କରୋନା ପାଇଁ ଦୁର୍ଦ୍ଦିନରେ ୯୦ ହଜାର ପାଲା କଳାକାର: ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲା ପାଲା ଗାୟକ ପରିଷଦ

ଭୁବନେଶ୍ବର: ପାଲାକୁ ଜୀବିକା କରି ଚଳୁଥିବା ରାଜ୍ୟର ପାଖାପାଖି ୯୦ହଜାର ପାଲା କଳାକାର ଓ ସେମାନଙ୍କ ପରିବାର ଏବେ ଦୁର୍ଦ୍ଦିନରେ ଜୀବନଯାପନ କରୁଛନ୍ତି। କରୋନା ଓ ଲକ୍‌ଡାଉନ୍‌ ସେମାନଙ୍କୁ ତଳିତଳାନ୍ତ କରିଦେଇଛି। ଅବସ୍ଥା ଏମିତି ହୋଇଛି ଯେ ଏବେ ସେମାନେ ଦିନକୁ ଦୁଇବେଳା ଖାଦ୍ୟ ଯୋଗାଡ଼ କରିବା ପାଇଁ ସଂଘର୍ଷ କରୁଛନ୍ତି। ତେଣୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଶ୍ରୀନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦ ଅନୁରୋଧ କରିଛି।

ଆଜି ସାମ୍ବାଦିକ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପରିଷଦର ସଭାପତି ମଦନ ମୋହନ ଜେନା କହିଛନ୍ତି, ପାଲା ଓଡ଼ିଶାର ସାଂସ୍କୃତିକ ପରିଚୟ। ହେଲେ ମହାମାରୀ ଯୋଗୁଁ ପାଲା କଳାକାରଙ୍କ ଜୀବନ ଦୁର୍ବିଷହ ହୋଇପଡ଼ିଛି। ଗତବର୍ଷର ୯ ମାସ ଓ ଚଳିତ ବର୍ଷ ୪ ମାସର କଟକଣା ଯୋଗୁଁ ସେମାନଙ୍କ ଜୀବିକାରେ ତାଲା ପଡ଼ି ଯାଇଛି। ଏବେ ବି ନାଇଟ୍‌ କଫ୍ୟୁ ଜାରି ରହିଥିବାରୁ ସେମାନେ ପାଲା ପରିବେଷଣ କରିପାରୁନାହାନ୍ତି। ତେଣୁ ଏପରି ସ୍ଥିତିରେ ସରକାର ସେମାନଙ୍କୁ ସହାୟତା କରନ୍ତୁ ବୋଲି ଶ୍ରୀ ଜେନା କହିଛନ୍ତି।

ପ୍ରତି ପାଲା କଳାକାରଙ୍କୁ ୨୦ ହଜାର ଟଙ୍କାର ସ୍ବତନ୍ତ୍ର କରୋନା ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ରାଶି ୩ ହଜାର ଟଙ୍କାକୁ ବୃଦ୍ଧି, ୧୦ଲକ୍ଷ ଟଙ୍କାର ଗୋଷ୍ଠୀ ସ୍ବାସ୍ଥ୍ୟବୀମା ଅନ୍ତର୍ଭୁକ୍ତ କରିବା, ଆକସ୍ମିକ ମୃତ୍ୟୁ ହେଲେ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା, ପାଲା ମଞ୍ଚକୁ ୫ଦିନ ପର୍ଯ୍ୟନ୍ତ ପାଲା ପରିବେଷଣ ପାଇଁ ଆର୍ଥିକ ସହାୟତା, ରାଜ୍ୟ ସଙ୍ଗୀତ ନାଟକ ଏକାଡେମିରେ ପାଲାଗାୟକ ପ୍ରତିନିଧିତ୍ବକୁ ନିଶ୍ଚିତ କରିବା, ପାଲା ଏକାଡେମି ପ୍ରତିଷ୍ଠା, ପରିଷଦର ସ୍ଥାୟୀ କାର୍ଯ୍ୟାଳୟ ଓ ପାଠାଗାର ପାଇଁ ରାଜଧାନୀରେ ବିନା ମୂଲ୍ୟରେ ଜମି ଯୋଗାଇଦେବା ଓ ସଚେତନତାଭିତ୍ତିକ ‌ଲୋକକଲ୍ୟାଣ କାର୍ଯ୍ୟକ୍ରମରେ ପାଲା ପ୍ରଦର୍ଶନ ନିଶ୍ଚିତ କରାଯାଉ ବୋଲି ପରିଷଦ ପକ୍ଷରୁ ଦାବି କରାଯାଇଥିଲା। ଏହି ୧୦ ଦଫା ସମ୍ବଳିତ ଏକ ଦାବିପତ୍ର ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦା‌ନ କରାଯାଇଛି ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦନା ମଣ୍ଡଳୀ ନିର୍ଦ୍ଦେଶକ ଅମିୟ କୁମାର ପଟ୍ଟନାୟକ, ସାଧାରଣ ସମ୍ପାଦକ ବସନ୍ତ କୁମାର ରାଉତ, ସ୍ଥାୟୀ ସଭାପତି ପଦ୍ମଶ୍ରୀ ରଜକ କର ଓ ସ୍ଥାୟୀ ଉପସଭାପତି ବିନାୟକ ରଥ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର