ନୂ୍ଆପଲ୍ଲୀସ୍ଥିତ ହୋଟେଲ ରିଚି ରିଜେନ୍ସିରେ ବିଦେଶୀ

ଆଜି ରାତିରେ ଯିବେ କୋଲକାତା, ମାର୍ଚ୍ଚ ୨୫ରେ ସ୍ବଦେଶ ଫେରିବେ

ଭୁବନେଶ୍ୱର : ବିଏମ୍‌ସି ଓ ବିଡିଏର ମିଳିତ ଟିମ୍ ଆଜି ନୂ୍ଆପଲ୍ଲୀସ୍ଥିତ ହୋଟେଲ ରିଚି ରିଜେନ୍ସିରେ ଜଣେ ବିଦେଶୀ ନାଗରିକଙ୍କୁ ଠାବ କରିଛନ୍ତି। ତାଙ୍କ ନାମ ପିଟର (୬୦)। ସେ ଚେକ୍ ରିପବ୍ଲିକ ଦେଶର ବାସିନ୍ଦା। ସେ କରୋନା ଆକ୍ରାନ୍ତ କି ନୁହନ୍ତି ଜାଣିବା ପାଇଁ ଉଦ୍ୟମ କରାଯାଇଥିଲା। ସନ୍ଦେହରେ ତାଙ୍କୁ ପଚରାଉଚରା କରିବାରୁ ଜଣାପଡ଼ିଥିଲା ଯେ ଦୁଇ ଦିନ ତଳେ ତାଙ୍କର କ୍ୟାପିଟାଲ ହସ୍ପିଟାଲରେ ୨୦୧୯-ଏନ୍‌ସିଓଭି ପରୀକ୍ଷା ହୋଇଥିଲା। ଯାହା ନେଗେଟିଭ୍ ଆସିଥିଲା। ଏହାପରେ ବିଏମ୍‌ସି ଡେପୁଟି କମିସନର ଅଂଶୁମାନ ରଥ ଓ ବିଡିଏର ଏନଫୋର୍ସମେଣ୍ଟ ଇନ୍‌ସପେକ୍ଟର ପ୍ରମୋଦ କୁମାର ଜେନା ତାଙ୍କୁ ଯା‌ତ୍ରୀନିବାସକୁ ଆଣି ରଖିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ବିଏମ୍‌ସି କମିସନରଙ୍କୁ ଖବର ମିଳିଥିଲା ଯେ ଜଣେ ବିଦେଶୀ ନାଗରିକ ଦୁଇଦିନ ହେଲା ଆଇଜି ପାର୍କରେ ରହୁଛନ୍ତି। ତାଙ୍କୁ କୌଣସି ହୋଟେଲ କର୍ତ୍ତୃପକ୍ଷ ରୁମ୍ ଦେଉ ନ ଥିବାରୁ ସେ ପାର୍କରେ ରାତି କଟାଉଛନ୍ତି। ଏହାପରେ କମିସନରଙ୍କ ନିର୍ଦ୍ଦେଶକ୍ରମେ ବିଏମ୍‌ସି ଓ ବିଡିଏର ଅଧିକାରୀମାନେ ତନାଘନା ଆରମ୍ଭ କରିଥିଲେ। କିନ୍ତୁ ଆଇଜି ପାର୍କ ନିକଟରେ ତାଙ୍କୁ ଆଉ ପାଇ ନ ଥିଲେ। ବହୁ ଖୋଜାଖୋଜି ପରେ ପିଟର୍‌ଙ୍କୁ ନୂଆପଲ୍ଲୀସ୍ଥିତ ହୋଟେଲ ରିଚି ‌ରିଜେନ୍ସିରେ ଠାବ କରିଥିଲେ। ସେଠାରେ ହୋଟେଲ କର୍ତ୍ତୃପକ୍ଷ ତାଙ୍କୁ ଚେକ୍ ଆଉଟ୍‌ କରିବାକୁ କହୁଥିଲେ। ବିଏମ୍‌ସି କର୍ତ୍ତୃପକ୍ଷ ତାଙ୍କୁ ପଚରାଉଚରା କରିବା ପରେ ଯାତ୍ରୀନିବାସକୁ ଆଣିଥିଲେ। ଶ୍ରୀ ଜେନାଙ୍କ ସୂଚନା ଅନୁଯାୟୀ, ବିଦେଶୀ ନାଗରିକ ପିଟର୍‌ ଜାନୁଆରି ୧୪ରୁ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ଅଞ୍ଚଳ ବୁଲିଥିଲେ। ରାଜ୍ୟର ବହୁ ଜିଲ୍ଲା ବୁଲିବା ପରେ ‌ସେ ଆସି ଭୁବନେଶ୍ବରରେ ରହୁଥିଲେ। ହେଲେ ଏବେ କରୋନା ନେଇ ବହୁ କଟକଣା ଲାଗିବାରୁ ସେ କୋଲକାତା ଯିବାକୁ ଟିକେଟ୍‌ କରିଛନ୍ତି। ଆଜି ରାତି ୧୧ଟାରେ ତାଙ୍କର କୋଲକତା ଯିବାକୁ ଟ୍ରେନ୍ ଟିକେଟ୍ ହୋଇଥିବା ସେ ଦେଖାଇଥିଲେ। ଏହାପରେ ତାଙ୍କୁ ଯାତ୍ରୀନିବାସକୁ ଆଣି ରଖାଯାଇଥିଲା। ସେ ମାର୍ଚ୍ଚ ୨୫ରେ ନିଜ ଦେଶକୁ ଫେରିଯିବାକୁ ଟିକେଟ୍ କରିଥିବା ଦେଖାଇଛନ୍ତି।

ସମ୍ବନ୍ଧିତ ଖବର