ପଟିଆ-ଡମଣା ରାସ୍ତାପାର୍ଶ୍ବରେ ବିଦେଶୀ ମଦ ଦୋକାନ : ରାସ୍ତା ପାଲଟିଛି ବାର୍‌, ମଦୁଆଙ୍କ ଉତ୍ପାତରେ ଗ୍ରାମବାସୀ ଅତିଷ୍ଠ

ବଢ଼ୁଛି ଦୁର୍ଘଟଣା, ଅଣନିଶ୍ବାସୀ ଟ୍ରାଫିକ୍‌ ସମସ୍ୟା, ସ୍ଥାନାନ୍ତର ଲାଗି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ

ଚନ୍ଦ୍ରଶେଖରପୁର : ରାଜସ୍ବ ବଢ଼ାଇବା ଲାଗି ସରକାର ଖୋଲୁଛନ୍ତି ମଦ ଦୋକାନ। ବଜାର, ରାସ୍ତା, ଜନଗହଳୀପୂର୍ଣ୍ଣ ଅଞ୍ଚଳକୁ ବାଦ୍‌ ଦେଉନାହାନ୍ତି। ଗାଁଠାରୁ ସହର ସବୁଠି ମଦ ଦୋକାନ ଖୋଲିବାକୁ ଅନୁମତି ଦେଉଛନ୍ତି। ତେବେ ଯେଉଁଠି ମଦ ଦୋକାନ ଖୋଲୁଛି ସେଠାରୁ ମନ୍ଦିର ଦୂରତା କେତେ? ନିକଟରେ ଶିକ୍ଷାନୁଷ୍ଠାନ ରହିଛି କି ନାହିଁ? ମହିଳା, ଶିଶୁଙ୍କ ଉପରେ କିଛି ପ୍ରଭାବ ପଡ଼ୁଛି କି ନାହିଁ? ଏସବୁ ବିଷୟରେ ସରକାରୀ ବାବୁମାନେ ଧ୍ୟାନ ଦେଉନାହାନ୍ତି। ଫଳସ୍ବରୂପ ମଦ ଦୋକାନ ଖୋଲିବା ଦ୍ବାରା ରାଜସ୍ବ ସିନା ବଢ଼ୁଛି, ହେଲେ ବହୁ ଲୋକଙ୍କ ଉପରେ ତାହାର କୁପ୍ରଭାବ ପଡ଼ୁଥିବା ଦେଖିବାକୁ ମିଳୁଛି। ଯାହାର ସଦ୍ୟତମ ଉଦାହରଣ ହେଉଛି ଡମଣା ଛକରେ ଖୋଲିଥିବା ବିଦେଶୀ ମଦ ଦୋକାନ। ଜନଗହଳୀପୂର୍ଣ୍ଣ ପଟିଆ-ଡମଣା ଛକ ରାସ୍ତାପାର୍ଶ୍ବରେ ଖୋଲିଥିବା ଏହି ମଦ ଦୋକାନ ଯୋଗୁଁ ପ୍ରତି ଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟୁଛି। ଗତ ୧୫ ଦିନରେ ୪ଟିରୁ ଅଧିକ ଦୁର୍ଘଟଣା ହୋଇଛି। ଏଥିସହ ମହିଳା, ଶିଶୁମାନେ ସନ୍ଧ୍ୟା ହେଲେ ରାସ୍ତାପାର୍ଶ୍ବ ଫୁଟପାଥ୍‌ରେ ଚାଲି ଚାଲି ଯାଇପାରୁ ନାହାନ୍ତି। ମହିଳାମାନେ ଅନେକ ସମୟରେ ମଦୁଆଙ୍କ ଆକ୍ରୋଶର ଶିକାର ହେଉଥିବା ଅଭିଯୋଗ ଆସିଛି। ମଦ ଦୋକାନ ସମ୍ମୁଖ ରାସ୍ତାକୁ ଲାଗି ଡିଭାଇଡର୍‌ରେ କଟ୍‌ ଥିବାରୁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରବଳ ଗହଳୀ ହେଉଛି। ମଦ କିଣିବାକୁ ଯାଉଥିବା ଲୋକେ ରାସ୍ତାରେ ପାର୍କିଂ ଗାଡ଼ି କରୁଛନ୍ତି। ଫଳରେ ପଟିଆରୁ ଡମଣା ଛକ ମଧ୍ୟରେ ମାତ୍ର ଦେଢ଼ କିମି ରାସ୍ତା ପାର‌୍‌ ହେବାକୁ ଗାଡ଼ି ଚାଳକଙ୍କୁ ୨୦ ମିନିଟ୍‌ ସମୟ ଲାଗିଯାଉଛି।

ସବୁଠାରୁ ବଡ଼ କଥା ହେଲା ଡମଣା ଗାଁକୁ ପ୍ରବେଶ ପଥର ୫୦ ମିଟର ଦୂରରେ ମଦ ଦୋକାନ ଖୋଲିଛି। ସନ୍ଧ୍ୟା ହେଲେ ଏଠାରେ ମଦୁଆଙ୍କ ଆଡ଼ା ଏପରି ହେଉଛି ଯେ, ଗ୍ରାମବାସୀ ଏହି ରାସ୍ତାରେ ଯିବାକୁ ଭୟ କରୁଛନ୍ତି। ମଦ ଦୋକାନ ଖୋଲିବା ସମୟରେ ଗ୍ରାମବାସୀ ପ୍ରବଳ ବିରୋଧ କରିଥିଲେ। ଜିଲ୍ଲା ପ୍ରଶାସନ, ସ୍ଥାନୀୟ ଜନପ୍ରତିନିଧିଙ୍କୁ ଦାବିପତ୍ର ଦେଇଥିଲେ। ସେତେବେଳର ବିଧାୟକ ମଧ୍ୟ ଏଦିଗରେ ପଦ‌କ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତା’ପରେ ବି କେହି ଶୁଣି ନଥିଲେ। ଯେଉଁଥିପାଇଁ ଏବେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଡମଣା ଶ୍ରୀ ଶ୍ରୀ ଗୋପୀନାଥଜୀଉ ଗ୍ରାମ୍ୟ ପରିଚାଳନା କମିଟି ପକ୍ଷରୁ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ପିଡ୍‌ ପୋଷ୍ଟ୍‌ରେ ଦାବିପତ୍ର ଦିଆଯାଇଛି। କମିଟି ପକ୍ଷରୁ କୁହାଯାଇଛି ମଦ ଦୋକାନ ନିକଟରେ ଅଭିରାମ ଆଶ୍ରମ, ଶ୍ରୀ ଅନନ୍ତ ଆଶ୍ରମ, ଆଖଣ୍ତଳମଣି ମନ୍ଦିର ପ୍ରଭୃତି ରହିଛି। ଏଠାରେ ବର୍ଷର ବିଭିନ୍ନ ସମୟରେ ପ୍ରବଚନ, ଭଜନ, ପୂଜା ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ହେଉଛି। ମଦ ଦୋକାନ ନିକଟରେ ଆବାସିକ କୋଠା, ବ୍ୟାବସାୟିକ ପ୍ରତିଷ୍ଠାନ, ଔଷଧ ଦୋକାନ, ୫ରୁ ଅଧିକ ବ୍ୟାଙ୍କ, ଏକାଧିକ ଅଳଙ୍କାର ଦୋକାନ ରହିଛି। ମଦ ଦୋକାନ ଖୋଲିବା ଦ୍ବାରା ସନ୍ଧ୍ୟା ୮ଟା ବେଳକୁ ମଦୁଆଙ୍କ ହୋହଲ୍ଲା ଆରମ୍ଭ ହୋଇଯାଉଛି। ପଟିଆ-ଡମଣା ରାସ୍ତା ଉପରେ ମଦ ବୋତଲ ବାଡେ଼ଇ ଭାଙ୍ଗୁଛନ୍ତି। ଅଭଦ୍ର ଭାଷାରେ ଗାଳିଗୁଲଜ କରୁଛନ୍ତି। ବୟସ୍କ, ମହିଳା, ସ୍କୁଲରେ ପଢ଼ୁଥିବା ଶିଶୁମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଗ୍ରାମର ମହିଳାମାନେ ଏହି ସ୍ଥାନରେ ସେମାନଙ୍କ ପିଲାଙ୍କୁ ସ୍କୁଲ ବସ୍‌ରେ ଚଢ଼ାଇବାକୁ ଅପେକ୍ଷା କରିଥାନ୍ତି। ଆଗକୁ ସ୍କୁଲ ଖୋଲିବାକୁ ଥିବାରୁ ପରିସ୍ଥିତ ଅଧିକ ଜଟିଳ ହେବାର ଆଶଙ୍କା ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ବିଦେଶୀ ମଦ ଦୋକନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଗ୍ରାମ୍ୟ ପରିଚାଳନା କମିଟିର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଦାବିପତ୍ରର ନକଲ ଜିଲ୍ଲାପାଳ, ଅବକାରୀ ବିଭାଗ ମନ୍ତ୍ରୀ, ସଚିବଙ୍କୁ ପଠାଯାଇଥିବା ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧିତ ଖବର