ଭୁବନେଶ୍ବର: ଦୀର୍ଘ ବର୍ଷ ହେଲା ବେଆଇନ ଭାବେ ଲୋକଙ୍କ ଠାରୁ ପାର୍କିଂ ଫି’ ନାଁରେ ଲୁଟୁଥିବା ଫୋରମ୍ ମାର୍ଟ କର୍ତ୍ତୃପକ୍ଷ ଏବେ ବିଡିଏର ତାଗିଦ୍ ଶୁଣିବା ମୁଡ୍ରେ ନାହାନ୍ତି। ବିଡିଏ ବେଆଇନ୍ ପାର୍କିଂ ଫି’ ଉପରେ ରୋକ୍ ଲଗାଇବା ପରେ ଏହି ସଂସ୍ଥା ଏକ ପ୍ରକାରର ନିଷ୍ପତ୍ତି ନେଇଯାଇଛି ଯେ, ପାର୍କିଂ ଅଞ୍ଚଳ ଖାଲି ପଡ଼ିବ ପଛେ ଭିତରକୁ ଗାଡ଼ି ଛାଡ଼ିବେନି। ଲୋକ ରାସ୍ତାରେ ଗାଡ଼ି ପାର୍କିଂ କରନ୍ତୁ କି ଅସୁବିଧାରେ ପଡ଼ନ୍ତୁ। ଯେମିତି କିଛି ଯାଏ ଆସ ନାହିଁ। ସେଥିପାଇଁ ମଲ୍ ଖୋଲିବାର କିଛି ସମୟ ପରେ ଗେଟ୍ ପାଖରେ ଟୁ ହୁଇଲର୍ ପାର୍କିଂ ଫୁଲ୍ ଲେଖା ବୋର୍ଡ ଲଗାଇ ଦିଆଯାଉଛି। ଆଉ କିଛି ସମୟ ପରେ ଫୋର୍ ହୁଇଲର୍ ପାର୍କିଂ ଫୁଲ୍ ବୋର୍ଡ ବି ଲାଗୁଛି। ଯଦି କେହି ଗ୍ରାହକ ଯୁକ୍ତି କରୁଛନ୍ତି ତାଙ୍କୁ କୁହାଯାଉଛି ଯେ ଷ୍ଟାଫ୍ ଗାଡ଼ି ରଖିଛନ୍ତି, ଆଉ ଜାଗା ନାହିଁ। ଏମିତି କହି ଲୋକଙ୍କୁ ଫେରାଇ ଦିଆଯାଉଛି। ମଲ୍ କର୍ତ୍ତୃପକ୍ଷଙ୍କ ଏପରି ଉତ୍ତର ଶୁଣିବା ପରେ ଲାଗୁଛି ଆଗରୁ କ’ଣ ଷ୍ଟାଫ୍ ଗାଡ଼ି ଆଣୁ ନ ଥିଲେ? ଫୋରମ୍ ମାର୍ଟ କର୍ତ୍ତୃପକ୍ଷ ଗତ ତିନି ଦିନ ହେଲା ଏପରି କରୁଥିଲେ ହେଁ ଏହା ଉପରେ କେହି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି।