ପୁରୁଣା ଭୁବନେଶ୍ୱର: ବିଏମ୍ସି କାର୍ଯ୍ୟାଳୟରୁ ମାତ୍ର ୨ଶହ ମିଟର ଦୂରରେ ରାସ୍ତା କଡ଼ରେ ଜବରଦଖଲ କରି ଘର ତିଆରି ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ଏଥିରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ହସ୍ତକ୍ଷେପ କରିଛନ୍ତି। ଯାହା ଫଳରେ କାମ ବନ୍ଦ ସହ ବିଏମ୍ସି ପକ୍ଷରୁ ଘଟଣାର ଅନୁଧ୍ୟାନ କରାଯାଇଛି। ଏହାକୁ ଖୁବ୍ଶୀଘ୍ର ଉଚ୍ଛେଦ କରାଯିବ ବୋଲି କୁହାଯାଇଛି।
ପ୍ରକାଶ ଥାଉକି, ବିଏମ୍ସି କାର୍ଯ୍ୟାଳୟରୁ ମାଉସୀ ମା’ ଛକ ଆଡ଼କୁ ଯାଇଥିବା ୩୦ଫୁଟିଆ ରାସ୍ତା କଡ଼ରେ ବିଲ୍ଡିଂ ନିର୍ମାଣ ଚାଲିଛି। ତିଆରି ଚାଲିଥିବା ଜମି ଉପରୁ ନଜର ହଟାଇବା ପାଇଁ ଏକ ବସ୍କୁ ସମ୍ମୁଖରେ ରଖାଯାଇଛି। ତେବେ ଏହି ଘଟଣା ଜାଣିବା ପରେ ସ୍ଥାନୀୟ ବିଧାୟକ ଶ୍ରୀ ପଣ୍ଡା ବିଏମ୍ସି କମିସନର ଓ ସାଧାରଣ ପ୍ରଶାସନର ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ଏଥିସହ ବିଏମ୍ସି କମିସନରଙ୍କୁ ଫୋନ୍ ଯୋଗେ ମଧ୍ୟ ଜଣାଇଛନ୍ତି। ଏହାପରେ ତତ୍କ୍ଷଣାତ ବିଏମ୍ସିର ଜୋନାଲ ଡେପୁଟି କମିସନର ଅଂଶୁମାନ ରଥ ଓ ବିଏମ୍ସି ଅମିନ ଘଟଣାସ୍ଥଳକୁ ଯାଇ ସର୍ଜମିନ୍ ତଦନ୍ତ କରିଛନ୍ତି। ରାସ୍ତା କଡ଼ରେ ଏହା ହୋଇଥିବା ଜାଣିବା ପରେ ସମ୍ପୃକ୍ତ ଘର ତିଆରି କରୁଥିବା ମାଲିକଙ୍କୁ ଏହାର କାଗଜପତ୍ର ମାଗିଛନ୍ତି। ତେବେ ବିଏମ୍ସି ଜୋନାଲ ଡେପୁଟି କମିସନରଙ୍କର ସନ୍ଧ୍ୟା ପର୍ଯ୍ୟନ୍ତ ଏହାର କାଗଜ ହସ୍ତଗତ ହୋଇପାରିନାହିଁ।
ଅନ୍ୟପଟେ ସ୍ଥାନୀୟ ଗୌତମ ନଗର ବାସିନ୍ଦା ଏହି ଜବରଦଖଲ ନେଇ ସ୍ଥାନୀୟ ବିଧାୟକ ଶ୍ରୀ ପଣ୍ଡା ଓ ବିଏମ୍ସିରେ ମଧ୍ୟ ଅଭିଯୋଗ କରିଛନ୍ତି। ଏଠାରେ ଘର ତିଆରି ହେଲେ ଭବିଷ୍ୟତରେ ଟ୍ରାଫିକ୍ ସମସ୍ୟା ଦେଖାଯିବ ବୋଲି ସେମାନେ କହିଛନ୍ତି। ଏନେଇ ମନ୍ତ୍ରୀ ଶ୍ରୀ ପଣ୍ଡା କୁହନ୍ତି କଳ୍ପନା ଛକରୁ ମାଉସୀ ମା’ ଛକ ମଧ୍ୟ ଦେଇ ଲିଙ୍ଗରାଜ ମନ୍ଦିରକୁ ସଂଯୋଗ କରୁଥିବା ଏହି ରାସ୍ତା ଅଧିକ ଓସାରିଆ କରାଯିବ। ମାଉସୀ ମା’ ଛକ ଆଡ଼କୁ ଯାଇଥିବା ଏହି ରାସ୍ତା ସମ୍ପ୍ରସାରଣ ସହ ମାଉସୀ ମା’ ଛକର ଡିଜାଇନ୍ ବଦଳାଇବାକୁ ନିଷ୍ପତ୍ତି ହୋଇଛି। ୬୦ଫୁଟିଆ ରାସ୍ତା ହେବା ପାଇଁ ପ୍ରାଥମିକ ସର୍ଭେ ସରିଛି। ଏହି ରାସ୍ତାର ଭବିଷ୍ୟତ, ଗୌତମ ନଗର ବାସିନ୍ଦାଙ୍କ ଅଭିଯୋଗ ଓ ପୂର୍ବତନ କର୍ପେରେଟର ନୃପେଶ କୁମାର ନାୟକଙ୍କ ଅଭିଯୋଗ ପରେ ସାଧାରଣ ପ୍ରଶାସନ ଏବଂ ବିଏମ୍ସି କମିସନରଙ୍କୁ ଅବଗତ କରଯାଇଛି। ଏଥିପାଇଁ ବିହିତ ପଦକ୍ଷେପ ନେବା ପାଇଁ କୁହାଯାଇଛି। ଏନେଇ ବିଏମ୍ସିର ଜୋନାଲ ଡେପୁଟି କମିସନର ଶ୍ରୀ ରଥ କହିଛନ୍ତି, ଏନେଇ ଅନୁଧ୍ୟାନ କରାଯାଇଛି। ରାସ୍ତା କଡ଼ ଜବରଦଖଲକୁ ଉଚ୍ଛେଦ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/bmc.jpg)