ଭୁବନେଶ୍ବର(ଦିବ୍ୟାଶା ସାମନ୍ତରାୟ): ରାଜଧାନୀରେ ପ୍ରବଳ ଶୀତ ଅନୁଭୂତ ହେଲାଣି। ଏଣେ କିନ୍ତୁ ସହରରେ ଖୋଲା ଆକାଶ ତଳେ ଶହଶହ ସଂଖ୍ୟାରେ ନିରାଶ୍ରୟମାନେ ପଡ଼ିଛନ୍ତି। ବିଏମ୍ସି ପକ୍ଷରୁ ହୋଇଥିବା ରାତ୍ରି ଆଶ୍ରୟସ୍ଥଳୀ ଏମାନଙ୍କ ପାଇଁ କାମରେ ଆସୁନାହିଁ। ରାଜଧାନୀରେ ଆବଶ୍ୟକ ସଂଖ୍ୟକ ରାତ୍ରି ଆଶ୍ରୟସ୍ଥଳ ନଥିବା ବେଳେ କିଛି ସ୍ଥାନରେ ନିଜକୁ ନିରାଶ୍ରୟ ବୋଲି ଦାବି କରି ଅନେକ ବର୍ଷ ବର୍ଷ ଧରି ଡେରା ପକାଇ ରହିଛନ୍ତି। ତେଣୁ କିଛି ଆଶ୍ରୟସ୍ଥଳ ଛଦ୍ମବେଶୀ ନିରାଶ୍ରୟଙ୍କ ସ୍ଥାୟୀ କବ୍ଜାରେ ରହିଛି। ଏଣେ ପ୍ରକୃତ ନିରାଶ୍ରୟମାନେ ଶୀତକାକର ଥଣ୍ଡାରେ ରାଜପଥ କଡ଼ରେ ପଡ଼ିରହିବାକୁ ବାଧ୍ୟ ହେଉଛନ୍ତି।
ସୂଚନାନୁସାରେ ରାଜଧାନୀର ବିଭିନ୍ନ ସ୍ଥାନରେ ୭ଟି ସହରାଞ୍ଚଳ ବାସହୀନ ଆଶ୍ରୟସ୍ଥଳୀ ରହିଛି। ଏବେ ସବୁ ଆଶ୍ରୟସ୍ଥଳୀରେ ନିରାଶ୍ରୟ ଭର୍ତ୍ତି ହୋଇଥିବା ବିଏମ୍ସି ଦେଖାଉଛି। ଏଣେ କିନ୍ତୁ ବହୁ ନିରାଶ୍ରୟ ରାସ୍ତାକଡ଼ରେ ରାତି କଟାଉଛନ୍ତି। ସୁପ୍ରିମ୍କୋର୍ଟଙ୍କ ଆଦେଶ ଅନୁଯାୟୀ ପ୍ରତ୍ୟେକ ଲକ୍ଷେ ଜନସଂଖ୍ୟାରେ ଶହେ ଶଯ୍ୟା ବିଶିଷ୍ଟ ସହରାଞ୍ଚଳ ବାସହୀନଙ୍କ ପାଇଁ ରାତ୍ରି ରହଣି ବ୍ୟବସ୍ଥା କରିବା କଥା। ଭୁବନେଶ୍ବର ସହରରେ ଏବେ ଜନସଂଖ୍ୟା ୧୨ଲକ୍ଷରୁ ଅଧିକରେ ପହଞ୍ଚିଛି। ଏହି ଅନୁସାରେ ସହରର ରାତ୍ରି ଆଶ୍ରୟସ୍ଥଳୀଗୁଡ଼ିକରେ ୧୨୦୦ ଶଯ୍ୟା ରହିବା କଥା।
ମାତ୍ର ଏବେ ସହରର ୭ଟି ଆଶ୍ରୟସ୍ଥଳୀରେ ୪ ଶହରୁ କମ୍ ଶଯ୍ୟା ରହିଛି। ବରମୁଣ୍ଡା, ଗଙ୍ଗନଗର, ଚନ୍ଦ୍ରଶେଖରପୁର, ଅଶୋକନଗର, ଭୀମପୁର, ଘାଟିକିଆ ଓ ୟୁନିଟ୍-୩ରେ ଥିବା ଆଶ୍ରୟସ୍ଥଳୀଗୁଡ଼ିକୁ ଓଡ଼ିଶା ପତିତ ଉଦ୍ଧାର ସମିତି, ବିକାଶ ଓ ଅରୋଶିକା ନାମକ ଠିକା ସଂସ୍ଥା ପରିଚାଳିତ କରୁଛନ୍ତି। ୟୁନିଟ୍-୩ରେ ଥିବା ଆଶ୍ରୟସ୍ଥଳୀର କ୍ଷମତା ୧୦୦ ଶଯ୍ୟା ହୋଇଥିବା ବେଳେ ଗଙ୍ଗନଗର, ଚନ୍ଦ୍ରଶେଖରପୁର, ଅଶୋକନଗର, ଘାଟିକିଆରେ ୫୦ ଲେଖାଏଁ, ଭୀମପୁର ଓ ବରମୁଣ୍ଡାରେ ୨୮ଟି ଲେଖାଏଁ ଶଯ୍ୟା ରହିଛି। ଏବେ ବରମୁଣ୍ଡା ବସ୍ଷ୍ଟାଣ୍ଡ ନିର୍ମାଣାଧୀନ ଅବସ୍ଥାରେ ଥିବାରୁ ଏଠାରେ ଥିବା ଆଶ୍ରୟସ୍ଥଳ ବନ୍ଦ ରହିଛି। ୨୦୨୦ ମସିହାରେ ଶଯ୍ୟା ସଂଖ୍ୟା ବଢ଼ାଇବାକୁ ବିଏମ୍ସି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲାନାହିଁ।
ତେବେ ଏହା ଭିତରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି। ନିୟମାନୁସାରେ ଏହି ରାତ୍ରି ଆଶ୍ରୟସ୍ଥଳରେ ନିରାଶ୍ରୟମାନେ ସର୍ବାଧିକ ୧୪ରୁ ୧୫ ଦିନ ପର୍ଯ୍ୟନ୍ତ ରହିବା କଥା। କିନ୍ତୁ କେତେକ ଲୋକ ଏଠାରେ ନିଜ ପରିବାର ସହ ବର୍ଷ ବର୍ଷ ଧରି ରହୁଛନ୍ତି। ରାତ୍ରି ଆଶ୍ରୟସ୍ଥଳକୁ ସ୍ଥାୟୀ ଥଇଥାନ କେନ୍ଦ୍ର ଭଳି ବ୍ୟବହାର କରୁଛନ୍ତି। ଏମାନଙ୍କ ମଧ୍ୟରେ କିଛି ଦିବ୍ୟାଙ୍ଗ ବ୍ୟକ୍ତି ରହିଛନ୍ତି। ରାଜଧାନୀରେ ସେମାନଙ୍କ ନିଜର ରହିବା ବ୍ୟବସ୍ଥା ଥିବା ସତ୍ତ୍ବେ ସେମାନେ ଆଶ୍ରୟସ୍ଥଳ ଛାଡ଼ିବାକୁ ନାରାଜ। କେବଳ ରାତିରେ ରହିବାକୁ ନିୟମ ଥିବା ବେଳେ ସେମାନେ ଦିନରାତି ନିଜ ଘର ଭଳି ରହୁଛନ୍ତି। ନିୟମାନୁସାରେ ବାହାରି ଯିବାକୁ କହିଲେ, ଓଲଟା ଝଗଡ଼ା କରିବା ସହ ଭଙ୍ଗାରୁଜା କରୁଛନ୍ତି। ଅଶୋକନଗରରେ ଥିବା ଆଶ୍ରୟସ୍ଥଳୀରେ ଏଭଳି ଅନେକ ଭିନ୍ନକ୍ଷମ ଲୋକ ରହୁଛନ୍ତି। ସେମାନଙ୍କ ନିଜ ଘର ଥିବା ସତ୍ତ୍ବେ ସେମାନେ ଆଶ୍ରୟସ୍ଥଳୀ ଛାଡ଼ିବାକୁ ମଙ୍ଗୁ ନାହାନ୍ତି ବୋଲି ଆଶ୍ରୟସ୍ଥଳୀ ପରିଚାଳକ ଅଭିଯୋଗ କରିଛନ୍ତି। ଏମିତି ଦେଖିଲେ, ପ୍ରାୟ ସମସ୍ତ ଆଶ୍ରୟସ୍ଥଳରେ ପ୍ରାୟ ୪୦ଭାଗରୁ ଅଧିକ ଲୋକ ୬ମାସରୁ ଅଧିକ ଦିନ ଧରି ରହୁଥିବା ଜଣାପଡ଼ିଛି। ତେଣୁ ନୂଆ କରି କୌଣସି ପରିସ୍ଥିତିରେ ପଡ଼ି ରାଜଧାନୀକୁ ଆସିଥିବା ଗରିବ ଲୋକଟି ରାଜପଥ କଡ଼ରେ ଶୋଇବାକୁ ବାଧ୍ୟ ହେଉଛି। ତେଣୁ ଏଭଳି ସମସ୍ୟା ଥିବାରୁ ପ୍ରକୃତ ନିରାଶ୍ରୟଙ୍କୁ ଆଶ୍ରୟସ୍ଥଳରେ ଜାଗା ମିଳୁନାହିଁ।
ସୂଚନାଯୋଗ୍ୟ ଯେ ପୂର୍ବରୁ ଏହି ସବୁ ଆଶ୍ରୟସ୍ଥଳକୁ ସରକାର ଆର୍ଥିକ ସହାୟତା ପ୍ରଦାନ କରୁଥିଲେ। କିନ୍ତୁ ଗତ ଜୁଲାଇ ମାସରେ ସରକାର ଚିଠି ଲେଖି ଏହି ଖର୍ଚ୍ଚ ବିଏମ୍ସି ବହନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ କାମ କରୁଥିବା ୬ଟି ଆଶ୍ରୟସ୍ଥଳ ପାଇଁ ୪୨ ଲକ୍ଷ ୪ ହଜାର ୬୩୪ ଟଙ୍କା ଖର୍ଚ୍ଚ ହେଉଛି। ଗୋଟିଏ ଆଶ୍ରୟ ସ୍ଥଳରେ ପ୍ରାୟ ୭ଲକ୍ଷ ଟଙ୍କା ମାସିକ ଖର୍ଚ୍ଚ ହେଉଛି। ମିଲ୍ପିଛା ୨୩ ଟଙ୍କା ଧାର୍ଯ୍ୟ କରାଯାଇଥିବାରୁ ସକାଳ ଓ ସନ୍ଧ୍ୟାବେଳ ଖାଦ୍ୟ ପାଇଁ ଠିକା ସଂସ୍ଥା ଖର୍ଚ୍ଚ କରୁଥିବା ଦାବି କରୁଛି। ପରିଚାଳନା ପାଇଁ ପ୍ରତି ଆଶ୍ରୟସ୍ଥଳରେ ଜଣେ ମ୍ୟାନେଜରଙ୍କ ସହ ୩ କେୟାରଟେକର୍ ଅଛନ୍ତି। ଏହା ବାଦ୍ ଜଣେ ରୋଷେୟାଙ୍କ ସହ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଅଧିକ ଷ୍ଟାଫ୍ ଆବଶ୍ୟକ। ଏସବୁ ପାଇଁ ଠିକା ସଂସ୍ଥା ନିଜେ ଖର୍ଚ୍ଚ କରୁଥିବା ଦାବି କରିଛନ୍ତି। ତେବେ ପରିତାପର କଥା ଏତେ ଖର୍ଚ୍ଚ ହେଉଥିବା ସତ୍ତ୍ବେ ପ୍ରକୃତ ନିରାଶ୍ରୟଙ୍କୁ ଉଚିତ ନ୍ୟାୟ ମିଳୁନାହିଁ। ତେଣୁ ବିଏମ୍ସି କର୍ତ୍ତୃପକ୍ଷ ଛଦ୍ମବେଶୀ ନିରାଶ୍ରୟଙ୍କୁ ଏଭଳି ଆଶ୍ରୟକେନ୍ଦ୍ରରୁ ବାହାର କରିବା ସହ ପ୍ରକୃତ ଲୋକଙ୍କ ପାଇଁ ବ୍ୟବସ୍ଥା କରିବାକୁ ଦାବି ହେଉଛି।