ବିଦେଶ ଫେରନ୍ତାଙ୍କୁ ଟଙ୍କା ମିଳିଲାନି: ଫେରିଲେ ୨୫୦୦, ପାଇଲେ ୪୫୦

୧୫ ହଜାର ଲେଖାଏଁ ଦେବାକୁ ଘୋଷଣା କରିଥିଲେ, ଦେଲେନି

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ବିଦେଶ ଫେରନ୍ତାଙ୍କୁ ନାମ ପଞ୍ଜୀକରଣ କରି ୧୪ଦିନିଆ ସଙ୍ଗରୋଧରେ ରହିବାକୁ କହିଥିଲେ। ଯିଏ ସଙ୍ଗରୋଧରେ ରହିବେ, ତାଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ବି ଲୋଭ ଦେଖାଇଥିଲେ। ମାର୍ଚ୍ଚ ୧୬ରେ ହୋଇଥିବା ଏହି ଘୋଷଣାର ଉଦ୍ଦେଶ୍ୟ ଥିଲା ବିଦେଶ ଫେରନ୍ତା ଯଦି କରୋନା ସଂକ୍ରମିତ ହୋଇଥିବେ, ତେବେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିବେନି। ସରକାରଙ୍କ ନିର୍ଦ୍ଦେଶନାମା ମାନି ସେମାନେ ଘରେ/ହୋଟେଲ ଆଦିରେ ସଙ୍ଗରୋଧରେ ରହିଲେ। ହେଲେ ସମସ୍ତଙ୍କୁ ୧୫ ହଜାର ଟଙ୍କା ମିଳିଲାନି। ସରକାର ଘୋଷଣା ବେଳେ ଯାହା କହି ନଥିଲେ, ଟଙ୍କା ଦେଲାବେଳେ ସରକାରୀ ବାବୁମାନେ ବହୁ ନିୟମକାନୁନ ଦେଖାଇଲେ। ଫଳରେ ବିଦେଶ ଫେରନ୍ତା ୧୫ ହଜାର ଟଙ୍କା ଦୂର କଥା, ବାହାର ରାଜ୍ୟରୁ ଫେରୁଥିବା ଲୋକ ଯେଉଁଭଳି ୨ହଜାର ଲେଖାଏଁ ପାଇଲେ, ତାହା ବି ପାଇଲେନି। ଏପରିକି ବହୁ ବିଦେଶ ଫେରନ୍ତା ବହୁବାର ବିଏମ୍‌ସି କାର୍ଯ୍ୟାଳୟକୁ ଦଉଡ଼ିବା ପରେ ବି ଟଙ୍କା ନ ପାଇବାରୁ ସବୁ ଆଶା ଛାଡ଼ି ଦେଇଛନ୍ତି। ରାଜଧାନୀରେ ଏବେ ପ୍ରାୟ ୨ହଜାର ଲୋକ ଏହି ଟଙ୍କା ପାଇବା ଆଶାରେ ଥିଲେ ହେଁ ସରକାରୀ ନିୟମ ଯୋଗୁଁ ବିଏମ୍‌ସି ଟଙ୍କା ଦେଉନି।

ମାର୍ଚ୍ଚ ୨୪ରେ କରୋନା ଲକ୍‌ଡାଉନ୍‌ ହେବା ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାକୁ ୨୧୧୪ଜଣ ଫେରିଥିବା ବେଳେ ଏଥିରୁ ପ୍ରାୟ ହଜାରେ ଜଣ ଭୁବନେଶ୍ବର ଫେରିଥିଲେ। ଯେଉଁମାନେ ରାଜ୍ୟସରକାରଙ୍କ କୋଭିଡ ପୋର୍ଟାଲ କିମ୍ବା ୧୦୪ରେ ନାମ ପଞ୍ଜୀକରଣ କରିଥିଲେ। ଏପରିକି ଅଗଷ୍ଟ ୧ ସୁଦ୍ଧା ପ୍ରାୟ ଅଢ଼େଇ ହଜାର ଲୋକ ବିଦେଶରୁ ଭୁବନେଶ୍ବର ଫେରିଛନ୍ତି। କିନ୍ତୁ ଏଥିରୁ ପ୍ରାୟ ୪୫୦ଜଣଙ୍କୁ ୧୫ହଜାର ଲେଖାଏଁ ମିଳିଛି। ପ୍ରାୟ ୨ ହଜାର ଲୋକଙ୍କୁ ଟଙ୍କା ମିଳୁନି। କିଛି ଲୋକ ବିଏମ୍‌ସିକୁ ଟଙ୍କା ମାଗିବାକୁ ଯିବାରୁ କୁହାଯାଉଛି, ଯେଉଁମାନେ ମାର୍ଚ୍ଚ ୧୫ ପୂର୍ବରୁ ବିଦେଶରୁ ଫେରିଛନ୍ତି, ସେମାନଙ୍କୁ ଟଙ୍କା ମିଳିବ।

ବିଏମ୍‌ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁମାନେ ମାର୍ଚ୍ଚ ୧୫ ପୂର୍ବରୁ ବିଦେଶରୁ ଫେରିଛନ୍ତି, ସେମାନଙ୍କୁ ୧୫ ହଜାର ଲେଖାଏଁ ସହାୟତା ରାଶି ମିଳିବ। ମାର୍ଚ୍ଚ ୧୫ ପରେ ଯିଏ ଫେରିଥି‌ବେ, ତାଙ୍କୁ କିଛି ମିଳିବନି। ଯେଉଁମାନଙ୍କୁ ଟଙ୍କା ମିଳିବ, ସେମାନେ ବିଏମ୍‌ସିର ଜୋନାଲ ଅଫିସରେ ସେମାନଙ୍କର ପରିଚୟପତ୍ର, ବୋର୍ଡିଂ ପାସ୍‌ ଓ ବ୍ୟାଙ୍କ ପାସ୍‌ବୁକ୍‌ର ପ୍ରଥମ ପୃଷ୍ଠାର ନକଲ ଜମା କରିବେ। ଏହାକୁ ଯାଞ୍ଚ କରିବା ପରେ ସେମାନଙ୍କ ଆକାଉଣ୍ଟରେ ୧୫ ହଜାର ଜମା କରାଯିବ। ବିଏମ୍‌ସି କର୍ତ୍ତୃପକ୍ଷ ଏହା କହୁଥିବା ବେଳେ କିଛି ଲୋକ କହିଛନ୍ତି ଯେ ଆମକୁ ଜୁଲାଇ ମାସ ଯାଏ ଟଙ୍କା ଦେଲେନି। ବୋର୍ଡିଂ ପାସ୍‌ କ’ଣ ସାଇତିକି ରଖିଥାନ୍ତୁ ଦେଖାଇବାକୁ। ଆମେ ତ ନାମ ପଞ୍ଜୀକରଣ କରିଥିଲୁ। ଆମେ ଟିକେଟ୍‌ ବୁକିଂ କରିଥିବାର ରେକର୍ଡ ଅଛି। ମୋବାଇଲରେ ଟିକେଟର ସଫ୍ଟ କପି ଦେଖାଇଲୁ। ତଥାପି କେହି ଗ୍ରହଣ କରୁନାହାନ୍ତି। ଏନେଇ ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି ଯେ ଜଣେ ଟିକେଟ୍‌ କରି ତାକୁ ପରେ ବାତିଲ୍‌ କରିଦେଇଥାଇପାରନ୍ତି। ବୋର୍ଡିଂ ପାସ୍‌ ନଥିଲେ ମାର୍ଚ୍ଚ ୧୫‌ ସୁଦ୍ଧା ଆସିଥିଲେ ବୋଲି କିପରି ଆମେ ଜାଣିବୁ। ସେ ଯଦି ମାର୍ଚ୍ଚ ୧୫ ପୂର୍ବରୁ ସରକାରୀ ନିୟମ ଅନୁସା‌ରେ, ବିଦେଶରୁ ଫେରିଥିବା ପ୍ରମାଣ ଦେଇପାରିବେ, ତେବେ ତାଙ୍କୁ ସହାୟତା ରାଶି ମିଳିବ। ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ବହୁ ଲୋକ ଟିକେଟ୍‌ କରି ବାତିଲ୍‌ କରିଦେଇଥିଲେ। ପରେ ଆସିଥିଲେ। କିନ୍ତୁ ଏବେ ପୁରୁଣା ଟିକେଟ୍‌ ଦେଖାଇବାର ସମ୍ଭାବନା ରହୁଛି। ସେଥିପାଇଁ ଆମେ ବୋର୍ଡିଂ ପାସ୍‌ ମାଗୁଛୁ। ଏପରିକି କିଛି ଭୁବନେଶ୍ବର ବାହାରର ଲୋକ ଆସିଥିଲେ ହେଁ ସେମାନେ ଭୁବନେଶ୍ବରର ବୋଲି ନାମ ପଞ୍ଜୀକରଣ କରିଥିଲେ। ଡକୁମେଣ୍ଟ ଯାଞ୍ଚ କଲା ବେଳକୁ ସେମାନେ ବାହାର ଜିଲ୍ଲାର ବୋଲି ଜଣାପଡ଼ିଛି। ତେଣୁ ସେମାନଙ୍କୁ ଟଙ୍କା ଦେଇନୁ। ‌ରାଜ୍ୟ ସରକାର ‌ଯେବେ ଆମକୁ ବିଦେଶରୁ ଫେରିଥିବା ଓଡ଼ିଆଙ୍କୁ ଟଙ୍କା ବାଣ୍ଟିବାକୁ କହିଲେ, ସେବେଠୁ ଆମେ ବାଣ୍ଟୁଛୁ। ଆମକୁ ଯିଏ ପ୍ରମାଣ ଦେଖାଇବ ତାଙ୍କୁ ଆମେ ଟଙ୍କା ଦେଇଦେବୁ।

ଲୋକଙ୍କୁ ସରକାରୀ ସହାୟତା ନ ମିଳିବା ପାଇଁ ବିଏମ୍‌ସି ମାଧ୍ୟମରେ ପେଞ୍ଚ ‌ମୋଡ଼ିଛନ୍ତି ରାଜ୍ୟ ସରକାରଙ୍କ କିଛି ବରିଷ୍ଠ ଅଧିକାରୀ। କାରଣ ମାର୍ଚ୍ଚ ୧୫ରେ ଜଣେ ଇଟାଲୀ ଫେରନ୍ତା ଯୁବକ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଭାବେ ଭୁବନେଶ୍ବରରେ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସବୁ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ଏହି ନିୟମ କରିଥିଲେ। ଯେଉଁ ବିଦେଶ ଫେରନ୍ତା ୧୪ଦିନ ସଙ୍ଗରୋଧରେ ରହିବେ, ତାଙ୍କୁ ୧୫ହଜାର ଲେଖାଏଁ ଦେବାକୁ ଘୋଷଣା କରିଦେଲେ। ସମସ୍ତେ ଯେପରି ୧୦୪ ନମ୍ବରରେ ତୁରନ୍ତ ନାମ ପଞ୍ଜୀକରଣ କରିବେ, ସେଥିପାଇଁ ୪୮ ଘଣ୍ଟାର ମହଲତ୍‌ ଦେଲେ। ନିୟମ ନମାନିଲେ ଫୌଜଦାରି ମାମଲା ରୁଜୁ ହେବ ବୋଲି କହିଲେ। ମାର୍ଚ୍ଚ ୧୭ତାରିଖ ସକାଳ ୬ଟାରୁ ମାର୍ଚ୍ଚ ୧୯ ତାରିଖ ସକାଳ ୬ଟା ମଧ୍ୟରେ ‌ଟୋଲ୍‌ ଫ୍ରି ନମ୍ବର ୧୦୪ରେ ପଞ୍ଜୀକରଣ କରିପାରିବେ କିମ୍ବା ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ଅନ୍‌ଲାଇନ୍‌ ପୋର୍ଟାଲରେ ନାମ ପଞ୍ଜୀକରଣ କରିବାକୁ ନିର୍ଦ୍ଦେଶ ଦେଲେ। କିନ୍ତୁ କହିଲେନି ଯେ ମାର୍ଚ୍ଚ ୧୫ ପୂର୍ବରୁ ଯେଉଁମାନେ ଫେରିଥିବେ, ତାଙ୍କୁ ଟଙ୍କା ମିଳିବ, ପରେ ଯେଉଁମାନେ ଫେରିବେ ତାଙ୍କୁ ମିଳିବନି। ଏପରିକି ଟଙ୍କା କିପରି ବଣ୍ଟା ହେବ, କିଏ ଦେବ, କେମିତି ଦେବ ସେନେଇ ବି ଜୁନ୍‌ ମାସ ଯାଏଁ ନିଷ୍ପତ୍ତି ହୋଇନଥିଲା। ଭୁବନେଶ୍ବରକୁ ଫେରିଥିବା ଲୋକଙ୍କୁ ବିଏମ୍‌ସି କି ଜିଲ୍ଲା ପ୍ରଶାସନ କି ସ୍ବାସ୍ଥ୍ୟ ବିଭାଗ ଟଙ୍କା ଦେବ; ତାହା କିଛି ନିଷ୍ପତ୍ତି ହୋଇନଥିଲା। କାହା ପାଖରେ କିଛି ତଥ୍ୟ ନଥିଲା। ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସରକାରୀ ତତ୍ପରତା ଆରମ୍ଭ ହୋଇଥିଲା। ହେଲେ ଯେତେବେଳେ ଲୋକଙ୍କ ସଂଖ୍ୟା ବଢ଼ିଲା, ବାବୁମାନେ ନିୟମ ମୋଡ଼ିଦେଲେ। ଜୁନ୍‌ ମାସରେ ଭିତିରିଆ ନିର୍ଦ୍ଦେଶ ବଳରେ କହି‌ଛନ୍ତି ଯେ ମାର୍ଚ୍ଚ ୪ରୁ ୧୫ ମଧ୍ୟରେ ବିଦେଶରୁ ଫେରିଥିବା ଲୋକ ଯଦି ୧୦୪ କିମ୍ବା ରାଜ୍ୟ ସରକାରଙ୍କ କୋଭିଡ୍‌ ପୋର୍ଟାଲରେ ନାମ ପଞ୍ଜୀକରଣ କରିଥିବେ ଏବଂ ବୋର୍ଡିଂ ପାସ୍‌ ଦେଖାଇବେ, ତେବେ ତାଙ୍କୁ ଏହି ସହାୟତା ମିଳିବ।

ସୂଚନାଯୋଗ୍ୟ, ରାଜଧାନୀକୁ ବହୁ ଆର୍ଥିକ ସ୍ବଚ୍ଛଳ ବର୍ଗର ଲୋକଙ୍କ ସମେତ ବହୁ ଶ୍ରମିକ ଶ୍ରେଣୀର ଲୋକ ଲକ୍‌ଡାଉନ୍‌ ପୂର୍ବରୁ ବିଦେଶରୁ ଫେରିଥିଲେ। ସ୍ବଚ୍ଛଳ ବର୍ଗର ଲୋକ ଏହି ୧୫ହଜାରକୁ ଅନାଇନାହାନ୍ତି। କିନ୍ତୁ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ଏହି ୧୫ହଜାର ଟଙ୍କା ବହୁ ଗୁରୁତ୍ବବହନ କରୁଥିବା ବେଳେ ସେମାନେ ଟଙ୍କା ପାଇଲେନି। ଲକ୍‌ଡାଉନ୍‌ ପୂର୍ବରୁ ୬୭୮୩୭ଜଣ ଓଡ଼ିଶା ଫେରିଥିବା ବେଳେ ଏଥିରୁ ବିଦେଶରୁ ୬୪୪୦ଜଣ ଫେରିଥିଲେ। ଏଥିରେ ଖୋର୍ଦ୍ଧା ଜିଲ୍ଲାକୁ ସର୍ବାଧିକ ୨୧୧୪ଜଣ ଆସିଥିଲେ।

ସମ୍ବନ୍ଧିତ ଖବର