ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଜବରଦଖଲ ଉଚ୍ଛେଦ: ‌ମାଟିରେ ମିଶିଲା ୫୦ରୁ ଊର୍ଧ୍ବ ଦୋକାନ

ଦୋକାନୀଙ୍କ ବିରୋଧ, ଥଇଥାନ ଦାବିରେ ଧାରଣା

ଭୁବନେଶ୍ବର: ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଆଜି ଜବରଦଖଲ ଉଚ୍ଛେଦ ହୋଇଛି। ବିଡିଏ ଏନ୍‌ଫୋର୍ସମେଣ୍ଟ ଟିମ୍‌, ବିଏମ୍‌ସି ଓ କମିସନରେଟ୍‌ ପୁଲିସ ସହାୟତାରେ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ଏହି ଉଚ୍ଛେଦ କରିଛି। ସ୍ମାର୍ଟ ଜନପଥ ଓ ଅନ୍ୟାନ୍ୟ ଉନ୍ନତୀକରଣ ପାଇଁ ଏହି ଉଚ୍ଛେଦ କରାଯାଇଛି। ଉଚ୍ଛେଦକାରୀ ଦଳ ୨୩ଟି ପଲିଥିନ୍‌ ଓ ବାଉଁଶରେ ତିଆରି ସେଡ୍‌, ଠେଲାଗାଡ଼ିରେ ଥିବା ୨୮ଟି ଫାଷ୍ଟଫୁଡ୍ ଦୋକାନ, ୩୨ଟି ଫଳ ଓ ଅନ୍ୟାନ୍ୟ ସାମଗ୍ରୀ ଦୋକାନ ମାଟିରେ ମିଶାଇ ଦେଇଥିଲେ।

ସୂଚନାଯୋଗ୍ୟ, ଭୁବନେଶ୍ୱର ରେଳଷ୍ଟେସନ୍‌ ସହ ମାଷ୍ଟରକ୍ୟାଣ୍ଟିନ୍‌ ଛକକୁ ସଂଯୋଗ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଦୀର୍ଘ ଦିନ ଧରି ଜବରଦଖଲ ରହିଥିଲା। ଉଭୟ ପାର୍ଶ୍ବରେ ଜଳଖିଆ ଦୋକାନ ସହ ମୋବାଇଲ ଆସୋସରିଜ୍‌, ଫାଷ୍ଟଫୁଡ୍‌ ଦୋକାନ ଭର୍ତ୍ତି ହୋଇ ରହିଥିଲା। ତେଣୁ ଏହାକୁ ଉଚ୍ଛେଦ କରିବା ପାଇଁ ଦୋକାନୀମାନଙ୍କୁ ବାରମ୍ବାର ନୋଟିସ୍‌ ଦିଆଯାଇଥିଲା। ଏହା ସତ୍ତ୍ବେ ସେମାନେ ଜାଗା ଖାଲି କରୁନଥିବାରୁ ଆଜି ବଳପୂର୍ବକ ସେମାନଙ୍କ ଦୋକାନକୁ ହଟାଇ ଦିଆଯାଇଥିଲା। ତେବେ ଉଚ୍ଛେଦ ବେଳେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଦୋକାନ ଭାଙ୍ଗିବା ପୂର୍ବରୁ ମେସାନଙ୍କୁ ଥଇଥାନ କରାଯାଉ ବୋଲି ଦାବି କରି ଦୋକାନୀମାନେ ରାସ୍ତା ଉପରେ ଧାରଣା ଦେଇଥିଲେ। କିନ୍ତୁ ବିରୋଧ ସତ୍ତ୍ବେ ଦୋକାନଗୁଡ଼ିକୁ ଭାଙ୍ଗି ଦିଆଯାଇଥିଲା। ସୂଚନାଯୋଗ୍ୟ, କୋର୍ଟରେ ଚାଲିଥିବା ମାମଲା ସମାଧାନ ପରେ ତାରିଣୀ ମନ୍ଦିର ନିକଟରେ ଥିବା ଜବରଦଖଲ ମଧ୍ୟ ଖୁବ୍‌ଶୀଘ୍ର ଉଚ୍ଛେଦ ହେବ ବୋଲି ଜଣାପଡ଼ିଛି। ବିଏସ୍‌ସିଏଲ୍‌ ସିଇଓ ସଞ୍ଜୟ କୁମାର ସିଂହଙ୍କ ନିର୍ଦ୍ଦେଶରେ ହୋଇଥିବା ଏହି ଉଚ୍ଛେଦରେ ବିଏସସିଏଲ ମ୍ୟାନେଜର୍‌ (ଇଞ୍ଜିନିୟରିଂ) ପ୍ରଦୀପ ସିଂ, ଆସିଷ୍ଟାଣ୍ଟ କମିସନର୍‌ (ଏନଫୋର୍ସମେଣ୍ଟ) ଲିଲନ ସାହୁ ଓ ଏନଫୋର୍ସମେଣ୍ଟ ଅଫିସର ପ୍ରମୋଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ବିଏସ୍‌ସିଏଲ୍‌ ଏମ୍‌ଡି କମଲଜିତ ଦାସ କହିଛନ୍ତି, ଏହି ଜାଗାରେ ସ୍ମାର୍ଟ ଜନପଥ ପ୍ରକଳ୍ପ ଅଧିନରେ ସାଇକେଲ ଟ୍ରାକ, ପବ୍ଲିକ ପ୍ଲାଜା, ସୌନ୍ଦର୍ଯ୍ୟୀକରଣ ପାଇଁ ବୃକ୍ଷରୋପଣ, ବସିବା ବ୍ୟବସ୍ଥା କରାଯିବ। ପୂର୍ବରୁ ପବ୍ଲିକ୍‌ ପ୍ଲାଜା, ରାମ ମନ୍ଦିର ନିକଟରେ ମନ୍ଦିର ପ୍ଲାଜା ବେଶ୍‌ ଲୋକପ୍ରିୟ ହୋଇଛି। ସନ୍ଧ୍ୟାରେ ଏଠାରେ ଭିଡ଼ ହେବା ସହ ଲୋକମାନେ ସେଲ୍ଫି ଉଠାଉଥିବା ପରିଲକ୍ଷିତ ହୋଇଛି। ସ୍ମାର୍ଟ ଜନପଥକୁ ସଂପୂର୍ଣ୍ଣ ଜବରଦଖଲମୁକ୍ତ କରିବା ପାଇଁ ଉଦ୍ୟମ ଜାରି ରହିଥିବା ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର