ବୁଲା ବିକାଳୀଙ୍କ କବ୍‌ଜାରେ ଫୁଟ୍‌ପାଥ୍‌, ରାସ୍ତାକଡ଼ ମାଡ଼ିବସିଲେଣି ଉଠାଦୋକାନୀ

କେବେ ଭା‌ଙ୍ଗିବ ବିଏମ୍‌ସି ନିଦ?

ଚନ୍ଦ୍ରଶେଖରପୁର: କରୋନା କାଳରେ ରାଜଧାନୀର ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରେ ତାଲା ପଡ଼ିଥିଲା। ୩ରୁ ୪ ମାସ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିପାରି ନ ଥିଲା। ପରବର୍ତୀ ସମୟରେ କରୋନା ସ୍ଥିତିରେ ସାମାନ୍ୟ ଉନ୍ନତି ଆସିବା ପରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ କଟକଣାରେ କୋହଳ କରାଗଲା। ଦୋକାନ ବଜାର ଖୋଲିବା ଲାଗି ଅନୁମତି ମିଳିଲା। ଯେତେବେଳେ ଅନୁମତି ମିଳିଲା ସେତେବେଳେ ଯିଏ ଯେଉଁଠି ପାରିଲେ ଦୋକାନ ଖୋଲି ଚାଲିଲେ। ହାଟ, ବଜାର ଭିତରେ ଓ ନିକଟରେ ଥିବା ଉଠାଦୋକାନୀ ରାସ୍ତାପାର୍ଶ୍ବକୁ ଚାଲି ଆସିଲେ। କେତେଜଣ ନୂଆ ବ୍ୟବସାୟୀ ବି ସୃଷ୍ଟି ହୋଇ ରାସ୍ତାପାର୍ଶ୍ବରେ ପସରା ମେଲାଇ ବେପାର କଲେ। ଧୀରେ ଧୀରେ ଜଣକ ପରେ ଜଣେ ବ୍ୟବସାୟୀ ରାସ୍ତାପାର୍ଶ୍ବକୁ ଆସିବା ସହ ଫୁଟପାଥ୍‌ ମାଡ଼ି ବସିଲେଣି। ସେବେଠାରୁ ସେମାନେ ରାସ୍ତାପାର୍ଶ୍ବ/ଫୁଟପାଥ୍‌ରେ ବସିଛନ୍ତି ଯେ ‌ଫେରିବାର ନାଁ ଧରୁ ନାହାନ୍ତି। ବାହାର ରାଜ୍ୟର କିଛି ବୁଲା ବେପାରୀ ବି ରାସ୍ତା କଡ଼ରେ ନିଜର ପସରା ମେଲାଇ ଦେଇଛନ୍ତି। ଯାହାକି ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରିବା ସହ ରାସ୍ତାପାର୍ଶ୍ବର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଛି। ରାଜଧାନୀରେ ଚଳପ୍ରଚଳ କରୁଥିବା ବିଏମ୍‌ସିର ବାବୁମାନେ ଏବିଷୟରେ ସବୁ ଜାଣି ମଧ୍ୟ ଚୁପ୍‌ ବସି ରହିଛନ୍ତି।

ପରିଣାମ ସ୍ବରୂପ ରାଜଧାନୀ ରାସ୍ତାପାର୍ଶ୍ବରେ ଏବେ ବେପାର ଚାଲିଛି। ଟ୍ରାଫିକ୍‌ ସମସ୍ୟା ଜଟିଳ ହେଉଛି। ରାସ୍ତା ଉପରେ ଗାଡ଼ି ରଖି ଗ୍ରାହକମାନେ ସାମଗ୍ରୀ କିଣୁଥିବାରୁ ଭିଡ଼ ବି ହେଉଛି। ଜନଗହଳିପୂର୍ଣ୍ଣ ଜୟଦେବ ବିହାରରୁ କିଟ୍‌ ଛକ ରାସ୍ତା, ରସୁଲଗଡ଼ରୁ ରବି ଟକିଜ୍‌, ରାଜମହଲ ଛକରୁ ଏଜି ଛକ, ବାଣୀବିହାରରୁ ସତ୍‌ସଙ୍ଗ୍‌ ବିହାର ରାସ୍ତା, ଏଜି ଛକରୁ ରାଜମହଲ ରାସ୍ତାରେ ସ୍ଥିତି ଅଣୟତଃ ହେଲାଣି। ଫୁଟପାଥ୍‌ଠାରୁ ସାଇକେଲ୍ ଟ୍ରାକ୍, ସବୁଠି ବୁଲା ବିକାଳିଙ୍କ ଭିଡ଼। ଟ୍ରାଫିକ୍ ସମସ୍ୟା ଯୋଗୁଁ କିଛିଦିନ ତଳେ ବିଏମସି ଓ ଟ୍ରାଫିକ୍ ପକ୍ଷରୁ ସ୍ବତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇ ଏଜି ଛକରୁ ରାଜମହଲ ଓ ରାଜମହଲରୁ ଏଜି ଛକ ପର୍ଯ୍ୟନ୍ତ ରାସ୍ତାରେ ଉଚ୍ଛେଦ ହୋଇଥିଲା। ନିୟମ ନ ମାନିଲେ କ୍ରେନ ଲଗାଇ ଦୋକାନଗୁଡ଼ିକୁ ଟାଣି ନିଆଯାଉଥିଲା। ତେବେ ଏବେ ପରିସ୍ଥିତି ଯାହାକୁ ସେୟା।

ସବୁଠାରୁ ବିଚିତ୍ର ସ୍ଥିତି ଉପୁଜିଛି ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ। ରାସ୍ତାପାର୍ଶ୍ବ ଯୁଆଡ଼େ ଚାହିଁଲେ କେବଳ ଉଠାଦୋକାନୀ ଓ ବୁଲା ବିକାଳୀ। ରାଜ୍ୟ ବାହାରର ଶତାଧିକ ବୁଲା ବିକାଳୀ ବି ଏଠାରେ ନିଜର ପସରା ମେଲାଇ ସାରିଲେଣି। ବିଭିନ୍ନ ଠାକୁରଙ୍କ ଫଟୋକୁ ରାସ୍ତା ଉପରେ ରଖି ବେପାର କରୁଛନ୍ତି। ଫୁଥ୍‌ପାଥରେ ଘର କରଣା ସାମଗ୍ରୀ ବି ବିକ୍ରି କରାଯାଉଛି। ଓଡ଼ିଶାର ବୁଲା ବିକାଳୀ ଯଦି ରାସ୍ତା କଡ଼ରେ ‌‌ବେପାର କରୁଛନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି। ହେଲେ ବାହାର ରାଜ୍ୟର ବୁଲା ବିକାଳୀମାନେ ମା‌ସ ମାସ ଧରି ଫୁଥ୍‌ପାଥ କବ୍‌ଜା କରି ବେପାର କରୁଥିଲେ ‌ମଧ୍ୟ ସେଥିପ୍ରତି କାହାର ବି ନିଘା ନାହିଁ। କରୋନା ପୂର୍ବରୁ ଚନ୍ଦ୍ରଶେଖରପୁର ବିଡିଏ କଲୋନୀଠାରୁ ଡମଣା ଛକ ଓ ଡମଣା ଛକରୁ ଓମ୍‌ଫେଡ୍‌ ଛକ ମଧ୍ୟରେ ରାସ୍ତାପାର୍ଶ୍ବରେ କାଁ ଭାଁ ଉଠାଦୋକାନ ରହିଥିଲା। ଏବେ କିନ୍ତୁ ଶତାଧିକ ଉଠାଦୋକାନୀ। ରାସ୍ତାପାର୍ଶ୍ବରେ ହୋଟେଲଠାରୁ ଆରମ୍ଭ କରି ଫଳ ବେପାରୀ, ମାସ୍କ ବେପାରୀ, ଖିଲିପାନ ଦୋକାନୀ, ଫୁଲ ଦୋକାନୀ, ଗୁପ୍‌ଚୁପ୍‌ ବେପାରୀ, ମିମେଣ୍ଟ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀ ଏଠାରେ ଆଡ୍ଡା ଜମାଇଛନ୍ତି। ଉକ୍ତ ଦୋକାନଗୁଡ଼ିକୁ ଯିବା ସମୟରେ ଗ୍ରାହକମାନେ ରାସ୍ତା ପାର୍ଶ୍ବରେ ଗାଡ଼ି ରଖି ଯାଉଛନ୍ତି। ଯେଉଁଥିପାଇଁ ପୂର୍ବାହ୍ନ ଓ ସନ୍ଧ୍ୟା ସମୟରେ ଏହି ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ଏଥିପ୍ରତି ଗୁରୁତ୍ବ‌ ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର