କରୋନା କଟକଣା ମାନୁ ନାହାନ୍ତି : ଚଉଷଠି ଯୋଗିନୀ ଓ ଜୟଦେବ ପୀଠ‌ରେ ବୁଲୁଛନ୍ତି ବିଦେଶୀ ପର୍ଯ୍ୟଟକ

ବାଲିଅନ୍ତା: ରାଜ୍ୟର ସମସ୍ତ ଐତିହ୍ୟ ସଂପନ୍ନ ପର୍ଯ୍ୟଟନ‌ସ୍ଥଳୀରେ କରୋନା କଟକଣା ବଳବତ୍ତର ରହିଛି। ରାଜଧାନୀରେ ଥିବା ସମସ୍ତ କଳା ଓ ସଂସ୍କୃତି ସଂପନ୍ନ ପୀଠକୁ ପ୍ରଶାସନ ପକ୍ଷରୁ ଏକ ପ୍ରକାର ସିଲ୍‌ କରି ଦିଆଯାଇଛି। ଦେଶୀ ହେଉ ଅବା ବିଦେଶୀ ପର୍ଯ୍ୟଟକ ମଠ, ମନ୍ଦିର ପର୍ଯ୍ୟଟନ କ୍ଷେତ୍ରକୁ ପ୍ରବେଶ ଉପରେ କଟକଣା ଜାରି ହୋଇଛି। ଏଭଳି ସ୍ଥିତିରେ ରାଜଧାନୀରେ ଘୂରି ବୁଲୁଥିବା ଅଧିକାଂଶ ବିଦେଶୀ ପର୍ଯ୍ୟଟକ ଏବେ ଉପକଣ୍ଠରେ ଥିବା ପର୍ଯ୍ୟଟନ କ୍ଷେତ୍ର ମୁହାଁ ହୋଇଛନ୍ତି। ରାଜଧାନୀ ନିକଟବର୍ତ୍ତୀ ବାଲିଅନ୍ତା ବ୍ଲକ ଅଧୀନ ହୀରାପୁର ସ୍ଥିତ ଚଉଷଠି ଯୋଗିନୀ ପୀଠ ଓ ଜୟଦେବ ପଞ୍ଚାୟତ ଅଧୀନ କେନ୍ଦୁବିଲ୍ବସ୍ଥିତ ଜୟଦେବଙ୍କ ପୀଠକୁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଉପରୋକ୍ତ ଦୁଇ ପର୍ଯ୍ୟଟନସ୍ଥଳୀରେ ବିଶେଷ କରି ବିଦେଶୀ ପର୍ଯ୍ୟଟକମାନେ ପହଞ୍ଚି ସେବାୟତ, ପଣ୍ଡା ଓ ଏହାର ପରିଚାଳନା ଦାୟିତ୍ବରେ ଥିବା କାର୍ଯ୍ୟକର୍ତା ତଥା ବିଭାଗୀୟ କର୍ମଚାରୀଙ୍କୁ ଟଙ୍କା ଦେଇ ଅବାଧରେ ଭିତରକୁ ପ୍ରବେଶ କରୁଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରତିବାଦର ସ୍ବର ଉଠିଛି।

ଗତକାଲି ଅପରାହ୍‌ଣରେ ଚୀନର ପ୍ରାୟ ୫୦ଜଣ ପର୍ଯ୍ୟଟକ ଚଉଷଠି ଯୋଗିନୀ ପୀଠ ପରିଦର୍ଶନରେ ଆସିଥିଲେ। ସେମାନେ ପୀଠ ପରିସରରେ ଦୀର୍ଘ ସମୟ ଧରି ବସିଥିଲେ। ସେଠାରେ ଅବାଧରେ ବୁଲାବୁଲି କରିଥିଲେ। ଚଉଷଠି ଯୋଗିନୀ ମନ୍ଦିର ଗର୍ଭଗୃହରେ ପଶି ଫଟୋ ମଧ୍ୟ ଉଠାଇ ଥିଲେ। ଦର୍ଶନ କରିବା ଲାଗି ସେବାୟତଙ୍କୁ ମୋଟା ଆକାରରେ ଦକ୍ଷିଣା ବି ଦେଇଥିବା କୁହାଯାଉଛି। ତେଣୁ ପ୍ରଶାସନିକ ନୀତି ନିୟମକୁ ଉଲ୍ଲଂଘନ କରି ସେବାୟତବର୍ଗ ସେମାନଙ୍କୁ ମନ୍ଦିର ପ୍ରବେଶ ଅନୁମତି ଦେଇଥିବା ଭିଡିଓ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଏହି ଖବର ପ୍ରଚାରିତ ହେବା ପରେ ପରିଚାଳନା ଦାୟିତ୍ବରେ ଥିବା ମହାମାୟା ଟ୍ରଷ୍ଟ, ଦାୟିତ୍ବରେ ଥିବା ସେବାୟତ ଓ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀବୃନ୍ଦ ସମାଲୋଚନାର ପାତ୍ର ହୋଇଛନ୍ତି।

ଚଉଷଠି ଯୋଗିନୀ ପୀଠ ଓ ଜୟଦେବ ପୀଠରେ ପର୍ଯ୍ୟଟକଙ୍କ ଅବାଧ ପ୍ରବେଶ ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ହେଲେ ଏହା ମଧ୍ୟରେ ୨୪ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ହେଁ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ସଂପୃକ୍ତ କାର୍ଯ୍ୟକର୍ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସ୍ଥାନୀୟ ପ୍ରଶାସନ ମଧ୍ୟ ଚୁପ୍‌ ରହିଛି। ଆଜି ଅପରାହ୍‌ଣରେ ପଶ୍ଚିମବଙ୍ଗରୁ ଆସିଥିବା କିଛି ପର୍ଯ୍ୟଟକ ଜୟଦେବ ପୀଠ ଆସିଥିବା ନେଇ ସୂଚନା ମିଳିଛି। ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଜନ ସାଧାରଣଙ୍କ ତରଫରୁ ଦାବି ହେଉଛି।

ସମ୍ବନ୍ଧିତ ଖବର