ପୁରୁଣା ଭୁବନେଶ୍ବର: ପ୍ରଥମ ଥର ପାଇଁ ଭୁବନେଶ୍ବର ବ୍ଲକ୍ର ଅଧ୍ୟକ୍ଷ ପଦବି ଅଣସଂରକ୍ଷିତ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ପୂର୍ବରୁ ଏହି ବ୍ଲକ୍ରେ ଦୁଇ ଦୁଇ ଥର ଅନୁସୂଚିତ ଜାତି ଓ ଜନଜାତିର ମହିଳା ଅଧ୍ୟକ୍ଷା ହୋଇଥିଲେ ହେଁ ସାଧାରଣ ବର୍ଗର ମହିଳା ରାଜ୍ୟର ରାଜଧାନୀ ଭଳି ବ୍ଲକ୍ର ଅଧ୍ୟକ୍ଷା ପଦବିରେ ଅଧିଷ୍ଠିତ ହୋଇପାରିନଥିଲେ। ତେଣୁ ଏଥର ଅଣସଂରକ୍ଷିତ ମହିଳାଙ୍କ ପାଇଁ ସମିତି ସଭ୍ୟ ପଦବି ସଂରକ୍ଷିତ ଥିବା ପଞ୍ଚାୟତଗୁଡ଼ିକରେ ରାଜନୈତିକ ମାହୋଲ ସରଗରମ ହୋଇପଡ଼ିଛି।
ଏହି ବ୍ଲକର ମୋଟ୍ ୨୦ ପଞ୍ଚାୟତରୁ ୭ ପଞ୍ଚାୟତରେ ସମିତି ସଭ୍ୟ ପଦବି ସାଧାରଣ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ତେଣୁ ଆଜିଠାରୁ ଆଶାୟୀମାନେ ନିଜ ନିଜ ପଞ୍ଚାୟତରେ ନୂଆବର୍ଷ ଭୋଜି ବରାଦ କରିସାରିଲେଣି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପୁନର୍ବାର ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଏ ନେଇ କୌଣସି ଆପତ୍ତି ଅଭିଯୋଗ ଥିଲେ, ଆସନ୍ତା ୩ ତାରିଖ ମଧ୍ୟରେ ଅପିଲ୍ କରିବା ପାଇଁ କୁହାଯାଇଛି। ୩ ତାରିଖ ପରେ କୌଣସି ଆପତ୍ତି ଅଭିଯୋଗ ପହଞ୍ଚିଲେ, ତାହା ବିଚାରକୁ ନିଆଯିବ ନାହିଁ। ଏ ସଂକ୍ରାନ୍ତରେ ଆପତ୍ତି କିମ୍ବା ପ୍ରସ୍ତାବ, ମତାମତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରାଯାଇ ପାରିବ କିମ୍ବା ଡାକଯୋଗେ ପ୍ରେରଣ କରାଯାଇ ପାରିବ ବୋଲି କୁହାଯାଇଛି। ୨୦୧୧ ଜନଗଣନା ଅନୁସାରେ ଭୁବନେଶ୍ବର ପଞ୍ଚାୟତ ସମିତି ଅଧୀନସ୍ଥ ଅଞ୍ଚଳର ଲୋକସଂଖ୍ୟା ୧ ଲକ୍ଷ ୧୯ ହଜାର ୪୧। ଏମାନଙ୍କ ମଧ୍ୟରେ ଅନୁସୂଚିତ ଜାତି ବର୍ଗର ୧୮,୪୧୨ ଜଣ ରହିଥିବାବେଳେ ଅନୁସୂଚିତ ଜନଜାତି ବର୍ଗର ୧୧,୧୩୦ ଜଣ ଓ ଅନ୍ୟାନ୍ୟ ବର୍ଗର ୮୯,୪୯୯ ଜଣ ରହିଛନ୍ତି।
ମୋଟ ଜନସଂଖ୍ୟାର ୮.୯୭% ଅନୁସୂଚିତ ଜାତିବର୍ଗର ଓ ୧୬.୦୧% ଅନୁସୂଚିତ ଜନଜାତି ବର୍ଗର ବୋଲି ଜଣାପଡ଼ିଛି। ଚିଠା ସଂରକ୍ଷଣ ତାଲିକା ଅନୁସାରେ ଅନ୍ଧାରୁଆ ଗ୍ରାମ ପଞ୍ଚାୟତର ସରପଞ୍ଚ ପଦବି ମହିଳା, ଇଞ୍ଜଣା ଅଣ ସଂରକ୍ଷିତ, ଇଟିପୁର ମହିଳା, କଣ୍ଟାବାଡ଼ ମହିଳା, କଲ୍ୟାଣପୁର ଅଣ ସଂରକ୍ଷିତ, ଚନ୍ଦକା ଅନୁସୂଚିତ ଜାତି, ଟିକରପଡ଼ା ଅନୁସୂଚିତ ଜାତି ମହିଳା, ତମାଣ୍ଡୋ ମହିଳା, ଦାଢ଼ା ଅନୁସୂଚିତ ଜାତି ମହିଳା, ଦାରୁଠେଙ୍ଗ ଅଣ ସଂରକ୍ଷିତ, ଧଉଳି ଅନୁସୂଚିତ ଜାତି, ନଁପୁଟ ମହିଳା, ବରିମୁଣ୍ଡ ମହିଳା, ବାସୁଆଘାଇ ଅନୁସୂଚିତ ଜାତି, ମଳିପଡ଼ା ଅଣସଂରକ୍ଷିତ, ମେଣ୍ଢାଶାଳ ଅଣ ସଂରକ୍ଷିତ, ରଘୁନାଥପୁର ମହିଳା, ରଣସିଂହପୁର ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି ଶିଶୁପାଳଗଡ଼ ଅଣ ସଂରକ୍ଷିତ ଓ ଲିଙ୍ଗିପୁର ଅଣ ସଂରକ୍ଷିତ ରଖାଯାଇଛି।
୨୦ଟି ପଞ୍ଚାୟତ ସମିତି ସଦସ୍ୟ ମଧ୍ୟରୁ ୭ଟି ପଞ୍ଚାୟତ ସମିତି ପଦ ମହିଳାଙ୍କ ଲାଗି ସଂରକ୍ଷିତ ରହିଛି। ସେଗୁଡିକ ହେଲା ଇଞ୍ଜଣା, ଇଟିପୁର, କଣ୍ଟାବାଡ଼, ଟିକରପଡ଼ା, ତମାଣ୍ଡୋ, ମଳିପଡ଼ା ଓ ରଣସିଂହପୁର। ତେଣୁ ଏହି ୭ ପଞ୍ଚାୟତରୁ ବିଜୟୀ ହେବା ମହିଳା ଅଧ୍ୟକ୍ଷା ହେବେ।