ପାର୍ଶ୍ୱରେ ଗ୍ୟାରେଜ୍ ଚାଲିଛି। ଫର୍ଚ୍ୟୁନ୍ ଟାଓ୍ଵାର ସାମ୍ନାରେ ପାନ ଦୋକାନ, ବାଇକ୍ ଷ୍ଟାଣ୍ଡ୍। ୟୁନିଟ-୧ ହାଟ ନିକଟରେ ଫଳ ଦୋକାନୀଙ୍କ କବ୍ଜାରେ ଅଧା ଫୁଟ୍ପାଥ୍ ଥିବାବେଳେ ଆଉ ଅଧାରେ ବାଇକ୍ ପାର୍କିଂ ହେଉଛି। ମେୟରଙ୍କ ଘର ସମ୍ମୁଖରେ ତ ଫୁଟ୍ପାଥ୍ ଅବସ୍ଥା ନକହିବା ଭଲ। ଏଠାରେ ଫୁଟପାଥ୍ ଓ ରାସ୍ତା ସବୁ ଜବରଦଖଲ। ୟୁନିଟ-୧ରେ ନର୍ସରି ଏବଂ ବେଡ୍ସିଟ୍ ବ୍ୟବସାୟୀଙ୍କ କବ୍ଜାରେ ଫୁଟପାଥ୍ ରହିଛି। କେତେକ ସ୍ଥାନରେ ଡ୍ରେନ୍ ସଫା କରି ମାଟି ଗଦାଇ ଦିଆଯାଇଛି। ଆଉ ଅଧିକାଂଶ ସ୍ଥାନରେ ଆଳୁ ଦମ୍ ଦହିବରା, ପରିବା ବ୍ୟବସାୟୀ, ଟିଫିନ୍ ଦୋକାନୀ ଫୁଟପାଥ୍କୁ ମାଡ଼ି ବସିଛନ୍ତି।
ଫୁଟପାଥ୍ ଯେପରି ଦଖଲ ନହେବ ସେଥିପାଇଁ ପ୍ରାୟ ବର୍ଷକ ତଳେ ବିଏମ୍ସି-ବିଡିଏର ଏନଫୋର୍ସମେଣ୍ଟ ଟିମ୍ ଉଚ୍ଛେଦ କରିଥିଲା। ଏହା ଯେପରି ପୁଣି ଜବରଦଖଲ ନହେବ ସେଥିପାଇଁ ନନ୍ଦନକାନନରୁ ବିମାନବନ୍ଦର ଛକ ଉପରେ ନଜର ରଖିବା ପାଇଁ ସ୍ପେସାଲ ଜଏଣ୍ଟ ସ୍କ୍ଵାଡ୍ ଗଠନ ହୋଇଥିବାବେଳେ ଶିଶୁ ଭବନରୁ ବାଣୀବିହାର ଛକ ପର୍ଯ୍ୟନ୍ତ ଫୁଟପାଥ୍ ଉପରେ ନଜର ରଖିବା ପାଇଁ ସ୍ମାର୍ଟ ସିଟି ସ୍କ୍ଵାଡ୍ ଗଠନ ହୋଇଛି। କିନ୍ତୁ ଏହି ଦୁଇଟି ସ୍କ୍ଵାଡ୍ର ସଦସ୍ୟମାନେ ଉଠାଦୋକାନୀଙ୍କଠାରୁ ଚାନ୍ଦା ନେଇ ପଙ୍ଗୁ ପାଲଟି ଯାଇଥିବା ଅଭିଯୋଗ ହେଉଛି। ଏହି ଦୁଇଟି ସ୍କ୍ଵାଡ୍ ଅଫିସରୁ ଗାଡି ରିକ୍ୟୁଜିସନ୍ ଆଣି ଗୋଟିଏ ଛକରେ ବସି ଯାଉଛନ୍ତି ଆଉ କିଛି ଦିନ ବ୍ୟବଧାନରେ ରାଉଣ୍ଡ ମାରି ଚାନ୍ଦା ଆଦାୟ କରୁଥିବାରୁ ଜବରଦଖଲ ଉଚ୍ଛେଦ ହୋଇପାରୁନି ବୋଲି ଅଭିଯୋଗ ହେଉଛି।ରିପୋର୍ଟ: ପ୍ରଗତି, ଫଟୋ: ବିଭୂତି
ଫୁଟପାଥ୍ରୁ ଉଚ୍ଛେଦ ପ୍ରହସନ
ଏନଫୋର୍ସମେଣ୍ଟ ସ୍କ୍ଵାଡ୍ ଚାନ୍ଦା ନେଇ ପଙ୍ଗୁ
/sambad/media/post_attachments/wp-content/uploads/2018/07/m3-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)