ଭୁବନେଶ୍ବର: ରାସ୍ତାବାଡ଼, କାନ୍ଥ ଇତ୍ୟାଦି ଗୁଟ୍‌ଖା ଛେପରେ ରଙ୍ଗେଇ ହେଉଛି। ପାନ ଦୋକାନଠାରୁ ଆରମ୍ଭ କରି ସ୍ନାକ୍ସ ଦୋକାନରେ ମାଳ ମାଳ ଗୁଟ୍‌ଖା ପ୍ୟାକେଟ୍‌ ଝୁଲୁଛି। ଗାଁ ହେଉ ବା ସହର ଗଳିକନ୍ଦିରେ ବିଡ଼ି, ସିଗାରେଟ୍‌ ଧୂଆଁ ଭରି ଗଲାଣି। ଗତ ୧୨ ବର୍ଷ ହେବ ଗୁଟ୍‌ଖା ନିଷିଦ୍ଧ ହୋଇଥିବା ଓଡ଼ିଶାର ଏହା ହେଉଛି ଚିତ୍ର। ମୋଟାମୋଟି ଭାବେ ପୂର୍ବରୁ ରାଜ୍ୟରେ ଯେଉଁଭଳି ଭାବେ ଗୁଟ୍‌ଖା ବିକ୍ରି ହେଉଥିଲା ଆଜିର ଦିନରେ ମଧ୍ୟ ସମାନ ଅବସ୍ଥା। ଚଳିତ ମାସ ୭ତାରିଖରୁ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ବିଶ୍ବର ବିଭିନ୍ନ ସ୍ଥାନରୁ ପ୍ରବାସୀ ଭାରତୀୟ ରାଜଧାନୀକୁ ଆସିବେ। ବିଭିନ୍ନ ପର୍ଯ୍ୟଟନସ୍ଥଳୀ ସେମାନଙ୍କୁ ବୁଲାଇ ନେବା ଲାଗି ରାଜ୍ୟ ସରକାର ଯୋଜନା କରିଛନ୍ତି। କିନ୍ତୁ ଯେଉଁଭଳି ଭାବେ ଗୁଟ୍‌ଖା ଛେପ ସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଅନ୍ୟାନ୍ୟ ସ୍ଥାନରେ ରଙ୍ଗେଇ ହୋଇଛି, ତାହାର ଅନନ୍ୟ କଳା ‌ଏଠାରେ ଦେଖିବାକୁ ପାଇବେ ବୋଲି ‌ଲୋକମାନଙ୍କ ଭିତରେ ଆଲୋଚନା ହେଉଛି। 

Advertisment

୨୦୧୩ ମସିହା ଜାନୁଆରି ୧ ତାରିଖରେ ରାଜ୍ୟ ସରକାର ଗୁଟ୍‌ଖାର ଉତ୍ପାଦନ, ବିକ୍ରି ଉପରେ ରୋକ୍ ଲଗାଇଥିଲେ। ଗୁଟ୍‌ଖା ନିଷିଦ୍ଧର ୧୨ବର୍ଷ ପରେ ବି ରାଜ୍ୟରେ ଖୁଲମଖୁଲା ଗୁଟ୍‌ଖା ବିକ୍ରି ଚାଲିଛି। ତମାଖୁ ସେବନକୁ ନେଇ ହୋଇଥିବା ୩ଟି ବିଭିନ୍ନ ସର୍ଭେରେ ଓଡ଼ିଶାର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି। ରାଜ୍ୟରେ ତମାଖୁ ସେବନର ହାରାହାରି ବୟସ ୧୦.୨ବର୍ଷ ରହିଛି। ଅର୍ଥାତ୍ ବିଦ୍ୟାଳୟରେ ପଢ଼ିବା ସମୟରୁ ହିଁ ପିଲାମାନେ ତମାଖୁର କୁଅଭ୍ୟାସରେ ପଡ଼ୁଛନ୍ତି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ବା ଏନ୍‌ଏଫ୍‌ଏଚ୍‌ଏସ୍‌-୫ ରେ ତମାଖୁ ସେବନ ସଂପର୍କରେ ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ଏଥିରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ତମାଖୁ ସେବନ କରିଥିବା କୁହାଯାଇଛି। ବିଶ୍ବ ଯୁବ ତମାଖୁ ସର୍ଭେ (ଜିୱାଇଟିଏସ୍‌)-୨୦୧୯କୁ ବିଚାରକୁ ନିଆଯାଏ ତାହାଲେ ରାଜ୍ୟର ୬.୨% ଯୁବପିଢ଼ି ତମାଖୁ ସେବନ କରୁଛନ୍ତି। ଏଥିରେ କେବଳ ଧୂମପାନ କରୁଥିବା ଯୁବକଙ୍କ ହାର ୫.୩% ଥିବା ବେଳେ ଯୁବତୀଙ୍କ ହାର ରହିଛି ୩.୯%। 

ତମାଖୁ ସେବନ କଡ଼ାକଡ଼ି ପାଇଁ ସଂଶୋଧିତ ନୂଆ ଆଇନ ଆଣିପାରିଲେନି
ମାନୁଆଲ୍‌ ବଦଳରେ ଅନ୍‌ଲାଇନ୍‌ରେ ଜରିମାନା ଆଦାୟ ନେଇ ଆଲୋଚନା
କାଁ ଭାଁ ଚଢ଼ଉରେ ସୀମିତ ରହିଛି କାର୍ଯ୍ୟାନୁଷ୍ଠାନ

ତମାଖୁ ନିୟନ୍ତ୍ରଣ ପାଇଁ ତମାଖୁ ଓ ଅନ୍ୟ ତମାଖୁ ଉତ୍ପାଦ (କୋଟ୍‌ପା)ଆଇନ,୨୦୦୩ କାର୍ଯ୍ୟକାରୀ ହୋଇଛି। ଏହା ଏକ କେନ୍ଦ୍ରୀୟ ଆଇନ ହୋଇଥିବା ବେଳେ ଏଥିରେ ସାଧାରଣ ସ୍ଥାନରେ ତମାଖୁ ସେବନ ପାଇଁ ଜରିମାନା ଆଦାୟ ଅର୍ଥ ୨ଶହ ଟଙ୍କା ରହିଛି। ଏହି ଜରିମାନା ରାଶି ବଢ଼ାଇବା ସହ କୋଟ୍‌ପା ଆଇନରେ ରାଜ୍ୟ ସରକାର କିଛିଟା ନୂଆ କଟକଣା ଯୋଡ଼ିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ଅନ୍ୟ ରାଜ୍ୟମାନଙ୍କରେ ଏଭଳି କିଛି ଆଇନର ତର୍ଜମା ମଧ୍ୟ ହୋଇଥିଲା। ଗତ ୭ରୁ ୮ବର୍ଷ ଧରି ଏହା ଉପରେ ତର୍ଜମା କରିବା ପରେ ଏବେ ସରକାର କୌଣସି ନିଷ୍ପତ୍ତି ନେଇପାରି ନାହାନ୍ତି। ବରଂ କେନ୍ଦ୍ର ସରକାର ଯଦି କୋଟ୍‌ପାରେ କିଛି ସଂଶୋଧନ କରି ଆଇନକୁ କଡ଼ାକଡ଼ି କରିବେ ତାହାକୁ ପାଳନ କରିବା ଲାଗି ଅନାଇଛନ୍ତି ରାଜ୍ୟ ସରକାର। ୨୦୧୦ ମସିହାରୁ ୨୦୨୪ ଭିତରେ ରାଜ୍ୟରେ ତମାଖୁ ସେବନ ବାବଦରେ ୧.୫ କୋଟି ଟଙ୍କା ଜରିମାନା ଆଦାୟ ହୋଇଛି। ବର୍ଷକୁ ପ୍ରାୟ ୧୦ଲକ୍ଷ ଟଙ୍କା ତଣ୍ଡ ଗଣୁଛନ୍ତି ଉଲ୍ଳଂଘନକାରୀ। ହେଲେ ଏହି ଜରିମାନା ଆଦାୟ ସାମୂହିକ ଭାବେ ରାଜ୍ୟରେ ତମାଖୁ ସେବନ ହାରକୁ କମାଇବାରେ ସଫଳ ହୋଇପାରିନାହିଁ। ଯାହା ଫଳରେ ରାଜ୍ୟରେ ମୁଖ ଗହ୍ବର କର୍କଟ ପ୍ରତି ବର୍ଷ ବଢ଼ିବାରେ ଲାଗିଛି। ବର୍ଷକ ତଳେ ଅଭିନେତା ସାତ୍ୟକୀ ମିଶ୍ର ଗୁଟ୍‌ଖା ସେବନ ପାଇଁ କର୍କଟରେ ଆକ୍ରାନ୍ତ ହୋଇଥିବା ଗଣମାଧ୍ୟମରେ କହିଥିଲେ, ଯାହାକୁ ନେଇ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଗୁଟ୍‌ଖା ବର୍ଜନ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ହେଲେ ଯୁବପିଢ଼ିଙ୍କ ଉପରେ ସଚେତନତାର କୌଣସି ପ୍ରଭାବ ପଢ଼ୁନାହିଁ। 

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ତମାଖୁର ଏନ୍‌ଫୋର୍ସମେଣ୍ଟ ବା ପ୍ରବର୍ତ୍ତନ ପୁଲିସ ଉପରେ ନିର୍ଭର କରୁଛି। ଏଥିରେ ଯଥେଷ୍ଟ ସହଯୋଗ ମିଳିବା ଦରକାର। ଗୁଟ୍‌ଖା ନେଇ ମାମଲା ବିଚାରାଧୀନ ଥିବାରୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବ ହେଉନାହିଁ। ତମାଖୁ ସେବନର ଅପକାରିତା ସଂପର୍କରେ ଲୋକଙ୍କୁ ସଚେତନ କରିବା ଲାଗି ନିକଟରେ ଏକ ୨ମାସିଆ ଅଭିଯାନ କରାଯାଇଥିଲା। ଏଥିରେ ସାମାଜିକ ଗଣମାଧ୍ୟମରେ ସଚେତନତା, ଶୋଭାଯାତ୍ରା, ଏନ୍‌ଫୋର୍ସମେଣ୍ଟ, ତମାଖୁମୁକ୍ତ ଗ୍ରାମ ଘୋଷଣା ଓ ଶିକ୍ଷାନୁଷ୍ଠାନରେ ତମାଖୁର ଅପକାରିତା ସଂପର୍କରେ ବୁଝା ଯାଇଥିଲା। କୌଣସି ସ୍ଥାନରୁ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୁଲିସକୁ ପତ୍ର ଲେଖାଯାଉଛି। ତମାଖୁ ପ୍ରବର୍ତ୍ତନରେ ଓଡ଼ିଶା ଦେଶରେ ପ୍ରଥମ ୩ଟି ରାଜ୍ୟ ଭିତରେ ରହିଛି ବୋଲି ଅଧିକାରୀ ଜଣକ କହିଛନ୍ତି।