ବାରଙ୍ଗ/ଚନ୍ଦ୍ରଶେଖରପୁର/ମେଣ୍ଢାଶାଳ: ପ୍ରାୟ ବର୍ଷେ ହେଲା ଦାରୁଠେଙ୍ଗ ଯୁଝଗଡ଼ ଅଞ୍ଚଳର ଲୋକେ ଅଭିଯୋଗ କରୁଥିଲେ ଯେ ଖଣିରେ କୁମ୍ଭୀର ଅଛି। ମାତ୍ର ବନ ବିଭାଗ ଲୋକଙ୍କ କଥାକୁ ଗୁଜବ ବୋଲି କହି ଫାଙ୍କି ଦେଇଥିଲା। ଏମିତିକି ଯୁବକମାନେ ମୋବାଇଲ୍‌ରେ ଫଟୋ ଉଠାଇ ବନ ବିଭାଗକୁ ଦେଇଥିଲେ ମଧ୍ୟ ତାହାକୁ କେହି ବିଶ୍ବାସ କରିନଥିଲେ। ଖଣିରେ ବଢ଼ୁଥିବା କୁମ୍ଭୀରଟି ଦିନକୁ ଦିନ ବଡ଼ ହେବା ସହ ବାଛୁରୀ, ବତକ, ହଂସ ଓ କୁକୁର ମାରି ଖାଇବା ପରେ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଲା ଏବଂ ବନ ବିଭାଗ ଉପରେ ଚାପ ପଡ଼ିଲା। ଶେଷରେ ଲୋକଙ୍କ ଅଭିଯୋଗ ସତ ପ୍ରମାଣିତ ହେଲା ଏବଂ ମଗର ପ୍ରଜାତିର କୁମ୍ଭୀରଟି ଧରାପଡ଼ିଲା। ବନ ବିଭାଗ କୁମ୍ଭୀରକୁ ନେଇ ଡେରାସ ଲାଞ୍ଜିଆରେ ଛାଡ଼ିବା ପରେ ଦାରୁଠେଙ୍ଗ ଯୁଝଗଡ଼ ଅଞ୍ଚଳରେ ଲୋକେ ଆଶ୍ବସ୍ତ ହୋଇଛନ୍ତି।  

Advertisment

ଦାରୁ‌‌ଠେଙ୍ଗ ଯୁଝଗଡ଼ ବନଦୁର୍ଗା ମନ୍ଦିର ନିକଟ ପଥର ଖଣିରେ କୁମ୍ଭୀରଟିଏ ଥିବା ନେଇ ଗତବର୍ଷ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ଖଣି କୂଳରେ କୁମ୍ଭୀରଟି ଖରାକୁ ପିଠି କରି ଶୋଇଥିବା ବେଳେ ରିଲ୍ସ କରୁଥିବା କିଛି ଯୁବକ ଦେଖିଥିଲେ ଏବଂ ମୋବାଇଲ୍‌ରେ ଫଟୋ ଉଠାଇଥିଲେ। କିନ୍ତୁ ବନ ବିଭାଗ ମାନି ନଥିଲା। ବନ ବିଭାଗର କର୍ମଚାରୀମାନେ, ଖଣିକୁ କୁମ୍ଭୀର କୁଆଡ଼ୁ ଆସିଲା ବୋଲି କହି କଥାକୁ ଫାଙ୍କି ଦେଇଥିଲେ। ଏମିତିକି ଏହା ଏକ ଗୁଜବ ବୋଲି ପ୍ରଚାରିତ ହେଲା। କିନ୍ତୁ ଗତ କିଛି ଦିନ ହେଲା ଖଣିକୁ ଯାଉଥିବା ସ୍ଥାନୀୟ ଲୋକଙ୍କ କିଛି ବତକ ମରିବା ପରେ କୁମ୍ଭୀର ଥିବା ନେଇ ଲୋକେ ନିଶ୍ଚିତ ହୋଇଥିଲେ। ସ୍ଥାନୀୟ ଲୋକେ ବନ ବିଭାଗକୁ ବାରମ୍ବାର ଅଭିଯୋଗ କଲେ। ତେଣୁ ଆଜି ଚନ୍ଦକା ରେଞ୍ଜ୍‌ ଅଧିକାରୀ ଓ କର୍ମଚାରୀମାନେ ଜାଲୁଆ ଡାକି କୁମ୍ଭୀରକୁ ଧରିବା ଲାଗି ଉଦ୍ୟମ କରିଥିଲେ। ଖଣିରେ ବଡ଼ ଜାଲ ପକାଇବା ପରେ କୁମ୍ଭୀରଟି ଧରାପଡ଼ିଥିଲା। ପ୍ରାୟ ସାଢ଼େ ୫ଫୁଟ୍‌ର କୁମ୍ଭୀରଟି ମଗର ପ୍ରଜାତିର ବୋଲି ବନ ବିଭାଗ କହିଛି। ସୂଚନାଯୋଗ୍ୟ ଯେ ଗତ କିଛି ବର୍ଷ ହେଲା ମେଣ୍ଢାଶାଳ ଅଞ୍ଚଳରୁ ବିଭିନ୍ନ ଜଳାଶୟରୁ କୁମ୍ଭୀର ଧରାହୋଇଛନ୍ତି। ମେଣ୍ଢାଶାଳ ହଦ, କଳାଝର ପୋଖରୀ ଓ ଗୁପ୍ତପଡ଼ାରୁ କୁମ୍ଭୀର ଧରାହୋଇଛନ୍ତି। ଚନ୍ଦକା ଅଭୟାରଣ୍ୟର କୁମାରଖୁଣ୍ଟି, ଡେରାସ ଜଳଭଣ୍ଡାରରେ ଛଡ଼ାଯାଇଥିବା କୁମ୍ଭୀର ବର୍ଷା ଦିନେ ଜଳସ୍ରୋତରେ ବାହାରି ଆସୁଥିବ‌ା କୁହାଯାଉଛି। ପୂର୍ବରୁ ଘଡ଼ିଆଳ ଧରାପଡ଼ିଥିଲେ। ଏଥର ମଗର ଧରାପଡ଼ିଛି।