ଭୁବନେଶ୍ବର: ଚାଲିକି ଯା’ଆସ କରିୁଥିବା ଲୋକଙ୍କ ପାଇଁ ମୁଖ୍ୟ ରାସ୍ତା କଡ଼ରେ ରହିଛି ଫୁଟ୍ପାଥ୍। କିନ୍ତୁ ଏଜି ଛକରୁ ରାଜମହଲ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବର ଫୁଟ୍ପାଥ୍ରେ ଲୋକେ ଚାଲିକି ଯା’ଆସ କରିପାରନ୍ତିନାହିଁ। ଏହି ଫୁଟ୍ପାଥ୍ରେ ମେଲିଛି ଉଠାଦୋକାନୀଙ୍କ ପସରା ଓ ବାକି କିଛି ଅଂଶରେ ବେପାରୀଙ୍କ ବାଇକ୍ ପାର୍କିଂ ହେଉଛି। ରାଜଧାନୀର ଅନ୍ୟତମ ମୁଖ୍ୟ ମାର୍କେଟ୍ ଅଞ୍ଚଳରେ ଏମିତି ହେଉଛି ଫୁଟ୍ପାଥ୍ର ଅବସ୍ଥା। ଏହି ଫୁଟ୍ପାଥ୍ କେବଳ ନାଁକୁ। ଅସଲରେ ଏହା ବେପାରୀଙ୍କ କବ୍ଜାରେ। ତେଣୁ ଚାଲିଚାଲି ଯା’ଆସ କରୁଥିବା ଲୋକେ ସମସ୍ୟାରେ ପଡ଼ୁଛନ୍ତି।
ଏଜି ଛକରୁ ରାଜମହଲ ଛକ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରେ ଥିବା ଫୁଟ୍ପାଥ୍ରେ ବହୁ ଉଠାଦୋକାନୀ ଜବରଦଖଲ କରିଛନ୍ତି। ସେମାନଙ୍କ ଭିତରେ ବି କିଛି ସ୍ଥାୟୀ ଦୋକାନୀ ଅଛନ୍ତି। ସ୍ଥାୟୀ ଦୋକାନୀମାନେ ସେମାନଙ୍କ ସାମଗ୍ରୀସବୁକୁ ଫୁଟ୍ପାଥ୍ ଉପରେ ରଖୁଛନ୍ତି। ଠେଲାଗାଡ଼ି ଧରି ଆସୁଥିବା ବେପାରୀମାନେ ଫୁଟ୍ପାଥ୍ ଉପରେ ଠିଆ ହେଉଛନ୍ତି। ଆଉ କିଛି ଉଠାଦୋକାନୀ ଫୁଟ୍ପାଥ୍ ଉପରେ ପସରା ମେଲାଇ ବସୁଛନ୍ତି। କେବଳ ପସରା ନୁହେଁ, ଦୋକାନୀମାନେ ସେମାନଙ୍କର ୨ଚକିଆ ଗାଡ଼ିକୁ ଫୁଟ୍ପାଥ୍ ଉପରେ ପାର୍କିଂ କରୁଛନ୍ତି। ଏଠାରେ ବିଏମ୍ସି ପକ୍ଷରୁ ୪ଚକିଆ ଯାନ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ ପାର୍କିଂ ଟେଣ୍ଡରଧାରୀମାନେ ବିନା ଟୋକନ୍ରେ ୨ଚକିଆ ଗାଡ଼ିକୁ ଫୁଟ୍ପାଥ୍ ଉପରେ ପାର୍କିଂ କରାଇ ପଇସା ଆଦାୟ କରୁଛନ୍ତି।
/sambad/media/post_attachments/wp-content/uploads/2022/05/16-16.jpg)
ଫଳରେ ସାଧାରଣ ଲୋକମାନେ ବାଧ୍ୟ ହୋଇ ମୁଖ୍ୟ ରାସ୍ତାରେ ଚାଲୁଛନ୍ତି। ପ୍ରତିଦିନ ମାର୍କେଟ ବିଲ୍ଡିଂକୁ ହଜାର ହଜାର ସଂଖ୍ୟାର ଲୋକମାନେ ଆସନ୍ତି। ସେହିଭଳି ଏହି ରାସ୍ତା ଦେଇ ବିଧାନସଭା, ଲୋକସେବା ଭବନ, କ୍ୟାପିଟାଲ୍ ହସ୍ପିଟାଲ୍, ଏୟାରପୋର୍ଟ ଭଳି ଅନେକ ସ୍ଥାନକୁ ରାସ୍ତା ସଂଯୋଗ ହୋଇଛି। କହିବାକୁ ଗଲେ, ଏହି ରାସ୍ତା ରାଜଧାନୀର ଅନ୍ୟତମ ଜନଗହଳିପୂର୍ଣ୍ଣ ଅଞ୍ଚଳ। ତେଣୁ ଏଠାରେ ଫୁଟ୍ପାଥ୍ ଜବରଦଖଲ ହୋଇଥିବାରୁ ଲୋକେ ରାସ୍ତାରେ ଚାଲୁଛନ୍ତି ଓ ସ୍ବାଭାବିକ ଭାବେ ଯାନବାହନ ଚଳାଚଳରେ ବାଧା ଉପୁଜୁଛି। ଫଳରେ ଅଧିକାଂଶ ସମୟରେ ଏହି ରାସ୍ତାରେ ଟ୍ରାଫିକ୍ ଜାମ୍ ସମସ୍ୟା ସୃଷ୍ଟି ହେଉଛି। ବଡ଼ କଥା ହେଲା ବିଏମ୍ସି ଏନ୍ଫୋର୍ସମେଣ୍ଟ ଟିମ୍ ଏସବୁ ଦେଖି ନଦେଖିଲା ପରି କାମ କରୁଛନ୍ତି। ତେବେ ଏନେଇ ବିଏମ୍ସି ଡେପୁଟି ଜୋନାଲ୍ କମିସନର ପୁରନ୍ଦର ନନ୍ଦ କହିଛନ୍ତି ଯେ ଏନ୍ଫୋର୍ସମେଣ୍ଟ ଟିମ୍ ନିୟମିତ ଚଢ଼ଉ କରୁଛି। ଏଣିକି ଚଢ଼ଉ କଡ଼ାକଡ଼ି କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/15-16.jpg)