ହାଇବ୍ରିଡ୍‌ ମିଡଟର୍ମ ଏଣ୍ଡୋକନ୍-୨୦୨୧ ଉଦ୍‌ଘାଟିତ: ପେଟରୋଗ ସମ୍ବନ୍ଧୀୟ ନୂତନ ଜ୍ଞାନକୌଶଳକୁ ପହଞ୍ଚାଇବାର ପ୍ରୟାସ

ପ୍ରଥମ ଥର ଲାଗି ଭୁବନେଶ୍ବରରେ ଅନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ବର: ସୋସାଇଟି ଅଫ ଗ୍ୟାଷ୍ଟ୍ରୋଏଣ୍ଟେରୋ‌ଲୋଜି ଏଣ୍ଡୋ‌ସ୍କୋପି ଅଫ୍‌ ଇଣ୍ଡିଆ ବା ଏସ୍‌ଜିଇଆଇ ପକ୍ଷରୁ ଆଜି ହୋଟେଲ ମେ ଫେୟାରରେ ହାଇବ୍ରିଡ୍ ମିଡଟର୍ମ ଏଣ୍ଡୋକନ୍-୨୦୨୧ ଉଦ୍‌ଘାଟିତ ହୋଇଛି। ଡାକ୍ତରୀ ବିଜ୍ଞାନ କ୍ଷେତ୍ରରେ ବିପ୍ଲବ ପାଇଁ ପ୍ରଥମଥର ଲାଗି ଭୁବନେଶ୍ବରରେ ଏଭଳି ଏକ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି, ଯେଉଁଥିରେ ଦେଶବିଦେଶରୁ ୧୫ ହଜାର ଡାକ୍ତର ଭର୍ଚୁଆଲରେ ଭାଗ ନେଇଛନ୍ତି। ବିଶ୍ବର ପ୍ରତିଷ୍ଠିତ ପେଟରୋଗ ଡାକ୍ତରମାନେ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜ ନିଜର ବହୁମୂଲ୍ୟ ଅଭିଜ୍ଞତା ବାଣ୍ଟିବା ସହ ପେଟରୋଗର ଚିକିତ୍ସା କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ଉପ‌ଯୋଗ ସଂପର୍କରେ ଆଲୋଚନା କରିଛନ୍ତି।

ଉଦ୍‌ଘାଟନୀ ଉତ୍ସବରେ ପଦ୍ମଭୂଷଣ ଡା.ନାଗେଶ୍ବରୀ ରେଡ୍ଡୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ସମ୍‌ ହସ୍ପିଟାଲର ପେଟରୋଗ ବିଶେଷଜ୍ଞ ଡା. ମନୋଜ ସାହୁ ଓ ଡା.ଅବିନାଶ ବାଲେକୁଡ଼ୁରୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ସମ୍ମଳନୀ ଆରମ୍ଭ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଡା.ରେଡ୍ଡୀ କହିଲେ, ଏଭଳି କାର୍ଯ୍ୟକ୍ରମ ଦ୍ବାରା ଓଡ଼ିଶାରେ କାର୍ଯ୍ୟରତ ଅନେକ କନିଷ୍ଠ ଡାକ୍ତର ପେଟରୋଗ ପାଇଁ ଉଦ୍ଦିଷ୍ଟ ନୂତନ ବୈଷୟିକ ଜ୍ଞାନ ହାସଲ କରିପାରିବେ। ଲୋକଙ୍କ ପାଖରେ ବୈଷୟିକ ଜ୍ଞାନକୌଶଳ ପହଞ୍ଚିବା ଫଳରେ ଓଡ଼ିଶାରେ ପେଟରୋଗ ଜନିତ ସମସ୍ୟାର ସମାଧାନ ହୋଇପାରିବ। ଭୁବନେଶ୍ବରରେ ଏଭଳି ଏକ ଅନ୍ତର୍ଜାତୀୟସ୍ତରର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାରୁ ସେ ଆୟୋଜକମାନଙ୍କୁ ସାଧୁବାଦ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡା.ସନ୍ଦୀପ ଲାଖଟକିଆ, ଡା.ଏସ୍‌.ପି ସିଂହଙ୍କ ସମେତ ଦେଶବିଦେଶରୁ ୧୫ହଜାରରୁ ଅଧିକ ଡାକ୍ତର ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି। ସମ୍ମିଳନୀର ସାଂଗଠନିକ ସଂପାଦକ ଡା.ସାହୁ ଏହି ସମ୍ମିଳନୀ ପ୍ରତିବର୍ଷ ଆୟୋଜନ କରିବା ଲାଗି ଉଦ୍ୟମ କରାଯିବ ବୋଲି ସୂଚନା ଦେଇଛନ୍ତି।

ଉଦ୍‌ଘାଟନୀ ଦିବସରେ ଓଡ଼ିଶାର କଳା ଓ ସଂସ୍କୃତିର ଛାପ ଦେଖିବାକୁ ମିଳିଥିଲା। ପ୍ରସିନ୍ଧ ବାଲୁକା ଶିଳ୍ପୀ ମାନସ ସାହୁ ରାଜ୍ୟର କଳା ସଂସ୍କୃତି ବାବଦରେ ସୂଚନା ଦେଇଥିଲେ। ଗୁରୁ ପୀତାମ୍ବର ବିଶ୍ବାଳଙ୍କ ଦ୍ବାର ପ୍ରସ୍ତୁତ ଓଡ଼ିଶୀ ନୃତ୍ୟକୁ ଉପସ୍ଥିତ କର୍ମକର୍ତା ବେଶ୍ ଉପଭୋଗ କରିଥିଲେ। ସମ୍ମିଳନୀରେ ଚିକିତ୍ସା ବିଜ୍ଞାନୀ, ସ୍ବାସ୍ଥ୍ୟ ବିଶେଷଜ୍ଞ, ଛାତ୍ର ଓ ଗବେଷକମାନେ ଯୋଗ ଦେଇଛନ୍ତି। ଆମେରିକୀୟ କଲେଜ ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ଆମେରିକାନ୍ ସୋସାଇଟି ଅଫ୍‌ ଏଣ୍ଡୋସ୍କୋପି ଓ ୱାର୍ଲଡ ଏଣ୍ଡୋସ୍କୋପି ସଂଗଠନ ଏଭଳି ସମ୍ମିଳନୀକୁ ସହାୟତାର ହାତ ବଢ଼ାଇଛନ୍ତି। ଏହା ଆସନ୍ତା ୨୪ତାରିଖ ପର୍ଯ୍ୟନ୍ତ ଚାଲିବ। ଆସନ୍ତାକାଲିଠାରୁ ବୈଷୟିକ ଜ୍ଞାନ କୌଶଳ ସମ୍ବନ୍ଧରେ ଆଲୋଚନା ଓ ତାଲିମ ଆରମ୍ଭ ହେବ।

ସମ୍ବନ୍ଧିତ ଖବର