ମେଣ୍ଢାଶାଳ : ଧରାପଡ଼ିଲା ମଣିଷମରା ମାଙ୍କଡ଼

ମେଣ୍ଢାଶାଳ : ମେଣ୍ଢାଶାଳ ପଞ୍ଚାୟତ ଗିରିଙ୍ଗାପୁଟ ଗ୍ରାମରେ ଆତଙ୍କ ଖେଳାଇଥିବା ମଣିଷମରା ମାଙ୍କଡ଼କୁ ଆଜି ସକାଳୁ ବନ ବିଭାଗ କାବୁ କରିଛି। ଡମପଡ଼ା ବନଖଣ୍ଡ ଓ ନନ୍ଦନକାନନର ସ୍ପେସାଲ୍‌ ଟ୍ରାଙ୍କୁଲାଇଜ ଟିମ୍‌ ଆସିବା ପୂର୍ବରୁ ହଳଦିଆ ବନଖଣ୍ଡର ରେଞ୍ଜର ଓ କର୍ମଚାରୀମାନେ ମାଙ୍କଡ଼କୁ ଟ୍ରାଙ୍କୁଲାଇଜ୍‌ କରି ଧରିଥିଲେ। ଆଜି ମାଙ୍କଡ଼ଟି ଗିରିଙ୍ଗାପୁଟ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପରିଡ଼ାଙ୍କ ଗୁହାଳ ଭିତରେ ରହିଥିଲା। ମାଙ୍କଡ଼ଟିକୁ ଚନ୍ଦକା ଜଙ୍ଗଲ ମଧ୍ୟଭାଗରେ ଥିବା ସଉରା ପୋଖରୀ ନିକଟରେ ଛାଡ଼ି ଦିଆଯାଇଥିବା ହଳଦିଆ ରେଞ୍ଜର କହିଛନ୍ତି। ମାଙ୍କଡ଼ଧରା ଅଭିଯାନରେ ହଳଦିଆ ବନଖଣ୍ଡ ଅଧିକାରୀ ଜୟକୃଷ୍ଣ ପଣ୍ଡା, ମିନିସିଙ୍ଗିପାଟନା ଫରେଷ୍ଟର ସୌମ୍ୟରଞ୍ଜନ ବେହେରା, ମେଣ୍ଢାଶାଳ ଫରେଷ୍ଟର ବିନୋଦିନୀ ବେହେରା ସାମିଲ ହୋଇଥିଲେ।

ପ୍ରକାଶ‌ଯୋଗ୍ୟ, ମାଙ୍କଡ଼ଟି ବହୁ ଦିନ ଧରି ଏହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିଲା। ଲୋକମାନେ ଘରୁ ବାହାରି ପାରୁନଥିଲେ। ଗତକାଲି ଅପରାହ୍‌ଣ ପ୍ରାୟ ୨ଟା ବେଳେ କମଳିନୀ ମାଝୀ(୬୨) ଖୋର୍ଧା ମୁକୁନ୍ଦପ୍ରସାଦରୁ ନିଜ ପୁତୁରା ଗୌତମ ମାଝୀଙ୍କ ସହିତ ଗିରିଗାଁପୁଟକୁ ଫେରୁଥିଲେ। ଶନିମନ୍ଦିର ପାଖରେ ପହଞ୍ଚିଲା କ୍ଷଣି ବାଇକ୍‌ ଉପରକୁ ଉତ୍ପାତିଆ ହନୁମାଙ୍କଡ଼ ଡିଆଁ ମାରିଲା। ସେ ଓ ତାଙ୍କ ପୁତୁରା ଗାଡ଼ିରୁ କଚାଡ଼ି ହୋଇ ତଳେ ପଡ଼ିଯାଇ ଥିଲେ। କମଳିନୀଙ୍କ ମୁଣ୍ଡ ରାସ୍ତାରେ ମାଡ଼ ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‌କୁ ବି ନିଆଗଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର