ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ଗସ୍ତରେ କୁକୁର ଯେଭଳି ସମସ୍ୟା ନ କରିବେ ସେ ନେଇ ବିଏମ୍‌ସି ତତ୍ପର ହୋଇଛି। ପ୍ରଧାନମନ୍ତ୍ରୀଙ୍କର ଯେଉଁ ଯେଉଁ ଜାଗାରେ ବୈଠକ ଅଛି ବା ଭୁବନେଶ୍ବରରେ ରହିବା ସମୟରେ ଯେଉଁ ରାସ୍ତାରେ ସେ ଯିବେ ସେହି ରାସ୍ତାରେ ଗୋଟିଏ ହେଲେ କୁକୁର ରହିବେନି। ଏଣୁ ବିଏମ୍‌ସି କୁକୁର ଧରା ଅଭିଯାନ ଆରମ୍ଭ କରିଛି। କିନ୍ତୁ ବି ଏମ୍‌ସି ପାଖରେ ଅଭିଜ୍ଞ କର୍ମଚାରୀ ନଥିବାରୁ ବୁଲା କୁକୁରମାନଙ୍କୁ ଧରିବାରେ ବିଏମ୍‌ସି ନୟାନ୍ତ ହେଲାଣି। ରାତି ପାହିଲେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର ପହଞ୍ଚିବେ ଓ ୩ଦିନ ରହିବେ। ଏଣେ ଯେତିକି କୁକୁର ଅଛନ୍ତି ସେ ସବୁ ଏ ଯାବତ୍‌ ଧରାଯାଇ ନଥିବାରୁ ରାତି ଅଧିଆ କୁକୁରଙ୍କୁ ଉଠାଇବାକୁ ବିଏମ୍‌ସି କର୍ମଚାରୀ ଲାଗିପଡ଼ିଛନ୍ତି। 

Advertisment

ଧରିବା ଅଭ୍ୟାସ ନାହିଁ, ରାସ୍ତା ମଝିରେ ଅଭାବନୀୟ ସ୍ଥିତି

ବିଏମ୍‌ସିରେ କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ବନ୍ଦ ରହିଛି। ଅପରେସନ ଓ ଟିକାକରଣ କରିବାକୁ ଠିକା ନେଇଥିବା ସଂସ୍ଥା ଭେଟ୍‌ସ୍‌ ଫର ଆନିମଲ୍ସ ପେଡ଼ିପୁଟୁଳି ବାନ୍ଧି ଫେରିଯାଇଛି। ଅପରେସନ ଚାଲିଥିବା ବେଳେ ଏହି ସଂସ୍ଥାରେ ପ୍ରଶିକ୍ଷଣପ୍ରାପ୍ତ କର୍ମଚାରୀ ଏକ ସ୍ବତନ୍ତ୍ର କୌଶଳ ବ୍ୟବହାର କରି କୁକୁର ଧରୁଥି‌ଲେ। ଦିନରେ ଠାବ କରି ରାତିରେ ଧରୁଥିଲେ। ଯେଉଁଠି ଧରାଦେଉନଥିଲେ ବା ତରକା କୁକୁର ଥିଲେ ସେଠାରେ ସେମାନେ ଦିନ ବେ‌ଳା ଖାଇବାକୁ ଦେଇ ବନ୍ଧୁତା ବାନ୍ଧୁଥିଲେ। ରାତିରେ ଧରିବା ସହଜ ହେଉଥିଲା। କିନ୍ତୁ ବର୍ଷ ବର୍ଷ ଧରି ବିଏମ୍‌ସିରେ ଥିବା କର୍ମଚାରୀ କୁକୁର ଧରି ନାହାନ୍ତି। ଯଦିଓ ପ୍ରଶିକ୍ଷଣ ନେଇଛନ୍ତି କିନ୍ତୁ ଅଭ୍ୟାସ ନାହିଁ। ଏବେ ମୋଦୀ ଆସିବା ପାଇଁ ପ୍ରମୁଖ ରାସ୍ତାଗୁଡ଼ିକରୁ କୁକୁର ହଟାଇବା ପାଇଁ ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତି ଆଧାରରେ ବିଏମ୍‌ସିର କର୍ମଚାରୀମାନେ ଜାଲ ଓ ଅଖା ଧରି ଗଳି ଗଳି ବୁଲୁଛନ୍ତି। କିନ୍ତୁ ଅଭ୍ୟାସ ନଥିବାରୁ ଧରିବା ସହଜ ହେଉ ନାହିଁ। ଗୋଟିଏ ଗୋଟିଏ କୁକୁର ପଛରେ ଦଉଡ଼ିବା ବେଳେ କିଏ ପଡ଼ି ଯାଉଛି ତ’ କାହାକୁ କୁକୁର ଗୋଡ଼ାଇଲେ ସେ ରାସ୍ତାକଡ଼ ଲୁହା ବାଡ଼ରେ ଚଢ଼ି ଯାଉଛି। ଫଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। କୁକୁର ଧରିବାବେଳେ ଆଜି ବିଚିତ୍ର ସ୍ଥିତି ସୃଷ୍ଟି ହୋଇଥିଲା: ଯେଉଁ ଗାଡ଼ିରେ ଲଦି କୁକୁରଙ୍କୁ ଆଣିବାର ଥିଲା, ତାହା ଷ୍ଟାର୍ଟ ହୋଇନଥିଲା। ଫଳରେ ଗାଡ଼ି ନେଇଯାଇଥିବା ବିଏମ୍‌ସି କର୍ମଚାରୀଙ୍କ ସହିତ ମିଶି ସେଠାରେ ଥିବା କିଛି ପୁଲିସ କର୍ମଚାରୀ ଗାଡ଼ିକୁ ଠେଲି ଠେଲି ଷ୍ଟାର୍ଟ କରାଇଥିଲେ। ୩ ଦିନ ହେଲାଣି ଏଭଳି ପାଲା ଚାଲିଛି। ଯେଉଁଠି ୧୦୦ କୁକୁର ଧରିବା ଟାର୍ଗେଟ୍‌ ଥିଲା ସେଠାରେ ୩୦ଟି ଧରା ହୋଇଛି। ଏ ସବୁଙ୍କୁ ଧରାଯାଇ କୁକୁର ଅପରେସନ ହେଉଥିବା ମଞ୍ଚେଶ୍ବରର ପୁରୁଣା କର୍ମଜୀବୀ ମହିଳା ହଷ୍ଟେଲ ପରିସରରେ ରଖାଯାଉଛି। ଏଣେ ଯେଉଁଠୁ ଧରା ହେବେ ସେଇଠି ଛଡ଼ା ହେବା ନିୟମ ରହିଛି। ସେଥିପାଇଁ ଧରିବା ପରେ ଅପ‌ରେସନ କେନ୍ଦ୍ରରେ ଥିବା ସ୍ବତନ୍ତ୍ର ଘରେ ରଖାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ସେମାନଙ୍କୁ ସମ୍ପୃକ୍ତ ସ୍ଥାନରେ ଛଡ଼ା ଯିବ। 

ଯେଉଁ ଘରେ ଏମାନଙ୍କୁ ରଖାଯାଉଛି, ସେ ଘରଗୁଡ଼ିକୁ ନାମକରଣ କରାଯାଇଛି। ଏୟାରପୋର୍ଟ, ଏଜି ଛକ, ମେଡିକାଲ ଛକ, ବିଜେପି ପାର୍ଟି ଅଫିସ, ଲୋକସେବା ଭବନ, ୭ମ ବାଟାଲିୟନ ରୁମ୍‌ ସାମ୍ନାରେ ଏଭଳି ନାଁ ଲେଖା ହୋଇଛି। ଦୁଇବେଳା ପେଟ ଭରି ଖାଇବାକୁ ଦିଆଯାଉଛି। ବେଳେ ବେଳେ ଚିକେନ୍‌ ବିରିୟାନି ଦିଆଯାଉଛି। ରାସ୍ତାରେ ବୁଲୁଥିବା କୁକୁରଙ୍କୁ ଗୋଟିଏ ଘରେ ପୁରାଇ ଦିଆଯାଇଥିବାରୁ ସେଠାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଜଣେ ଭୋକିବା ଆରମ୍ଭ କଲେ ଅନ୍ୟମାନେ ଭୋକୁଛନ୍ତି। ୩୦ କୁକୁର ଏକାଠି ଭୋକିଲେ ରାତିରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି। ପ୍ରବାସୀ ଭାରତୀୟ ସମ୍ମିଳନୀ ସରିବା ପର୍ଯ୍ୟନ୍ତ ଏହି କୁକୁର ଏଠାରେ ରହିବେ। ଏମାନଙ୍କର ସଂଖ୍ୟା ମଧ୍ୟ ବଢ଼ିବ। ଏଣୁ ପରିସ୍ଥିତି ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି।