ଭୁବନେଶ୍ବର: ରାୟଗଡ଼ାରେ ପ୍ରାଣ ହରାଇଥିବା ୪ ରୁଷ୍ ନାଗରିକ ପ୍ରଥମେ ଭୁବନେଶ୍ବର ଆସି ଲକ୍ଷ୍ମୀସାଗର ଥାନା ଅଧୀନ କଟକ ରୋଡ୍ ଭିଟସ୍ ହୋଟେଲରେ ରହୁଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ରାୟଗଡ଼ାରେ ମୃତ୍ୟୁ ଘଟିଲା। ସେହିପରି ଅନ୍ୟ ଜଣେ ରୁଷ୍ ନାଗରିକ ଆଣ୍ଡ୍ର୍ୟୁ ପୁରୀ ଆସି ଏକ ଭଡ଼ାଘରେ ରହୁଥିଲେ। ସେ ବି ପୁରୀରୁ ଭୁବନେଶ୍ବର ଆସି ରେଳଷ୍ଟେସନ୍ ସମ୍ମୁଖରେ ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ନେଇ ପ୍ରତିବାଦ ଜଣାଇଲେ। କିଛି ଦିନ ଅନ୍ତରାଳରେ ଘଟିଥିବା ଏହି ଦୁଇଟି ଖବର ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଓଡ଼ିଶା ପୁଲିସ, ବିଶେଷକରି କ୍ରାଇମବ୍ରାଞ୍ଚ, କମିସନରେଟ ପୁଲିସ ଓ ରେଳବାଇ ଥାନା ପୁଲିସ ତତ୍ପରତା ଦେଖାଇଛି। ନାକେଦମ୍ ବି ହୋଇଛି। ତେବେ ଏସବୁ ପାଇଁ ହୋଟେଲ ମାଲିକ ଓ ଘର ମାଲିକଙ୍କ ଖାମଖିଆଲି ଓ ଢିଲାପଣ ଦାୟୀ। ସେମାନଙ୍କ ପାଇଁ ଓଡ଼ିଶାର ଛବି ଆଜି ଦେଶ ବିଦେଶରେ ଖରାପ ହେବାକୁ ବସିଛି ଓ ପୁଲିସ୍ ପାଇଁ ନୂଆ ସମସ୍ୟା ସୃଷ୍ଟି ହୋଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଖାଲି ଏହି ଦୁଇଟି ଘଟଣା ନୁହେଁ, ଅତୀତରେ ମଧ୍ୟ ଏମିତି ଏକାଧିକ ଘଟଣା ପାଇଁ ପୁଲିସକୁ ଅପବାଦ ମୁଣ୍ଡାଇବାକୁ ପଡ଼ିଛି।
ବିଗତ ଦିନରେ ଭୁବନେଶ୍ବରରୁ ଧରାପଡ଼ିଥିବା ବିଦେଶୀ ନାଗରିକ
୨୦୧୬ ମସିହାରେ କିଗ୍ରିଜସ୍ତାନର ଜଣେ ମହିଳା ଚନ୍ଦ୍ରଶେଖରପୁର ଥାନା ପୁଲିସ ହାତରେ ଧରାପଡ଼ିଥିଲେ
୨୦୧୭ ମସିହାରେ ଉଜ୍ବେକିସ୍ତାନର ଜଣେ ମହିଳାଙ୍କୁ ଖାରବେଳନଗର ଥାନା ପୁଲିସ ଧରିଥିଲା
୨୦୧୮ ମସିହାରେ କ୍ୟାପିଟାଲ ଥାନା ପୁଲିସ ୮ଜଣ ଥାଇଲାଣ୍ଡ ଯୁବତୀଙ୍କୁ ବାପୁଜୀନଗରର ଏକ ସ୍ପା’ ଭିତରୁ ଠାବ କରିଥିଲା
୨୦୨୦ ମସିହାରେ ଭୁବନେଶ୍ବର ଷ୍ଟେସନ୍ରୁ ୬ଜଣ ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ କରିଥିଲା କମିସନରେଟ ପୁଲିସ
ଉକ୍ତ ଅଧିକାରୀଙ୍କ କହିବା କଥା, ସାଧାରଣତଃ ବିଦେଶୀ ପର୍ଯ୍ୟଟକମାନେ ଭାରତକୁ ପର୍ଯ୍ୟଟନ, ବେପାର, ମେଡିକାଲ, ରୋଜଗାର, ପାଠପଢ଼ା, ଯୋଗ, ରିସର୍ଚ୍ଚ ଆଦି ପାଇଁ ଆସୁଛନ୍ତି। ନିୟମ ଅନୁଯାୟୀ ସେମାନେ ଭାରତରେ କୌଣସି ହୋଟେଲ, ହଷ୍ଟେଲ, ଗେଷ୍ଟ ହାଉସ୍ ବା କୌଣସି ବ୍ୟକ୍ତିଙ୍କ ଘରେ ରହିଲେ, ତୁରନ୍ତ ସେ ହୋଟେଲ ମାଲିକ, ମ୍ୟାନେଜର୍ ବା ଘର ମାଲିକ ଫର୍ମ-ସି ପୂରଣ କରି ଏସପି କିମ୍ବା ଡିସିପିଙ୍କୁ ପ୍ରଦାନ କରିବେ। ଏହା ଏବେ ଅନ୍-ଲାଇନ୍ ମାଧ୍ୟମରେ ବି ହୋଇପାରୁଛି। କିନ୍ତୁ ଏହି ଘଟଣାରେ ହୋଟେଲ କର୍ତ୍ତୃପକ୍ଷ ଫର୍ମ -ସି ଦାଖଲ କରିବାରେ ବିଳମ୍ବ କରିଥିଲେ। ଏଥିପାଇଁ ପ୍ରାଣ ହରାଇଥିବା ୨ ରୁଷ୍ ନାଗରିକଙ୍କ ସଂପର୍କରେ କମିସନରେଟ ପୁଲିସ ଅବଗତ ହେବାରେ ବିଳମ୍ବ ହୋଇଥିଲା। ଏଠାରେ କମିସନରେଟ ପୁଲିସ ସେମାନଙ୍କ କାଗଜପତ୍ର, ପାସ୍ପୋର୍ଟ, ଭିସା ଆଦି ଯାଞ୍ଚ କରିବାକୁ ସୁଯୋଗ ପାଇ ନଥିଲା। ସେହିପରି ସେମାନଙ୍କ ବ୍ୟବହାର ଓ ଚାଲିଚଳଣ କେମିତି ଥିଲା, ତାହା ମଧ୍ୟ ପୁଲିସ ଜାଣିବାକୁ ସୁଯୋଗ ପାଇ ନଥିଲା।
ଆଣ୍ଡ୍ର୍ୟୁଙ୍କ କ୍ଷେତ୍ରରେ ତାଙ୍କ ଘର ମାଲିକ ପୁରୀ ଏସ୍ପିଙ୍କୁ ଜଣାଇଛନ୍ତି କି’ ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ଯଦି ଜଣାଇଥିଲେ, ତେବେ ସେ ୩ ସପ୍ତାହ ହେଲା ଭୁବନେଶ୍ବର ଆସୁଥିଲେ ମଧ୍ୟ ପୁରୀ ପୁଲିସ କାହିଁକି କମିସନରେଟ୍ ପୁଲିସକୁ ଜଣାଉ ନଥିଲା? ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ବିଦେଶୀମାନଙ୍କ ଓଡ଼ିଶାରେ ରହଣୀ ନେଇ ଗୋଟିଏ ଜିଲ୍ଲା ପୁଲିସ ସହ ଅନ୍ୟ ଜିଲ୍ଲା ପୁଲିସର କୌଣସି ସମ୍ପର୍କ ରହୁ ନାହିଁ। ଆଣ୍ଡ୍ର୍ୟୁଙ୍କ ସମ୍ପର୍କରେ ଗଣମାଧ୍ୟରେ ଖବର ପ୍ରକାଶ ପାଇବା ପରେ ରେଳବାଇ, ସେସ୍ପାଲ ବ୍ରାଞ୍ଚ ଓ କମିସନରେଟ୍ ପୁଲିସ୍ ତତ୍ପରତା ଦେଖାଇଥିଲା। ଶେଷରେ ଅଣ୍ଡରଟେକିଂ ଲେଖିବା ପରେ ଏବେ ଆଣ୍ଡ୍ର୍ୟୁକୁ ରେଳବାଇ ଥାନା ପୁଲିସ ପୁରୀ ଭଡ଼ା ଘରେ ଛାଡ଼ିଛି।
ହୋଟେଲ ମାଲିକ ହୁଅନ୍ତୁ ବା ଘର ମାଲିକ ଫର୍ମ-ସି’ ପୂରଣ କରିବାରେ ଅବହେଳା କରୁଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି। ତେଣୁ ଏହା ଉପରେ ବିଭାଗ ଧ୍ୟାନ ଦେବାକୁ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ବିନା ଭିସାରେ ବିଦେଶୀ ନାଗରିକମାନେ ବୁଲାବୁଲି କରୁଥିଲେ, ସେମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ପୁଲିସ ସେମାନଙ୍କ ଦୂତାବାସ ସହିତ ଯୋଗାଯୋଗ କରି ତୁରନ୍ତ ତାଙ୍କ ଦେଶକୁ ପଠାଇ ଦେବାର ମଧ୍ୟ ନିୟମ ରହିଛି।