ନବୀନ ପଟ୍ଟନାୟକ। ଭୋଟ୍ ରାଜନୀତିରେ ଅନତିକ୍ରମଣୀୟ... ଅପରାଜେୟ। ୨୫ ବର୍ଷର ରାଜନୈତିକ କ୍ୟାରିୟର୍ରେ ଏହା ବାରମ୍ବାର ପ୍ରମାଣିତ। ବିଧାନସଭା ହେଉ କି ଲୋକସଭା, ପଞ୍ଚାୟତ ହେଉ କି ପୌର। ସବୁଠି ନବୀନଙ୍କ ରଣନୀତି ସଫଳ। ନିଜ ଭାବମୂର୍ତ୍ତି ସହ ନିର୍ବାଚନ ପରିଚାଳନା ଅତ୍ୟନ୍ତ ନିଖୁଣ। ନବୀନଙ୍କ ରାଜନୈତିକ ବୟସ ଯେତିକି ବଢ଼ୁଛି... ଶାସନର ସମୟ ଯେତିକି ଲମ୍ବା ହେଉଛି, ଓଡ଼ିଶା ରାଜନୀତି ସେତିକି ଏକପାଖିଆ ହୋଇ ଚାଲିଛି। ନବୀନଙ୍କ ପାଖାପାଖି ବି ପହଞ୍ଚିପାରୁନାହାନ୍ତି ବିରୋଧୀ। ୨୦୨୨ରେ ପଞ୍ଚାୟତ ଓ ପୌର ନିର୍ବାଚନରେ ଆଶାତୀତ ସଫଳତା ପାଇଲେ ନବୀନ। ବ୍ରଜରାଜନଗର ଉପନିର୍ବାଚନରେ ବି ଏକପାଖିଆ ବିଜୟ। ଝଟ୍କା ଖାଇଲେ ଧାମନଗରରେ। କଣ୍ଟା ସାଜିଲେ ବିଦ୍ରୋହୀ ପ୍ରାର୍ଥୀ... ଜିତିପାରିଲେନି ବିଜେଡି ପ୍ରାର୍ଥୀ। ପଦ୍ମପୁରରେ ଏହାର କଡ଼ା ପ୍ରତିଶୋଧ ନେଲେ ନବୀନ। ନିଜେ ପ୍ରଚାରକୁ ଓହ୍ଲାଇ ବିଜେଡିକୁ ବଡ଼ ବିଜୟ ଦେଲେ। ନବୀନଙ୍କ ସାମ୍ନାରେ ବିରୋଧୀଙ୍କ ସବୁପ୍ରକାର ରଣନୀତି ଯେମିତି ନିଷ୍ପ୍ରଭ ହୋଇଯାଉଛି। ୨୨ ବର୍ଷର ଶାସନ ପରେ ସରକାରୀ ସପକ୍ଷ ହାୱା ବହୁଛି। ରାଜ୍ୟରେ ସରକାରୀ ବିରୋଧୀ ପ୍ରସଙ୍ଗ ଗଦା ହେଉଛି। ସରକାର ନିନ୍ଦିତ ହେଉଛନ୍ତି। ମନ୍ତ୍ରୀମାନେ ବଦନାମ ହେଉଛନ୍ତି। କିନ୍ତୁ ନବୀନ ସହିସଲାମତ। କିଛି ଅଭିଯୋଗର କଳା ଛିଟା ପଡ଼ୁନି ତାଙ୍କ ଧଳା ପାଇଜାମା ଉପରେ। ରାଜ୍ୟ ରାଜନୀତିରେ ଅନେକ ରେକର୍ଡର ଅଧିକାରୀ ହୋଇଚାଲିଛନ୍ତି।
୨୦୨୨ର ରାଜ୍ୟ ରାଜନୀତି ନବୀନଙ୍କ ସପକ୍ଷରେ ହିଁ ଥିଲା...
ପ୍ରସ୍ତୁତି: ଚୌଧୁରୀ ଅମିତାଭ ଦାସ, ବିଶ୍ବଜିତ ଦାଶ
ଅଳଙ୍କରଣ: ନିଶାନ୍ତ ପ୍ରିୟମ୍ବଦ ଦାସ, କାର୍ଟୁନ୍: ଦେବାଶିଷ ସିଂହ
ଗାଁ, ସହରରେ ଶଙ୍ଖର ଜୟଧ୍ବନି
୨୦୧୯ରେ ଦୁଇଟି ବଡ଼ ନିର୍ବାଚନ ଦେଖିଲା ଓଡ଼ିଶା। ଦୀର୍ଘ ଦିନ ବ୍ୟବଧାନରେ ହେଲା ପୌର ନିର୍ବାଚନ। ପୁଣି ନିର୍ଦ୍ଧାରିତ ସମୟରେ ହେଲା ପଞ୍ଚାୟତ ନିର୍ବାଚନ। ଉଭୟ ଗାଁ ଓ ସହର ଲୋକ ତୃଣମୂଳ ସ୍ତରରେ ପାଇଲେ ନୂଆ ନେତା। ଫଳାଫଳ ପୂରା ଏକପାଖିଆ ହୋଇଗଲା। ପଞ୍ଚାୟତ ନିର୍ବାଚନରେ ୩୦ଟି ଯାକ ଜିଲ୍ଲା ପରିଷଦରେ ଶଙ୍ଖନାଦ ହେଲା। ଗୋଟିଏ ବି ପରିଷଦ ଦଖଲ କରିବାକୁ ବିଜେପି କି କଂଗ୍ରେସ ସକ୍ଷମ ହେଲେନି। ସେହିପରି ପୌର ନିର୍ବାଚନରେ ୭୫%ରୁ ଅଧିକ ପୌରପାଳିକାକୁ ଦଖଲ କଲା ବିଜେଡି। ୨୦୧୯ ସାଧାରଣ ନିର୍ବାଚନର ତିନି ବର୍ଷ ପରେ ହୋଇଥିଲା ଏହି ମହାସମର। କିନ୍ତୁ ୧୯ର ସଫଳତାର ବିଜେଡି ଦୋହରାଇ ରାଜ୍ୟ ରାଜନୀତିରେ ନିଜର ଦବ୍ଦବା ଜାରି ରଖିଲା।
ବିଜେଡିକୁ ଧାମନଗର ଝଟ୍କା
ନିର୍ବାଚନରେ ଅପରାଜେୟ ରହି ରେକର୍ଡ ପରେ ରେକର୍ଡ କରୁଥିବା ବିଜେଡିକୁ ଧାମନଗରରେ ଶକ୍ତ ଝଟ୍କା ଲାଗିଥିଲା। ଏଠାରେ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଉପନିର୍ବାଚନ ହୋଇଥିଲା। ବିଜେପି ପ୍ରାର୍ଥୀ କରିଥିଲା ସ୍ବର୍ଗତ ସେଠୀଙ୍କ ପୁଅ ସୁରଜ ସୂର୍ଯ୍ୟବଂଶୀଙ୍କୁ। ୨୦୧୯ ନିର୍ବାଚନରେ ବିଜେଡିର ପ୍ରାର୍ଥୀ ହୋଇଥିବା ରାଜୁ ଦାସ ଏଥର ବି ପ୍ରମୁଖ ଦାବିଦାର ଥିଲେ। କିନ୍ତୁ ଦଳ ତାଙ୍କୁ ଉପେକ୍ଷା କରି ପ୍ରାର୍ଥୀ କରାଇଲା ଅବନ୍ତୀ ଦାସଙ୍କୁ। ଦଳୀୟ ନିଷ୍ପତ୍ତିକୁ ପ୍ରତିବାଦ କରି ରାଜୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନକୁ ଓହ୍ଲାଇଲେ। ପ୍ରଥମ ଥର ପାଇଁ ଦଳୀୟ ନିଷ୍ପତ୍ତିକୁ ଖୋଲା ଚ୍ୟାଲେଞ୍ଜ୍ ଦେଇ ରାଜୁ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କଲେ। ଆଉ ଶେଷରେ ବିଜେଡି ପ୍ରାର୍ଥୀ ପରାଜିତ ହେଲେ। କେବଳ ରାଜୁଙ୍କ ପାଇଁ ହିଁ ଅଙ୍କ ଓଲଟିଗଲା ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଇଲା।
ବ୍ରଜରାଜନଗର, ପଦ୍ମପୁରରେ ଶଙ୍ଖ
ମେ’ ମାସରେ ବ୍ରଜରାଜନଗର ଓ ଡିସେମ୍ବର ମାସରେ ପଦ୍ମପୁର ଉପନିର୍ବାଚନରେ ବିଜେଡି ଏକତରଫା ବିଜୟ ହାସଲ କଲା। ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ବ୍ରଜରାଜନଗରରେ ଉପନିର୍ବାଚନ ହୋଇଥିଲା। ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ସ୍ବର୍ଗତ ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି। ଏହି ଉପନିର୍ବାଚନରେ ବିଜେଡି ପ୍ରାର୍ଥୀନୀ ୬୫ ହଜାରରୁ ଅଧିକ ଭୋଟ୍ରେ ବିଜୟ ଲାଭ କଲେ। ଏଠାରେ କଂଗ୍ରେସ ପ୍ରାର୍ଥୀ ଦ୍ବିତୀୟ ସ୍ଥାନରେ ରହିଲେ। ଡିସେମ୍ବର ମାସରେ ପଦ୍ମପୁରରେ ହୋଇଥିବା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀନୀ ବର୍ଷା ସିଂହ ବରିହା ୪୦ ହଜାରରୁ ଅଧିକ ଭୋଟ୍ରେ ବିଜୟ ଲାଭ କଲେ। ଦୁଇଟି ଯାକ ସ୍ଥାନରେ ୨୦୧୯ ସାଧାରଣ ନିର୍ବାଚନ ଠାରୁ ବିଜେଡି ଭୋଟ୍ ବୃଦ୍ଧି ପାଇଥିଲା। ଧାମନଗର ବିଜୟ ପରେ ପୂରା ଦମ୍ରେ ବିଜେପି ପଦ୍ମପୁରରେ ଲଢ଼ିଥିଲେ ବି ବହୁ ପଛରେ ପଡ଼ିଯାଇଥିଲା।
ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ
ପ୍ରତିବର୍ଷ ପରି ଏଥର ବି ‘ଇଣ୍ଡିଆ ଟୁଡେ’ ପକ୍ଷରୁ ମୁଡ୍ ଅଫ୍ ଦ ନେସନ୍ ସର୍ଭେ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀର ମାନ୍ୟତା ପାଇଥିଲେ। ଏପରିକି ଅରବିନ୍ଦ କେଜରିୱାଲ, ଯୋଗୀ ଆଦିତ୍ୟନାଥ ଏବଂ କେ. ଚନ୍ଦ୍ରଶେଖର ରାଓ, ମମତା ବାନାର୍ଜୀଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କୁ ନବୀନ ପଛରେ ପକାଇ ଦେଇଥିଲେ। ଓଡ଼ିଶାର ସବୁଠୁ ଅଧିକ ୫୧% ଲୋକ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କୁ ପସନ୍ଦ କରନ୍ତି ବୋଲି ମତ ଦେଇଥିଲେ।
କେବଳ ଏତିକି ନୁହେଁ, ଦୀର୍ଘ ୨୫ବର୍ଷ ଧରି ଜନସେବାରେ ନିଜକୁ ସମର୍ପିତ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ‘କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି’ ପକ୍ଷରୁ ‘ଜୀବନବ୍ୟାପୀ ସାଧାନା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।
୬୦ ଦିନ ବସିଲାନି ବିଧାନସଭା
ବିଧାନସଭା ଅଧିବେଶନ ବର୍ଷକୁ ୬୦ ଦିନ ବସିବାର ବ୍ୟବସ୍ଥା ରହିଛି। କିନ୍ତୁ ଲଗାତାର କିଛି ବର୍ଷ ହେଲା ଓଡ଼ିଶାରେ ୬୦ ଦିନ ଅଧିବେଶନ ଚାଲୁ ନାହିଁ। ଆଇନରେ ଥିବା ଗଳା ବାଟର ସୁଯୋଗ ନେଇ ବିଧାନସଭା କାର୍ଯ୍ୟଦିବସକୁ କାଣ୍ଟଛାଣ୍ଟ କରାଯାଉଛି। ୨୦୨୨ରେ ମଧ୍ୟ ପୂର୍ବ ବର୍ଷର ପୁନରାବୃତ୍ତି ହେଲା। ୨୫ ଦିନ କାର୍ଯ୍ୟଦିବସ ବାକି ଥାଇ ଶୀତ ଅଧିବେଶନକୁ ଅଧାରୁ ବନ୍ଦ କରିଦିଆଗଲା। ଚିରାଚରିତ ଭାବେ ସେହି ଗୋଟିଏ କାରଣ ଦେଖାଇ ଦିଆଗଲା- ବିଧାନସଭା ଗୃହରେ ଆଉ କୌଣସି କାର୍ଯ୍ୟ ନଥିବାରୁ ଗୃହକୁ ଚଳାଇ ରଖିବାର ଆବଶ୍ୟକତା ନାହିଁ। ସରକାରୀ ଦଳ ମୁଖ୍ୟ ସଚେତକଙ୍କ ଏହି ଧାଡ଼ିକିଆ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହରେ ପାରିତ ହେଲା। ବିଧାନସଭାକୁ ଏପରି ଅଧାରୁ ବନ୍ଦ ରଖିବା ଘଟଣାକୁ ସଚେତନ ନାଗରିକମାନେ ନାପସନ୍ଦ କରିଛନ୍ତି।