ଭୁବନେଶ୍ବର : ୧୯୯୯ ମହାବାତ୍ୟାରେ ଦି ଦି’ଟା ଭେଣ୍ଡିଆ ପୁଅକୁ ହରେଇଥିବା ମା’ ଟିଏ ମୁଁ। ନା ଆଗକୁ କିଏ ଅଛି, ନା ପଛକୁ। ଏମିତି ନୂଆବର୍ଷ କି ବଡ଼ଦିନ ଆସିଲେ, ମୁଁ ବି ଅନ୍ୟମାନଙ୍କ ସାଙ୍ଗେ ଟ୍ରେନ୍‌ରେ ଚଢ଼ି ଏଇ ରାଜଧାନୀ ଚାଲି ଆସେ। ଖାସ୍‌ ଏଇଥିପାଇଁ ଯେ ବଡ଼ବଡ଼ ବାବୁମାନେ କମ୍ବଳ ବାଣ୍ଟନ୍ତି। କିଛି ପଇସା ବି ଦିଅନ୍ତି। କୋଉ ବର୍ଷ ମିଳେ, ପୁଣି କୋଉ ବର୍ଷ ମିଳେନି। ଯେବେ ପୂରା ସହର ଜିରୋ-ନାଇଟ୍‌ ଉତ୍ସବରେ ମସଗୁଲ୍‌ ଥିଲା, ଠିକ୍‌ ସେତିକିବେଳେ ପ୍ଲାଟ୍‌ଫର୍ମରେ ହାଡ଼ଭଙ୍ଗା ଶୀତରେ ଚାଦର ଭିତରୁ ଜଣେ ୭୮ ବର୍ଷୀୟା ବୃଦ୍ଧାଙ୍କ ଥରଥର ଓଠରୁ ଉତୁରି ଆସିଥିଲା ଏହି ଦରଦଭରା ଅଭିବ୍ୟକ୍ତି।

Advertisment

ପ୍ରତିବର୍ଷ ଠିକ୍‌ ଏମିତି ଶୀତ ରାତିରେ ନୂଆବର୍ଷ ବହୁ ଆଡ଼ମ୍ବର ନେଇ ଆସେ। ମାତ୍ର ବୃଦ୍ଧା ସଂଜୁ ଦାସଙ୍କ ଭଳି ଚରିତ୍ରମାନେ କିଛି ପାଇବା ଆଶା ନେଇ ରାଜଧାନୀକୁ ଧାଇଁ ଆସନ୍ତି। ନୂଆବର୍ଷରେ ଖୋଲା ଆକାଶ ତଳେ ତାଙ୍କର ଉପସ୍ଥିତି ସମ୍ପର୍କରେ ପଚାରିବାରୁ ସଂଜୁ କହିଲେ, ଯେବେଠୁ ମୋ’ ଦୁଇ ପୁଅ ବାତ୍ୟାରେ ଚାଲି ଯାଇଛନ୍ତି, ତାଙ୍କ ସହ ମୋର ସବୁ ସୁଖ ଚାଲି ଯାଇଛି। ପିଲାଙ୍କୁ ହରାଇବା ଦୁଃଖରେ ମୋ ସ୍ବାମୀ ବି ଆରପାରିକୁ ଚାଲିଗଲେ। ବନ୍ଧୁବାନ୍ଧବ, ଭାଇସାହି ଅଛନ୍ତି। ହେଲେ ମୋ ପାଇଁ ଯେମିତି ସମସ୍ତେ ମୂକ ପାଲଟି ଯାଇଛନ୍ତି। ସରକାରଙ୍କ ଦୟାରୁ ସିନା ୫ କେଜି ଚାଉଳ ମିଳି ଯାଉଛି, ହେଲେ ତେଲ ଲୁଣ ପାଇଁ ଏ ବୟସରେ କାହା ପାଖେ ହାତ ପତାଇବି? ସେଇଥିପାଇଁ ତ ଏ ହାଡ଼ଭଙ୍ଗା ଶୀତକୁ ଖାତିର ନକରି ଏଇଠିକି ଚାଲି ଆସେ। ମୁଣ୍ଡ ପିଛା ୮ ହଜାର ଟଙ୍କା ଖର୍ଚ କରି ଯେତେବେଳେ ଅନେ‌‌‌‌‌କେ ତାରକା ହୋଟେଲ୍‌ରେ ଜିରୋ ନାଇଟ୍ ଉତ୍ସବ‌ରେ ମାତିଥିଲେ ସେତେବେଳେ ସଂଜୁ ଓ ତାଙ୍କ ଭଳି ଚରିତ୍ରମାନେ ଖୋଲା ଆକାଶ ତଳେ ବର୍ଷକ ପାଇଁ ତେଲ ଲୁଣର ଅଙ୍କ କଷୁଥିଲେ।

ସଂଜୁଙ୍କ କଥାର ପେଡ଼ି ଭିତରେ ମଜି ଯାଉଯାଉ ତାଙ୍କର ଆଉ ଏକ କଥା ତାଜୁବ କରିଦେଇଥିଲା। ତାଙ୍କ କହିବା ମୁତାବକ, କମ୍ବଳଟିଏ ଦେବା ପରେ ବି ସେ ତାକୁ ଘୋଡ଼ି ହୁଅନ୍ତି ନାହିଁ। ବରଂ କମ୍ବଳକୁ ବ୍ୟାଗ୍‌ରେ ଭର୍ତି କରି ପୁଣି ସେଇ ଚାଦର ଘୋଡ଼ି ହୋଇ ଶୋଇ ଯାଆନ୍ତି। ପ୍ରଥମତଃ ତାଙ୍କ ଦେହରୁ ମଦୁଆମାନେ କମ୍ବଳଟା କାଢ଼ି ନେଇଯିବାର ଭୟ ଏବଂ ଦ୍ବିତୀୟରେ ଆଉ ଗୋଟେ କମ୍ବଳ ମିଳିଯିବାର ଆଶା।

୩୧ ଡିସେମ୍ବରର ରାତି ଯେତେ ଗାଢ଼ ହେଉଥିଲା କମ୍ବଳ ବାଣ୍ଟୁଥିବା ବଦାନ୍ୟ ବ୍ୟକ୍ତିଙ୍କୁ ସେମାନେ ବାବୁ ବାବୁ ବୋଲି ଡାକି ଦଉଡ଼ି ଯାଉଥିଲେ ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ। ଏଥିରେ ତାଙ୍କର ବହୁତ ବଡ଼ ପରିବର୍ତନ ହୋଇଯିବାର ଆଶା ନଥିଲା। କାରଣ ସେମାନେ ଜାଣିଥିଲେ ଏମିତି ଅନେକ ନୂଆବର୍ଷ ଆସିଛି, ଆଉ ଯାଇଛି। ହେଲେ ସେମାନେ ଯୋଉଠି ଥିଲେ ସେଇଠି ଅଟକି ଯାଇଛନ୍ତି।