ପରକୀୟା ପ୍ରୀତି ହେଉ କି ତ୍ରିକୋଣୀୟ ପ୍ରେମ। ବ୍ୟାବସାୟିକ ଶତ୍ରୁତା ହେଉ କି ପତିଆରା ଜାହିର। ପୁଣି କେତେବେଳେ ଗ୍ୟାଙ୍ଗ ୱାରକୁ ନେଇ ରକ୍ତ ରଂଜିତ ହେଲା ରାଜଧାନୀ। କଥା କଥାକେ ଖଣ୍ଡା ଭୁଜାଲି ବୁଲିଲା। ସ୍ପଷ୍ଟ ଦିବାଲୋକରେ ଅପରାଧୀ କାହାକୁ ଥାନା ସାମ୍ନାରେ ତ କାହାକୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କଲେ। ବର୍ଷ ଆରମ୍ଭରୁ ଗ୍ୟାଙ୍ଗୱାର୍ ଯୋଗୁଁ ସୁନ୍ଦରପଦା ଦୀପକ ରାଉତଙ୍କୁ ହତ୍ୟା କରିବା ଠାରୁ ବ୍ୟବସାୟୀଙ୍କ ଶତ୍ରୁତା ପାଇଁ ଡିସିପିଙ୍କ କାର୍ଯ୍ୟାଳୟ ନିକଟରେ ସୌମ୍ୟରଞ୍ଜନ କୁଣ୍ଡୁକୁ ଖଣ୍ଡାରେ ହାଣି ହତ୍ୟା କଥା ହେଉ। ବର୍ଷ ତମାମ ଅପରାଧୀ ବେଧଡ଼କ ଭାବେ ଅପରାଧ ଘଟାଇଥିଲେ। କେବଳ ହତ୍ୟା ନୁହେଁ ଲୁଟ୍ପାଟ, ଛିନ୍ତାଇ, ବୋମାମାଡ଼, ଗୁଳିକାଣ୍ଡ, ଦୁଷ୍କର୍ମ, ଅପହରଣ କରି ପୁଲିସ ଆଖିରୁ ନିଦ ହଜାଇଥିଲେ ଅପରାଧୀ। ଖାଲି ଏତିକି ନୁହେଁ ନିଶା କାରବାର, ଠକେଇ, ଜାଲ୍ ନୋଟ୍ ବ୍ୟବହାର ବି ବଢ଼ିଛି। ପୁଲିସ ଅନେକ କ୍ଷେତ୍ରରେ ସଫଳତା ହାତେଇଥିଲେ ବି ଅପରାଧୀ ଅପରାଧ ଘଟାଇବାରେ ଟିକିଏ ପଛଘୁଞ୍ଚା ଦେଇନଥିଲେ। ଅପରାଧୀଙ୍କ ଉପରେ ଅଙ୍କୁଶ ଲଗାଇବା ପୁଲିସ ପାଇଁ ବଡ଼ ଆହ୍ବାନ ଥିଲା।
ଉପସ୍ଥାପନା: ହିତେଶ ନାୟକ, ଅଳଙ୍କରଣ: ରବିନାରାୟଣ, କାର୍ଟୁନ: ଦେବାଶିଷ
ମୁଣ୍ଡ ଟେକିଛନ୍ତି ଗ୍ୟାଙ୍ଗ ଅପରାଧୀ
ରାଜଧାନୀରେ ବଢ଼ିଛି ଗ୍ୟାଙ୍ଗ ଅପରାଧୀଙ୍କ ଦବ୍ଦବା। ଦାଦାବଟି ଠାରୁ ଆରମ୍ଭ କରି ଲୁଟ୍ପାଟ ଭଳି ଅପରାଧିକ କାଣ୍ଡ ପାଇଁ ଲୋକଙ୍କୁ ମୁଣ୍ଡରେ ବନ୍ଧୁକ ଲଗାଇ ତ ଖଣ୍ଡା, ଭୁଜାଲି, କଟୁରିରେ ନିର୍ମମ ଭାବେ ହାଣି ଆତଙ୍କ ରଚିଥିଲେ। ଅପରାଧର ଏହି ଛାତିଥରା ଭିଡିଓକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରି ପତିଆରା ଜାହିର ପାଇଁ ଉଦ୍ୟମ କରିଥିଲେ। କେବିଏନ୍ ଗ୍ୟାଙ୍ଗଠାରୁ ଆରମ୍ଭ କରି କଟୁରୀ ଗ୍ୟାଙ୍ଗ, ଚକରା ଗ୍ୟାଙ୍ଗ, ଡେଭିଡ୍ ଗ୍ୟାଙ୍ଗ, ପବ୍ଲିକ ଷଣ୍ଢ ଭଳି ଗ୍ୟାଙ୍ଗ ଅପରାଧୀ ମୁଣ୍ଡଟେକିଥିଲେ।
ସବୁଠି ଲାଞ୍ଚୁଆ ଅଧିକାରୀ
ବିନା ଲାଞ୍ଚରେ ଫାଇଲ୍ଟେ ଆଗକୁ ବଢ଼ିପାରୁନି। ରାଜଧାନୀରେ ଥିବା ଲୋକସେବା ଭବନ ଠାରୁ ଆରମ୍ଭ କରି ଗୃହ ବିଭାଗ, ପଞ୍ଚାୟତିରାଜ, ଅବକାରୀ, ଶିଳ୍ପ, ନିଗମ, ରାଜସ୍ବ, ଯୋଗାଣ ବିଭାଗ ସବୁ କ୍ଷେତ୍ରରେ ମାଳମାଳ ଲାଞ୍ଚୁଆ ଅଧିକାରୀଙ୍କୁ ଦେଖିବାକୁ ମିଳିଥିଲା। ଚଳିତ ବର୍ଷ ଭିଜିଲାନ୍ସ ପାଖାପାଖି ୫୦ଟି ମାମଲାରେ ୩୦ରୁ ଅଧିକ ଦୁର୍ନୀତିଖୋର କର୍ମଚାରୀଙ୍କୁ ଗିରଫ କରିଥିଲା। ଯେଉଁଥିରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବଡ଼ ବାବୁଙ୍କ ପର୍ଯ୍ୟନ୍ତ ସାମିଲ ଅଛନ୍ତି। ୨୮ଜଣ ପୁରୁଷ ଥିବା ବେଳେ ୨ଜଣ ମହିଳା କର୍ମଚାରୀ ବି ସାମିଲ ଅଛନ୍ତି। ଦୀପ ତଳ ଅନ୍ଧାର ଭଳି ଖୋଦ ମୁଖ୍ୟମନ୍ତ୍ରୀଙ୍କ ପିଠି ପଛରେ ପଟେ ଦୁର୍ନୀତି କରିବାକୁ ବି ପଛାଉନାହାଁନ୍ତି। ରାଜ୍ୟରୁ ନହେଲା ନାହିଁ, ଅନ୍ତଃତପକ୍ଷେ କ’ଣ ରାଜଧାନୀରୁ ଦୁର୍ନୀତି ହଟିପାରିବ ତ? ଚଳିତ ବର୍ଷ ସବୁଠୁ ବଡ଼ ପ୍ରଶ୍ନବାଚୀ।
ଚର୍ଚ୍ଚାରେ ଟୁଙ୍ଗୁରୁ ଓ ରସିକିଆ ରମେଶ
ଅନୈତିକ ସମ୍ପର୍କକୁ ନେଇ ଯେତିକି ହଟହଟା ହୋଇଥିଲେ; ସେତିକି ଚର୍ଚ୍ଚାରେ ମଧ୍ୟ ଥିଲେ ଟୁଙ୍ଗୁରୁ ଭୋଳ ଏବଂ ନକଲି ଡ଼ାକ୍ତର ରମେଶ ସ୍ବାଇଁ। ଟୁଙ୍ଗୁରୁ ଜଣେ ମହିଳାଙ୍କୁ ଅଟୋରେ ହସ୍ପିଟାଲ୍ ନେବା ସମୟରୁ ଆରମ୍ଭ ହୋଇଥିବା ପ୍ରେମ ଥାନା ପର୍ଯ୍ୟନ୍ତ କଥା ବଢ଼ିଥିଲା। ସେମିତି ରମେଶଙ୍କ ପ୍ରେମ ଆଗରେ ବୟସ ହାର ମାନିଥିଲା। ବୟସର ଅପରହ୍ଣରେ ନିଜକୁ ଯୁବକ ଦର୍ଶାଇଥିଲେ। ସୋସିଆଲ୍ ମିଡିଆରେ କାହାକୁ ଡ଼ାକ୍ତର ତ କାହାକୁ କାହାକୁ ପ୍ରତିଷ୍ଠିତ ବ୍ୟବସାୟୀ। ଏମିତି ଭିନ୍ନ ଭିନ୍ନ ପରିଚୟ ଦେଇ ୧୮ଜଣ ମହିଳାଙ୍କୁ ଫସାଇ କୋଟି କୋଟି ଟଙ୍କା ଲୁଟିଥିଲେ।
ଡିସିପିଙ୍କ କାର୍ଯ୍ୟାଳୟ ନିକଟରେ ଖଣ୍ଡାରେ ହାଣି ହତ୍ୟା
ବ୍ୟବସାୟୀଙ୍କ ଶତ୍ରୁତାକୁ କେନ୍ଦ୍ର କରି ନିମାପଡ଼ା ବଳଭଦ୍ରପୁର ଅଞ୍ଚଳର ସୌମ୍ୟରଂଜନ କୁଣ୍ଡ(୨୯)ଙ୍କୁ ହତ୍ୟା କରାଯାଇଥିଲା। ମୋଟ୍ରୋ ହାଉସ୍ ନିକଟରେ ସୌମ୍ୟରଂଜନ ଏକ ପାନ ଦୋକାନ କରିଥିଲେ। ତେବେ ତାଙ୍କ ଦୋକାନା ସମ୍ମୁଖରେ ଥିବା ସରକାରୀ ଜାଗାରେ ହତ୍ୟାକାରୀ ହୋଟେଲ୍ କରିବାକୁ ଯୋଜନା କରିଥିଲେ। ଯାହାକୁ ନେଇ ହତ୍ୟାକାରୀ ଓ ସୌମ୍ୟରଂଜନଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା। ଅଗଷ୍ଟ ୩୦ ରାତିରେ ଡିସିପିଙ୍କ କାର୍ଯ୍ୟାଳୟ ନିକଟରେ ଅଶୋକ ଦାସ ଓରଫ କାବୁ ଓ ମନୋଜ କୁମାର ଦାସ ଓରଫ ପପୁନି ସୌମ୍ୟରଂଜନଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ହତ୍ୟା କରିଥିଲେ।
ଡ୍ରାଇଭରଙ୍କ କବ୍ଜାରେ ରାଜଧାନୀ
ଏପ୍ରିଲ୍ ୧୮: ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିଲ ରାଜଧାନୀ। ଜାତୀୟରାଜପଥ ଠାରୁ ଆରମ୍ଭ କରି ସହରର ଗଳିକନ୍ଦି ଯେଉଁଆଡ଼େ ଦେଖିଲେ ମାଳମାମଳ ଗାଡ଼ି ସାଙ୍ଗକୁ ଠେଙ୍ଗାଧାରୀ ଚାଳକ। ନାକାବନ୍ଦି ପରିସ୍ଥିତି ଉପୁଜିଥିଲା। କିଏ କୁଆଡ଼େ ଯିବେ ବୁଦ୍ଧିବାଟ ଦିଶିନଥିଲା। ଡ୍ରାଇଭର ସଂଘର ବିଧାନସଭା ଘେରାଉ ବେଳେ ପ୍ରଥମ ଥର ପାଇଁ ରାଜଧାନୀରେ ଏଭଳି ସ୍ଥିତି ଉପୁଜିଥିଲା। ଗାଡ଼ି ଗଡ଼ିବା ତ ଦୂରର କଥା ପାଦ ରଖିବାକୁ ବି ଜାଗା ମିଳିନଥିଲା। ଯିଏ ଯେଉଁକାମରେ ବାହାରିଥିଲେ ବି ଅଧାବାଟରେ ଅଟକିଥିଲେ।
ଭଉଣୀ ମଙ୍ଗନରେ ଭାଇକୁ ହତ୍ୟା
ଭଉଣୀର ମଙ୍ଗନ ଦିନ ଭାଇକୁ ହତ୍ୟା। ଏଭଳି ହୃଦୟବିଦାରକ ଘଟଣା ଘଟିଥିଲା ରାଜଧାନୀ ଉପକଣ୍ଠ ଶିଶିଲୋ ଗାଁରେ। ହତ୍ୟାକାରୀ ଗତ ଜୁଲାଇ ୬ରେ ଆଶିଷ ଓଝାଙ୍କୁ ହତ୍ୟା କରି ନିକଟ ବିଲରେ ଫୋପାଡ଼ି ଦେଇଥିଲେ। ଭଉଣୀର ମଙ୍ଗନ ରାତିରୁ ନିଖୋଜ ଥିବା ଆଶିଷଙ୍କୁ ପରିବାରଲୋକ ଖୋଜାଖୋଜି କରୁଥିବା ବେଳେ ପରଦିନ ସକାଳୁ ସ୍ଥାନୀୟଲୋକ ଆଶିଷଙ୍କ ରକ୍ତାକ୍ତ ମୃତଦେହକୁ ବିଲରେ ପଡ଼ିଥିବା ଦେଖିଥିଲେ।