ବସ୍‌ଷ୍ଟାଣ୍ଡ୍‌ରେ ଜବରଦଖଲ ଉଚ୍ଛେଦ ଘଟଣା: ବିଫଳ ହେଲା ଆଲୋଚନା, ବିରୋଧ କଲେ ଗୁଡ଼ିଆତୋଟା ବସ୍ତିବାସିନ୍ଦା

ଭୁବନେଶ୍ବର: ଅନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ୍‌ରୁ ଜବରଦଖଲ ଉଚ୍ଛେଦ ଘଟଣାରେ ଆଜି ବିଡିଏ ଉଚ୍ଛେଦକାରୀ ଦଳ ନିରାଶ ହୋଇ ଫେରିଛି। ବସ୍‌ଷ୍ଟାଣ୍ଡରୁ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ପ୍ରସ୍ଥାନ ରାସ୍ତାର ପ୍ରଶସ୍ତୀକରଣ ପାଇଁ ଗୁଡ଼ିଆତୋଟା ବସ୍ତିର ପ୍ରାୟ ୨୫ଟି ରାଜୀବ ଆବାସ ଯୋଜନା(ରେ’) ଅନ୍ତର୍ଭୁକ୍ତ ଘର ଉଚ୍ଛେଦ ପାଇଁ ନିଷ୍ପତ୍ତି ହୋଇଛି। ମାତ୍ର ପୂର୍ବରୁ ନୋଟିସ୍ ଦିଆଯାଇନଥିବା ଏବଂ ପଣ୍ଡାକୁଦିଆକୁ ସ୍ଥାନାନ୍ତରଣ ପାଇଁ ରେ’ ହିତାଧିକାରୀ ରାଜି ହେଉନଥିବାରୁ ଆଜି ଆନ୍ଦୋଳନକୁ ତୀବ୍ର କରିଥିଲେ ଗୁଡ଼ିଆତୋଟା ବସ୍ତିବାସିନ୍ଦା। ରାସ୍ତା ଉପରେ ଟାୟାର ଜାଳି ଉଚ୍ଛେଦକାରୀ ଦଳକୁ ତୀବ୍ର ବିରୋଧ କରିଥିଲେ। ତେବେ ଆନ୍ଦୋଳନରତ ବସ୍ତିବାସିନ୍ଦାଙ୍କୁ ବୁଝାଇବା ପାଇଁ ବିଡିଏର ଏକାଧିକ ବରିଷ୍ଠ ଅଧିକାରୀ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲା। ଫଳରେ ଉଚ୍ଛେଦର ଦ୍ବିତୀୟ ଦିନରେ ରେ’ଘର ଉଚ୍ଛେଦ ହୋଇପାରିନଥିଲା। ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ବସ୍ତିବାସିନ୍ଦାଙ୍କୁ ସାମ୍ନା କରିନପାରି ଶେଷରେ ଉଚ୍ଛେଦକୁ ସ୍ଥଗିତ ରଖାଯାଇଥିଲା।

ସମ୍ବନ୍ଧିତ ଖବର