ରସୁଲଗଡ଼ ଶିଳ୍ପାଞ୍ଚଳରୁ ଜବରଦଖଲ ହଟିଲା, ଭଙ୍ଗା ହେଲା ୪୯ ଦୋକାନ

ରୁପାଲି ଛକ ଭେଣ୍ଡିଂ ଜୋନ୍‌ ଭାଙ୍ଗିଦେଲେ

ଭୁବନେଶ୍ବର : ରସୁଲଗଡ଼ ଶିଳ୍ପାଞ୍ଚଳରେ ବେଆଇନ ଭାବେ ଗଢି ଉଠିଥିବା ବିଭିନ୍ନ ହୋଟେଲ, ଫାଷ୍ଟଫୁଡ୍‌ ଦୋକାନ, କ୍ୟାବିନ୍‌କୁ ବୁଧବାର ବିଡିଏ ଉଚ୍ଛେଦ କରିଛି। ଶିଳ୍ପାଞ୍ଚଳର ପ୍ରବେଶ ପଥରୁ ଆରମ୍ଭ କରି ବିଭିନ୍ନ ରାସ୍ତାରେ ଥିବା ୪୯ଟି ଦୋକାନକୁ ଆଜି ଉଚ୍ଛେଦ କରାଯାଇଛି। ଏଥିରେ ଟିଣ ଘର ୧୧ଟି, ବାଉଁଶ ପଲିଥିନ୍ ଝୁମ୍ପୁଡ଼ି ୧୯ଟି, ୧୨ଟି କ୍ୟାବିନ୍‌, ଭ୍ରାମ୍ୟମାଣ ଫାଷ୍ଟଫୁଡ୍‌ ଦୋକାନ ୭ଟିକୁ ଉଚ୍ଛେଦ କରାଯାଇଛି। ରସୁଲଗଡ଼ ଶିଳ୍ପାଞ୍ଚଳ ରାସ୍ତା ଦୀର୍ଘ ବର୍ଷ ହେଲା ବିପର୍ଯ୍ୟସ୍ତ ଅବସ୍ଥାରେ ଥିବାବେଳେ ଏହା ଏକ ପ୍ରକାରର ମରଣଯନ୍ତା ପାଲଟିଛି। ରାସ୍ତାରେ ବଡ଼ ବଡ଼ ଗାତ ହୋଇଥିବାବେଳେ ଉଠା ଦୋକାନୀଙ୍କ ଜବରଦଖଲ ଯୋଗୁଁ ରାସ୍ତା ଅଣଓସାରିଆ ହୋଇଯାଇଥିଲା। ତେଣୁ ଯାତାୟତରେ ସମସ୍ୟା ହେଉଥିଲା। ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଇଡ୍‌କୋ କର୍ତ୍ତୃପକ୍ଷ ଏହି ରାସ୍ତା ମରାମତି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାସ୍ତା ନିର୍ମାଣ ହେବାକୁ ଥିବାରୁ ଏହି ଜବରରଦଖଲ ଉଚ୍ଛେଦ କରାଯାଇଛି ବୋଲି ବିଡିଏ ପକ୍ଷରୁ କୁହାଯାଇଛି।

ରୁପାଲି ଛକ ଭେଣ୍ଡିଂ ଜୋନ୍‌ ଭାଙ୍ଗିଦେଲେ
ଭୁବନେଶ୍ବର : ବୁଧବାର ରୁପାଲି ଛକସ୍ଥିତ ଭେଣ୍ଡିଂ ଜୋନ୍‌ଗୁଡ଼ିକୁ ଉଚ୍ଛେଦ କରାଯାଇଛି। ଏଠାରେ ଥିବା ୧୨ଟି ଦୋକାନକୁ ବିଏମ୍‌ସି ଓ ବିଡିଏ ସ୍କ୍ବାଡ୍‌ ଉଚ୍ଛେଦ କରିଛି। ପୂର୍ବରୁ ସ୍ମାର୍ଟ ଜନପଥ କଡ଼ରେ ଥିବା ଶ୍ରୀୟା ଛକ ଭେଣ୍ଡିଂ ଜୋନ୍‌ ଉଚ୍ଛେଦ ହୋଇଥିଲା। ଆଜି ରୁପାଲି ଛକ ଭେଣ୍ଡିଂ ଜୋନ୍‌ ଉଚ୍ଛେଦ ହୋଇଛି। ଖୁବ୍‌ ଶୀଘ୍ର ରାମମନ୍ଦିର ଛକ ନିକଟରେ ଥିବା ପ୍ରାୟ ୨୦ଟି ଭେଣ୍ଡିଂ ଜୋନ୍‌ ଦୋକାନକୁ ଉଚ୍ଛେଦ କରାଯିବ। ଏଠାରେ ପବ୍ଲିକ ପ୍ଲାଜା ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟୀକରଣ କାମ ହେବ। ସୂଚନାଯୋଗ୍ୟ ଏହି ବ୍ୟବସାୟୀମାନଙ୍କୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ସ୍ମାର୍ଟ କିଓସ୍କ ଯୋଗାଇ ଦିଆଯିବ। ସେମାନେ ଅନ୍ୟତ୍ର ଏହି ଦୋକାନ ପକାଇବେ।

ସମ୍ବନ୍ଧିତ ଖବର