ଭୁବନେଶ୍ୱର: ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ସହିଦନଗରସ୍ଥିତ ବହୁତଳ କାର୍‌ ପାର୍କିଂ। ତେବେ ଏହି ଜାଗାକୁ ସଂଯୋଗ କରୁଥିବା ରାସ୍ତା ସବୁ ଜବରଦଖଲରେ ରହିଛି। ବଡ଼ ବଡ଼ ବ୍ୟବସାୟୀମାନେ କଂକ୍ରିଟ ନିର୍ମାଣ କରି ନଳା ଓ ରାସ୍ତା ମାଡ଼ି ବସିଥିବାରୁ ଘୋର ସମସ୍ୟା ହେଉଛି। ଏଥିପାଇଁ ଆଜି ସହିଦ ନଗର ଅଞ୍ଚଳରେ ବିସିସିଏଲ (ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌) ଜବରଦଖଲ ଉଚ୍ଛେଦ କରିଛି। ନଳା ଉପରେ, ରାସ୍ତା କଡ଼ରେ ବେଆଇନ ଭାବରେ ହୋଇଥିବା ୫୫ଟି ନିର୍ମାଣକୁ ଆଜି ବିଏସ୍‌ସିଏଲ୍‌ର ସ୍ବତନ୍ତ୍ର ଉଚ୍ଛେଦକାରୀ ଦଳ ଭାଙ୍ଗି ଦେଇଛି। ଢାବା, ‌ରେସ୍ତୋରାଁ, ମୋବାଇଲ ଦୋକାନ, ଜଳଖିଆ ଦୋକାନ, ବେକରି ଦୋକାନ ପ୍ରଭୃତି ଆଗକୁ ବଢ଼ାଇ ନଳା ଉପରେ ସେଡ୍‌ ତିଆରି କରିଥିଲେ। ଏଭଳି ୪୦ଟି ଦୋକାନ ସେଡ୍‌ ଭଙ୍ଗା ଯାଇଥିବା ବେଳେ ରାସ୍ତା କଡ଼ରେ ପଡ଼ିଥିବା ୧୫ଟି ଅସ୍ଥାୟୀ ଦୋକାନ ଭଙ୍ଗା ଯାଇଛି। ଲୁହା ଖୁଣ୍ଟ ପୋତି ଟିଣ ଛପର କରି ଏଠାରେ ସେମାନେ ବ୍ୟବସାୟ କରୁଥିଲେ।

Advertisment

ବଡ଼ବଡ଼ ବ୍ୟବସାୟୀମାନେ ଦୋକାନ ସାମ୍ନା ଜାଗାକୁ ମାଡ଼ିବସି ଜବରଦଖଲ କରିଥିବାରୁ ଆଜି ଉଚ୍ଛେଦ ବେଳେ ବିରୋଧ ହୋଇଥିଲା। କେତେକ ବ୍ୟବସାୟୀ କୋର୍ଟ କଚେରି ଧମକ ଦେଇଥିଲେ। ତେବେ ପୁଲିସ ସହାୟତାରେ ବିଏମସି, ବିଏସସିଏଲ୍ ସ୍କ୍ବାଡ୍, କେନ୍ଦ୍ରୀୟ ସ୍କ୍ବାଡ୍ ଜେସିବି ସହାୟତାରେ ଜବରଦଖଲ ଉଚ୍ଛେଦ କରିଥିଲେ। ଆଜି ଉଚ୍ଛେଦ ହୋଇଥିବା ଏହି ଜବରଦଖଲଗୁଡ଼ିକ ହୋଟେଲ ଏମ୍ପାୟାର୍ସଠାରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ ରାସ୍ତାରେ ରହିଥିଲା। କାର୍‌ପାର୍କିଂ ପାଇଁ ରାସ୍ତା ସହ ଦୀର୍ଘ ଦିନ ଧରି ଏମାନେ ନଳାକୁ ମାଡ଼ି ବସିଥିବାରୁ ନଳା ସଫା କରିବା ମଧ୍ୟ ସମ୍ଭବ ହେଉନଥିଲା। ଏଣୁ ଏ ସବୁକୁ ଉଚ୍ଛେଦ କରିବା ଯୋଜନା ହୋଇଥିଲା। ଏ ନେଇ ବିଏସ୍‌ସିଏଲ୍‌ ମହାପ୍ରବନ୍ଧକ ତଥା ବିଏମ୍‌ସି ଡେପୁଟି କମିସନର କମଲଜିତ ଦାସ କହିଛନ୍ତି, ନଳା ଉପରେ ଜବରଦଖଲ ରହିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ଜବରଦଖଲ ‌ଯୋଗୁଁ ଜଳ ନିଷ୍କାସନ ସମସ୍ୟା ଉପୁଜୁଛି। ଏଣୁ ଆଜି ଏହି ଉଚ୍ଛେଦ ହୋଇଛି।