ଫୁଟ୍‌ବଲ୍‌ ଖେଳ ଦେଖାଇବା ନିଶାରେ କୋରାପୁଟରୁ ରାଜଧାନୀ : ସ୍ବପ୍ନ ସାକାରରେ ପ୍ରତିବନ୍ଧକ ଲକ୍‌ଡାଉନ୍‌

ଖାଦ୍ୟ ଦେଉଥିଲେ ପୁଲିସ୍‌ କର୍ମୀ, କୋରାପୁଟ ପଠାଇଲେ ସବ୍ୟସାଚୀ, ଟଙ୍କା ନଥିବାରୁ ବସ୍‌ଷ୍ଟପ୍‌ରେ ଆଶ୍ରୟ ନେଇଥିଲେ

ଭୁବନେଶ୍ୱର : ପ୍ରତିଭା ଦେଖାଇବେ। କୋଚ୍‌ଙ୍କ ମନ ଜିଣିବେ। ଭାରତୀୟ ଫୁଟ୍‌ବଲ୍‌ ଦଳରେ ଖେଳିବେ। ଏମିତି ନିଶା ଘାରିଲା ଯେ ଲକ୍‌ଡାଉନ୍‌ର କଟକଣାକୁ ପଛରେ ପକାଇ ସୁଦୂର କୋରାପୁଟରୁ ରାଜଧାନୀ ଧାଇଁ ଆସିଥିଲେ ସୁଜିତ ସେଠିଆ(୧୬) ଓ ସାଥୀ ସନ୍ତୋଷ କୁମାର ଫିଲିପ୍ସ(୧୬)। ସାଥିରେ ଥିଲେ ତାଙ୍କ ବନ୍ଧୁ ରାଜୁ ହରିଜନ। ଆସିଲା ବେଳେ ତାଙ୍କ ହାତରେ ସର୍ବମୋଟ ସମ୍ବଳ ଥିଲା କିଛି ଶୁଖିଲା ଖାଦ୍ୟ, ଗୋଟେ ଫୁଟ୍‌ବଲ୍‌ ଓ ପମ୍ପ୍‌। ଅନେକଥର ରାଜଧାନୀ ଆସି ଟ୍ରାଏଲ୍‌ ଦେଇଥିବା ସୁଜିତ୍‌ ଓ ସନ୍ତୋଷ ଭାବିଥିଲେ, ଏଥର ସେମାନେ ଉନ୍ନତ ଖେଳ କୌଶଳ ଦେଖାଇ କୋଚ୍‌ ଜୟଦେବ ମହାପାତ୍ରଙ୍କ ମନ ଜିଣିବେ। ଭାରତୀୟ ଦଳରେ ସ୍ଥାନ ପାଇଥିବା ରଞ୍ଜନ ସୋରେନ୍‌ଙ୍କ ଭଳି ତାଙ୍କୁ ବି ଭାରତୀୟ ଦଳରେ ଜାଗା ମିଳିବ। ମାତ୍ର ଏତେ ସବୁ ପିଲାଳିଆମି ଭିତରେ ଭୁଲି ଯାଇଥିଲେ ଯେ ‌ଏଠି ଖେଳପଡ଼ିଆ ଓ ଟ୍ରାଏଲ୍‌ ବି ଲକ୍‌ଡାଉନ୍‌। ପହଞ୍ଚିଗଲେ ସିନା, ସ୍ଥିତି ଏମିତି ହେଲା ଯେ ଖାଦ୍ୟ ଯୋଗାଡ଼ କରି ନପାରିବାରୁ ତାଙ୍କ ପେଟ ପୋଡ଼ିଗଲା। ଶେଷରେ ଫୁଟ୍‌ବଲ୍‌ ନିଶା କିଛି ସମୟ ପାଇଁ ଛାଡ଼ିଦେଇ ସୁରକ୍ଷାକର୍ମୀ ଚାକିରି କଲେ। କିନ୍ତୁ ସେଠି ବି ତାଙ୍କୁ କାମ ବଦଳରେ ପେଟ ପୂରା ଖାଇବାକୁ ମିଳିଲାନି। ତେଣୁ ସୁରକ୍ଷାକର୍ମୀ ଚାକିରି ଛାଡ଼ି ବସ୍‌ ଷ୍ଟପ୍‌ ତଳେ ମୁଣ୍ଡ ଗୁଞ୍ଜିଥିବା ବେଳେ ଓଏସ୍‌ଏପିରେ କାର୍ଯ୍ୟରତ ପୁଲିସ୍‌ କର୍ମଚାରୀ ଚିତ୍ତରଂଜନ ମିଶ୍ର ସେମାନଙ୍କ ପାଇଁ ଦୁଇଦିନ କାଳ ଖାଇବା ପିଇବାର ବନ୍ଦୋବସ୍ତ କଲେ। ଶେଷରେ ଚିତ୍ତରଂଜନ ଏ ଘଟଣା ସମ୍ପର୍କରେ ଅଭିନେତା ସବ୍ୟସାଚୀଙ୍କୁ ଜଣାଇଲେ। ଖବର ପାଇବା ମାତ୍ରେ ଦୁଇ ଫୁଟ୍‌ବଲ୍‌ ଖେଳାଳି ଓ ତାଙ୍କ ବନ୍ଧୁଙ୍କୁ କୋରାପୁଟକୁ ପଠାଇବାର ବ‌ନ୍ଦୋବସ୍ତ କରିଥିଲେ ସବ୍ୟସାଚୀ।

କୋରାପୁଟ ବୋରିଗୁମ୍ମା ବ୍ଲକ୍‌ ଅନ୍ତର୍ଗତ ମୁଣ୍ଡାଗୁଡ଼ା ଗ୍ରାମର ସୁଜିତ୍‌ ଓ ସନ୍ତୋଷ ଛୋଟବେଳୁ ଫୁଟ୍‌ବଲ୍‌ ଖେଳି ଆସୁଛନ୍ତି। ଗାଁ’ରେ ବେଶ୍‌ ସୁନାମ ଅର୍ଜନ କରିଥିବା ଏହି ଦୁଇ ବନ୍ଧୁ ଯେବେ ଶୁଣିଲେ ଯେ ତାଙ୍କ ଭଳି ଜଣେ ଆଦିବାସୀ ପିଲା ରଞ୍ଜନ ସୋରେନ୍‌ ୧୫ ବର୍ଷରୁ କମ୍‌ ଭାରତୀୟ ଦଳରେ ସ୍ଥାନ ପାଇ ପ‌ାରିଛି, ସେବେଠୁ ସୁଜିତ୍‌ଙ୍କୁ ବି ଭାରତୀୟ ଦଳରେ ସ୍ଥାନ ପାଇଁ ନିଶା ଘାରିଥିଲା। ଜଣାଶୁଣା କୋଚ୍‌ ଜୟଦେବ ମହାପାତ୍ରଙ୍କ ଅଧୀନରେ ପୂର୍ବରୁ କେତେଥର ଟ୍ରାଏଲ୍‌ ବି ଦେଇଥିଲେ। ମାତ୍ର ଯୋଗ୍ୟବିବେଚିତ ହୋଇନଥିଲେ।

ସୁଜିତ୍‌ଙ୍କ କହିବା ମୁତାବକ, ଆମ ଗାଁ’ରେ ସେମିତି କୌଣସି ବଡ଼ ଏକାଡେମି ନାହିଁ। ତେଣୁ ରାଜଧାନୀରେ କୌଣସି ଏକାଡେମିରେ ଖେଳିବା ଆଶା ନେଇ ପଳେଇ ଆସିଥିଲୁ। ଭାବିଥିଲୁ, ଏଠି ଖେଳ ଅଭ୍ୟାସ ସହ ଟ୍ରାଏଲ୍‌ ଦେବୁ। କିନ୍ତୁ ଲକ୍‌ଡାଉନ୍‌ରେ ଯେ ଏସବୁ ବନ୍ଦ ଥିବ, ଧାରଣା ନଥିଲା। ଯେବେ ଖାଦ୍ୟ ସରିଗଲା ଖାଇବା ପାଇଁ ନିଜେ ବୁଝାସୁଝା କରି ସୁରକ୍ଷାକର୍ମୀ ଚାକିରି କଲୁ। କେବଳ ଖରାବେଳ ସମୟରେ ଖାଇବାକୁ ମିଳୁଥିବାରୁ ୧୦ ଦିନରେ ଚାକିରି ଛାଡ଼ିଦେଲୁ। ନିଜ ଘରକୁ ଫେରିଯିବେ ବୋଲି ଭାବିଥିଲୁ। ମାତ୍ର ହାତରେ ଟଙ୍କାଟିଏ ନଥିଲା। ତେଣୁ ଜୟଦେବ ବିହାର ଛକସ୍ଥିତ ବସ୍‌ଷ୍ଟପ୍‌ରେ ଆଶ୍ରୟ ନେଇଥିଲୁ। ୩ ଜଣଙ୍କୁ ସେଠାରେ ଦେଖିବା ପରେ ପୁଲିସ୍‌ କର୍ମୀ ଚିତ୍ତରଂଜନ ସବିଶେଷ ପଚାରି ବୁଝିଥିଲେ। ଦୁଃଖ ଶୁଣିବା ପରେ ତାଙ୍କ ପାଇଁ ୨ଦିନର ଖାଇବା ପିଇବା ଓ ପାଖ ଶୌଚାଳୟରେ ନିତ୍ୟକର୍ମର ବ୍ୟବସ୍ଥା କଲେ। ଏହା ମଧ୍ୟରେ ଚିତ୍ତରଂଜନ ସେମାନଙ୍କର ଏକ ଭିଡିଓ କରି ସୋସିଆଲ୍‌ ମିଡିଆରେ ସବ୍ୟସାଚୀଙ୍କୁ ଟ୍ୟାଗ୍‌ କରିଥିଲେ। ସବ୍ୟସାଚୀ ସେମାନଙ୍କ ସମ୍ବନ୍ଧରେ ଜାଣିବା ପରେ କୋରାପୁଟ ଯିବା ପାଇଁ ୩ଟି ବସ୍‌ ଟିକେଟ୍‌ର ବ୍ୟବସ୍ଥା କଲେ। ଏଥିସହ କିଛି ଅର୍ଥରାଶି ଓ ଖାଦ୍ୟପେୟ ଦେଇ ସେମାନଙ୍କୁ କୋରାପୁଟ ପଠାଇଲେ।

ବିଡ଼ମ୍ବନା ଏହି ଯେ ସେମାନଙ୍କ ପାଖେ ନିଷ୍ଠା, ଦକ୍ଷତା ଥିଲେ ବି ସୁଯୋଗ ନାହିଁ। କୌଣସି ସ୍ବେଚ୍ଛାସେବୀ ସଂଗଠନ ସେମାନଙ୍କ ପାଇଁ ତାଲିମ୍‌ର ବ୍ୟବସ୍ଥା କରିପାରି‌ଲେ, ହୁଏତ ସେମାନଙ୍କ ଭିତରେ ବସା ବାନ୍ଧିଥିବା ସ୍ବପ୍ନ ସାକାର ହୋଇପାରନ୍ତା। ସବ୍ୟସାଚୀ ଚିତ୍ତରଂଜନଙ୍କୁ ମାନବିକତା ପାଇଁ କୃତଜ୍ଞତା ଜଣାଇବା ସହ ସୁଜିତ୍‌ ଓ ସନ୍ତୋଷଙ୍କ ଫୁଟ୍‌ବଲ୍‌ ତାଲିମ୍ ନିମନ୍ତେ ସହଯୋଗ ଯୋଗାଇ ଦେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର