ଭୁବନେଶ୍ବର: ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସ୍ସିଏଲ୍) ପକ୍ଷରୁ ଆଜି ସ୍ମାର୍ଟ ଜନପଥରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ରାଜମହଲ ପାଖରୁ କଲ୍ୟାଣୀ ଜୁଏଲାରି ପର୍ଯ୍ୟନ୍ତ ପ୍ରାୟ ୧୦ଟି ଜବରଦଖଲ ଉଚ୍ଛେଦ ହୋଇଥିବା ବେଳେ ୧୫ଟି ଉଠା ଦୋକାନୀ ସ୍କ୍ବାଡ୍କୁ ଦେଖି ଉଠି ଚାଲି ଯାଇଛନ୍ତି। ତେବେ ରାଜମହଲ ଛକରେ ଏକ କିଓସ୍କ ସାମ୍ନାରୁ ଉଚ୍ଛେଦ ବେଳେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଜଣେ ପୂର୍ବତନ କର୍ପୋରେଟର୍ ଉଚ୍ଛେଦକୁ ବିରୋଧ କରିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ସେ ଜେସିବି ଆଗରେ ଶୋଇ ପଡ଼ିବାରୁ ଉଚ୍ଛେଦକାରୀ ଦଳ ହରଡ଼ଘଣାରେ ପଡ଼ିଥିଲା।
ତେବେ ପରେ ଏହି କିଓସ୍କ ସାମ୍ନାରୁ ଉଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ଏଠାରେ ଜଣେ ବ୍ୟକ୍ତିଙ୍କ ନାମରେ କିଓସ୍କ ଆବଣ୍ଟିତ ହୋଇଥିବା ବେଳେ ଆଉ ଜଣେ ବ୍ୟବସାୟ କରୁଛନ୍ତି। କିଓସ୍କ ସାମ୍ନାରେ ଜିନିଷ ଗଦା କରିବା ସହ ଫୁଟ୍ପାଥ୍ ଜବରଦଖଲ କରିଛନ୍ତି। ପୂର୍ବରୁ ବିଏମ୍ସି କମିସନର ତଥା ବିଏସ୍ସିଏଲ୍ ସିଇଓ ପରିଦର୍ଶନ କରୁଥିବା ବେଳେ ଏହା ତାଙ୍କ ନଜରକୁ ଆସିଥିଲା। ଆଜି ବିଏସ୍ସିଏଲ୍ ଜେନେରାଲ ମ୍ୟାନେଜର କମଲଜିତ୍ ଦାସଙ୍କ ନେତୃତ୍ବରେ ଏନ୍ଫୋର୍ସମେଣ୍ଟ ଟିମ୍ ଉଚ୍ଛେଦ କରିଥିଲା। ଏହି ଜନପଥରେ ଆହୁରି କେତେକ ଜବରଦଖଲ ଚିହ୍ନଟ ହୋଇଛି। ଆଗାମୀ ଦିନରେ ସେ ସବୁକୁ ଉଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/bmc1.jpg)